ଭୁବନେଶ୍ବର : ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍‌ ଭାବେ ପାଳନ କରନ୍ତି ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତାହାକୁ ସୁନିଶ୍ଚିତ କରାଇବେ। ବିନା ମାସ୍କରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ସ୍କୁଲଗୁଡ଼ିକୁ କୁହାଯିବ। ଏଥିସହ ପିଲାଙ୍କ ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକୀୟ ହେଲେ ସ୍କୁଲ କ୍ୟାମ୍ପସରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିର ହୋଇଛି।

Advertisment

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ସହରର ୧୨ରୁ ୧୪ ବର୍ଷ ବୟସର ୫୪% ଛାତ୍ରଛାତ୍ରୀ ଟିକା ନେଇଥିବା ନେଇ ବିଏମ୍‌ସି ପକ୍ଷରୁ ତଥ୍ୟ ଦିଆଯାଇଛି। ମାତ୍ର ଟିକାକରଣ ପିଲାଙ୍କ ସଂଖ୍ୟା ଆହୁରି ଅଧିକ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀ ଦର୍ଶାଇଛନ୍ତି। ‌‌ତାଙ୍କ କହିବା କଥା ହେଉଛି ଯେ ବହୁ ପିଲାଙ୍କୁ ସେମାନଙ୍କ ଅଭିଭାବକ ଟିକାକରଣ କରାଇଛନ୍ତି। ୩ଟି ବିଦ୍ୟାଳୟର ସବୁ ପିଲାଙ୍କୁ ଟିକା ଦିଆଯାଇଥିଲେ ବିଏମ୍‌ସି ପାଖରେ ତଥ୍ୟ ନାହିଁ। ୬ଷ୍ଠରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ସବୁ ପିଲା ୧୨ରୁ ୧୪ ବର୍ଷ ବୟସର ନୁହନ୍ତି। ଉଭୟଙ୍କ ତଥ୍ୟରେ ତାଳମେଳ ରହୁ ନ ଥିବାରୁ ପୁଣିଥରେ ତଥ୍ୟ ସଂଗ୍ରହ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି।

publive-image sfchronicle.com

ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମ୍‌ସି ନିକଟରେ ରିପୋର୍ଟ ଦାଖଲ କରିବେ। ତଥ୍ୟ ସଂଗ୍ରହ ପରେ ସ୍ବାସ୍ଥ୍ୟ ବିଭାଗ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିୟୁପିଏଚ୍‌ଓ) ମିଳିତ ଭାବେ ସ୍କୁଲଗୁଡ଼ିକରେ ଟିକାକରଣ କେନ୍ଦ୍ର କରିବା ନେଇ ଯୋଜନା ପ୍ରସ୍ତୁତ କରିବେ। ପିଲାମାନେ କିଭଳି ଟିକା ନେବେ ସେଥିପାଇଁ ସ୍କୁଲ କର୍ତୃପକ୍ଷମାନେ ଅଭିଭାବକଙ୍କୁ ମନାଇବେ। ଚଳିତ କୋଭିଡ୍‌ ସଂକ୍ରମଣରେ ଭୁବନେଶ୍ବରରେ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ତେଣୁ ଚିନ୍ତାର କୌଣସି କାରଣ ନାହିଁ। ସ୍କୁଲରେ ପ୍ରାର୍ଥନା ସମୟରେ କୌଣସି ପରିବର୍ତନ କି କଟକଣା ଲଗାଯିବ ନାହିଁ। ଏବେ ଯେମିତି ଚାଲିଛି ସେଭଳି ସବୁ କିଛି ଜାରି ରହିବ। ଗତକାଲି ତୁଳନାରେ ଆଜି ସହରରେ କରୋନା ସଂକ୍ରମଣ ହ୍ରାସ ପାଇଛି। ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାୟୁକ୍ତ ଶୁଭେନ୍ଦୁ କୁମାର ସାହୁ, ଏଡିୟୁପିଏଚ୍‌ଓ ଅନ୍ତର୍ଯ୍ୟାମୀ ମିଶ୍ର, ସିଟି ହେଲ୍‌ଥ ମ୍ୟାନେଜର ନେହା ରାଜପୁତ, ବିଏମ୍‌ସି ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ପ୍ରମୁଖ ବୈଠକରେ ସାମିଲ ‌ହୋଇଥିଲେ।