ବିଏମ୍‌ସିର ଗଣସଫେଇ: ଝାଡ଼ୁ ଧରିଲେ ମେୟର, କମିସନର

ଭୁବନେଶ୍ବର: ରାଜଧାନୀରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସ୍ବଚ୍ଛତାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଝାଡ଼ୁ ଧରିଛନ୍ତି। ବିଏମ୍‌ସି ପକ୍ଷରୁ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମ‌ରେ ରସୁଲଗଡ଼ ଅଞ୍ଚଳରେ ଆଜି ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟରଙ୍କ ସହ ମିଶି ଉଭୟ ଝାଡ଼ୁ ମାରିଛନ୍ତି। ଫ୍ଲାଏଓଭର୍‌ ତଳେ ଥିବା ‘ପବ୍ଲିକ୍‌ ଆର୍ଟ ମ୍ୟୁଜିୟମ୍‌’ ପରିସର ସମେତ ସମଗ୍ର ଅଞ୍ଚଳ ସଫେଇ କରିଛନ୍ତି। ସକାଳ ସାଢ଼େ ୬ରୁ ଦୁଇଘଣ୍ଟା କାଳ ଏହି ଗଣସଫେଇ କରାଯାଇଛି।ରସୁଲଗଡ଼ ଛକ ସହରର ପ୍ରବେଶ ସ୍ଥାନ ହୋଇଥିବାରୁ ଏହାକୁ ପରିଷ୍କାର ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

ଏଣୁ ଏହାକୁ ପ୍ରାଥମିକତା ଦିଆଯାଇଛି। ସହାରରେ ରାତିକାଳୀନ ସଫେଇ ଆରମ୍ଭ ହୋଇଛି। ଆଜି ବିଏମ୍‌ସି ଟିମ୍‌ ସହ ଅନ୍ୟ ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି। ସହଭାଗିତାରେ ଭୁବନେଶ୍ୱରକୁ ସ୍ୱଚ୍ଛ କରିବାରେ ଆମର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ।

ପରିମଳ ବ୍ୟବସ୍ଥାରେ ବିଏମ୍‌ସି ନେଇଥିବା ପଦକ୍ଷେପକୁ ସମର୍ଥନ ମିଳୁଛି। ପବ୍ଲିକ୍‌ ଇଣ୍ଟର୍‌ଫେସ୍‌ ଓ ମୋ ୱାର୍ଡ ବୈଠକରେ ସମାଜର ସବୁ ବର୍ଗର ଲୋକେ ସାମିଲ ହେଉଛନ୍ତି। ଆଗକୁ ଏଭଳି ଗଣସଫେଇ ଜାରି ରହିବ। ପ୍ରତ୍ୟେକ ନାଗରିକ ଏହିଭଳି ଗଣସଫେଇରେ ଯୋଗଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଛନ୍ତି କମିସନର ଶ୍ରୀ କୁଲାଙ୍ଗେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ, ଜେଡ୍‌ଡିସି (ଉତ୍ତର) ପୁରନ୍ଦର ନନ୍ଦ, ଜେଡ୍‌ଡିସି(ଦକ୍ଷିଣ ପୂର୍ବ) ପ୍ରିୟବ୍ରତ ପାଢ଼ୀ ଓ ସ୍ୱଚ୍ଛସାଥୀ।

ସମ୍ବନ୍ଧିତ ଖବର