୬ ମହିଳା ଦିନକୁ ପ୍ରସ୍ତୁତ କରୁଛନ୍ତି ୩ଶହ ମାସ୍କ, ଲକ୍‌ଡାଉନ୍ ପାଇଁ ଦେଖାଦେଲାଣି କପଡ଼ା ସମସ୍ୟା

ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଗତ ୯ତାରିଖରୁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି। ବିଶେଷକରି ଘର ତିଆରି ମାସ୍କ ପିନ୍ଧିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯାଉଛି।

ରାଜ୍ୟରେ କରୋନା ଆତଙ୍କ ଦେଖାଦେବା ପରେ ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କ ଦ୍ବାରା ପ୍ରସ୍ତୁତ ଲକ୍ଷାଧିକ ମାସ୍କ ରାଜ୍ୟରେ ବଣ୍ଟା ହୋଇସାରିଲାଣି। ଆଗକୁ ମଧ୍ୟ ଏହା ଜାରି ରହିବ। ରାଜଧାନୀର ଏଭଳି ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବେ ମାସ୍କ ତିଆରିରେ ନିଜକୁ ନିୟୋଜିତ କରିଛନ୍ତି। ଗୋଷ୍ଠୀର ୬ଜଣ ମହିଳା ଦିନକୁ ପ୍ରାୟ ୩ଶହ ମାସ୍କ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବହୁତ କମ୍ ମୂଲ୍ୟରେ ସେମାନେ ବିକ୍ରି କରୁଥିବା ଜଣାପଡ଼ିଛି। ରାଜଧାନୀର ଶିଶୁପାଳଗଡ଼ ସ୍ଥିତ ରଘୁନାଥନଗର ଅଞ୍ଚଳର ଶାଶ୍ବତ ମଡର୍ଣ୍ଣ ଆପ୍ଲିକ୍ ଗ୍ରୁପ୍ ଚାନ୍ଦୁଆଠାରୁ ଆରମ୍ଭ କରି ୱାଲ ହାଙ୍ଗିଙ୍ଗ, ଭ୍ୟାନିଟ୍‌ ବ୍ୟାଗ୍, ଶାଢ଼ି କଭର ପ୍ରସ୍ତୁତ କରିଥାଏ। ମାତ୍ର ଏବେ କରୋନା ସଂକଟ ପାଇଁ ଏସବୁ କାମ ଛାଡ଼ି କେବଳ ମାସ୍କ ପ୍ରସ୍ତୁତିରେ ଲାଗିଛନ୍ତି ମହିଳାମା‌ନେ। ଏହି ଗ୍ରୁପ୍‌ର ସଭାପତି ଶକୁନ୍ତଳା ହରିଚନ୍ଦନ କହିଛନ୍ତି, ୬ଜଣ ମହିଳା ଦିନକୁ ପ୍ରାୟ ୩ଶହ ମାସ୍କ ତିଆରି କରୁଛନ୍ତି। ମହିଳାମାନେ ଦିନର ୮ଘଣ୍ଟା ମାସ୍କ ତିଆରିରେ ନିଜକୁ ନିୟୋଜିତ କରିଛନ୍ତି। ମାସ୍କ ପିଛା ୧୫ ଟଙ୍କା ନିଆଯାଉଛି। ନିକଟରେ ଗ୍ରୁପ୍‌ ପ୍ରସ୍ତୁତ କରିଥିବା ପ୍ରାୟ ୨ହଜାର ମାସ୍କ ଖୋର୍ଧା ଜିଲ୍ଲାପାଳ ନେଇଥିଲେ। ପରବର୍ତୀ ସମୟରେ ଏକ ସଂସ୍ଥା ୫ଶହ ମାସ୍କ କିଣି ନେଇଛନ୍ତି। ରାଜ୍ୟରେ କରୋନା ସଂକଟ ଆରମ୍ଭ ହେବା ସମୟରେ ଓରମାସ ପକ୍ଷରୁ କଟକରେ ଏକ ସଂସ୍ଥାରେ ମହିଳାମାନଙ୍କୁ ତାଲିମ ଦିଆଯାଇଥିଲା। ସେଠାରୁ ଶିଖି ଆସିବା ପରେ ମହିଳମାନେ ମାସ୍କ ତିଆରି କରୁଛନ୍ତି। ସାମାଜିକ ଦୂରତ୍ବ ଓ ହାତ ଧୁଆକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏହାକୁ ମଧ୍ୟ ମହିଳାମାନେ ପାଳନ କରୁଛନ୍ତି। ଆସନ୍ତା ୩/୪ଦିନ ଭିତରେ ହଜାରେ ମାସ୍କ ମିସନ ଶକ୍ତି ପକ୍ଷରୁ ନେବା ପାଇଁ ଅର୍ଡର ଦିଆଯାଇଛି। ଏହାପରେ ବିଭିନ୍ନ ବ୍ୟାଙ୍କ ଓ ଜେଲକୁ ୩/୪ହଜାର ମାସ୍କ ଯୋଗାଇ ଦିଆଯିବା ପାଇଁ ମଧ୍ୟ ଅର୍ଡର ରହିଛି। ତେବେ ଲକ୍‌ଡାଉନ୍ ପାଇଁ କପଡ଼ା ସମସ୍ୟା ଦେଖା ଦେଲାଣି। ଏବେ ଯେତିକି କପଡ଼ା ରହିଛି ଏଥିରେ ହଜାରର ପର୍ଯ୍ୟନ୍ତ ମାସ୍କ ପ୍ରସ୍ତୁତ ହୋଇପାରିବ। କପଡ଼ା ଓ ଫିତା ଯୋଗାଇ ଦେବା ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ କପଡ଼ା ଆସିବା ପରେ ବଳକା ଅର୍ଡର ଦେଇହେବ ବୋଲି ଶ୍ରୀମତୀ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର