ରାଜଧାନୀ‌‌ରେ ‘ମାସ୍କ’ର ଟ୍ରେଣ୍ଡ୍‌, ଦିନକୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମାସ୍କ ବିକ୍ରି

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ମୁହଁରେ ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ କରାଯାଇଛି। ‌କରୋନା ଯୁଦ୍ଧକୁ ଜିତିବା ପାଇଁ ମାସ୍କ ଏବେ ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ଏହାକୁ ଆକର୍ଷଣୀୟ କରିବାକୁ ବ୍ୟବସାୟୀ ମହଲରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଲକ୍‌ଡାଉନ୍‌ ଓ କଟକଣା ଯୋଗୁଁ ବିଭିନ୍ନ ବ୍ୟବସାୟ ଏବେ ମାନ୍ଦା ହୋଇପଡ଼ିଥିବା ବେଳେ ମାସ୍କ କିନ୍ତୁ ଅନେକଙ୍କୁ ରୋଜଗାର ଦେଇଛି। ଏଥିସହ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ରକମ ରକମର ମାସ୍କ ତିଆରି କରାଯାଉଛି। ଏହା ମଧ୍ୟରୁ ସବୁଠାରୁ ଅଧିକ ପସନ୍ଦରେ ରହିଛି ସମ୍ବଲପୁରୀ ମାସ୍କ। ଏଥିସହ ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରିବାକୁ ଭଳିକି ଭଳି ମାସ୍କ ଏବେ ବଜାରରେ ଉପଲବ୍ଧ।

ଦିନକୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମାସ୍କ ବିକ୍ରି
ମାସ୍କ ବର୍ତ୍ତମାନ ସମୟର ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଥିବା ବେଳେ ଏହା ଅନେକ ମହିଳାଙ୍କୁ ରୋଜଗାର ଦେଇଛି। ସାରା ରାଜ୍ୟରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାସ୍କ ତିଆରି କରି ବେଶ୍‌ ଦୁଇ ପଇସା ରୋଜଗାର କରିପାରିଥିବା ବେଳେ ରାଜଧାନୀରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ରାଜଧାନୀର ଓର୍‌ମାସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ‘ତ୍ରିଶକ୍ତି ମହିଳା ସମିତି’ ପକ୍ଷରୁ ଖୋଲିଛି ମାସ୍କ ଷ୍ଟଲ୍‌। ଏଠାରେ ସମ୍ବଲପୁରୀ, ଇକ୍କତଠାରୁ ଆରମ୍ଭ କରି ଦୁଇ ସ୍ତର ବିଶିଷ୍ଟ ମାସ୍କ, ବିଭିନ୍ନ କପଡ଼ାର ମାସ୍କ ସହ ଛୋଟ ଛୁଆଙ୍କ ପାଇଁ ନେଟ୍‌ ମାସ୍କ ଓ କାଟୁନ୍‌ ମାସ୍କ ଉପଲବ୍ଧ। ସମିତିର ଅଧ୍ୟକ୍ଷା ସଂଯୁକ୍ତା ଭୂତିଆ କହିଛନ୍ତି, ମାର୍ଚ୍ଚ ୧୯ ତାରିଖଠାରୁ ଆମେ ଏଠାରେ ଷ୍ଟଲ୍‌ ଖୋଲି ମାସ୍କ ବିକୁଛୁ। ଆମ ସମିତିରେ ଆମେ ୫୦୦ ଜଣ ମହିଳା। ଆମେ ନିଜେ ମାସ୍କ ତିଆରି କରିବା ସହ ଆନ୍ୟ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ମଧ୍ୟ ମାସ୍କ ମଗ‌ାଇ ଏଠାରେ ବିକ୍ରି କରୁଛୁ। ଆମ ପାଖରେ ଏବେ ୨୫ରୁ ୩୦ ପ୍ରକାର ମାସ୍କ ଉପଲବ୍ଧ ରହିଥିବା ବେଳେ ଏ ସବୁର ଦାମ୍‌ ୧୫ରୁ ୩୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଲୋକମାନେ ମଧ୍ୟ ଏବେ ବହୁତ ସଚେତନ ହେଲେଣି। ମାସ୍କ ଭଲ ବିକ୍ରି ହେଉଥିବା ବେଳେ ଏବେ ଦିନକୁ ୪୫ ହଜାରରୁ ୫୦ ହଜାର ଟଙ୍କାର ମାସ୍କ ବିକ୍ରି ହେଉଛି। ଦିନେ ଦିନେ ତ’ ୧ ଲକ୍ଷ ଟଙ୍କାର ମଧ୍ୟ ମାସ୍କ ବିକ୍ରି ହେଉଛି। ଏବେ ଲୋକ ବେଶୀ ସମ୍ବଲପୁରୀ ମାସ୍କ କିଣୁଛନ୍ତି। ପୁଣି ସମ୍ବଲପୁରୀ ମାସ୍କ ଅନ୍ୟ ସ୍ଥାନରେ ୫୦ ଟଙ୍କା ହୋଇଥିବା ବେଳେ ଆମେ ୩୫ ଟଙ୍କାରେ ବିକ୍ରି କରୁଛୁ। ଫଳରେ ଏଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ସେ କହୁଛନ୍ତି।

ଚାହିଦାକୁ ଦେଖି ପ୍ରତିଯୋଗିତା
ଲୋକମାନଙ୍କ ମଧ୍ୟରେ ମାସ୍କର ଚାହିଦା ଅଧିକ ଥିବାରୁ ଏନେଇ ବଜାରରେ ଏବେ ପ୍ରତିଯୋଗିତାର ପରିବେଶ। ସହରର ପ୍ରତି ଗଳିକନ୍ଦିରେ ଏବେ ମାସ୍କ ପସରା ଦେଖିବାକୁ ମିଳୁଛି। ଭିନ୍ନ ଭିନ୍ନ ରକମର ବିଭିନ୍ନ କପଡ଼ା ଓ ଡିଜାଇନ୍‌ ମାସ୍କ ଏବେ ଗ୍ରାହକଙ୍କୁ ଆକର୍ଷିତ କରୁଛି। ଆଗରୁ ‌ଡୋର୍‌ ସ୍କ୍ରିନ୍‌, ୱିଣ୍ଡୋ ସ୍କ୍ରିନ୍‌, ମଶାରୀ, ତକିଆ ଖୋଳ ଓ ସୋଫା ଖୋଳ ତିଆରି କରି ବିକୁଥିବା ରାଜମହଲସ୍ଥିତ ‘ଦୋରା ଡିଜାଇନ୍‌ ଗ୍ରିପ୍‌’ ଏବେ କେବଳ ମାସ୍କ ତିଆରି କରି ବିକୁଛି। ଦୋକାନର ସତ୍ତ୍ବାଧୀକାରୀ ଏ ଧନୁର୍ଯ୍ୟୟ ଦୋରା କହିଛନ୍ତି, ତାଙ୍କ ଦୋକାନରେ ରହିଛି ଭିନ୍ନ ଭିନ୍ନ ଡିଜାଇନ୍‌ର ୫୦ରୁ ୬୦ ପ୍ରକାରର ମାସ୍କ। ଖଦି ନିକେତନରୁ ବିଭିନ୍ନ ରକମର କପଡ଼ା ଆଣି ସେ ଏହା ସିଲେଇ କରୁଛନ୍ତି। ଡିଜାଇନ୍‌ ଓ କପଡ଼ା ଅନୁଯାୟୀ ମାସ୍କର ଦାମ୍‌ ୨୦ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫ୍ୟାନ୍‌ସି ମାସ୍କ ବି ତାଙ୍କ ଦୋକାନରେ ଉପଲବ୍ଧ। ଲୋକଙ୍କ ବରାଦ୍‌ ଅନୁଯାୟୀ ସେ ମାସ୍କ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି।

ଲୋକଙ୍କ ପସନ୍ଦ ସମ୍ବଲପୁରୀ ମାସ୍କ
ମାସ୍କ ଏବେ ଆଉ କେବଳ ମେଡିସିନ୍‌ ଦୋକାନରେ ଉପଲବ୍ଧ ହେଉଥିବା ବୋରିଂ ସାମଗ୍ରୀ ହୋଇନାହିଁ। ଏବେ ଏହା ଜନଜୀବନର ଫେସନକୁ ପ୍ରବେଶ କରିଛି। ଏବେ ଜଣଙ୍କଠାରୁ ଆଉ ଜଣେ ଭଲ ଓ ସୁନ୍ଦର ମାସ୍କ ପିନ୍ଧିବାକୁ ଚାହୁଁଛି। କିଏ କଅଁଳିଆ କପଡ଼ାର ମାସ୍କ ପିନ୍ଧିଲାଣି ତ’ ଆଉ କିଏ ଦ୍ବିସ୍ତର ବିଶିଷ୍ଟ ନେଟ୍‌ ମାସ୍କ। ଏ ଭିତରେ ସମସ୍ତଙ୍କ ପସନ୍ଦର ସର୍ବାଗ୍ରେ ରହିଛି ସମ୍ବଲପୁରୀ ମାସ୍କ। କିଛି ଜଣ ନିଜେ ନିଜେ ସମ୍ବଲପୁରୀ କପଡ଼ାରେ ନିଜ ଘରେ ଏହାକୁ ତିଆରି କରୁଥିବା ବେଳେ ଆଉ କିଛି ଦୋକାନରୁ କିଣି ଆଣୁଛନ୍ତି। ୫୦ ଟଙ୍କା ମଧ୍ୟରେ ସମ୍ବଲପୁରୀ ମାସ୍କ ଆସିଯାଉଥିବାରୁ ସମସ୍ତେ ଏହା କିଣୁଥିବା ଏବେ ଦେଖିବାକୁ ମିଳୁଛି। ରାଜଧାନୀର ପ୍ରାୟ ସବୁ ମାସ୍କ ଷ୍ଟୋରରେ ଏହା ମିଳିଯାଉଥିବାରୁ ଏହାର ଚାହିଦା ଓ ଲୋକପ୍ରିୟତା ବଢ଼ିଛି।

ସମ୍ବନ୍ଧିତ ଖବର