ଖଣ୍ଡଗିରି: ଖଣ୍ଡଗିରି ପାହାଡ଼ରେ ପୂଜା ପାଇଆସୁଥିବା ହିନ୍ଦୁ ଦେବଦେବୀମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଆଜି ଏକ ସାଧୁସନ୍ଥ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ଉଦୟଗିରି ସୁରକ୍ଷା ମଞ୍ଚ ପକ୍ଷରୁ ପାନ୍ଥିକା ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାଧୁସନ୍ଥମାନେ ପ୍ରସିଦ୍ଧ କୁମ୍ଭମେଳା, ପ୍ରଭୁ ଅନନ୍ତକେଶରୀଙ୍କ ଉଦୟଗିରି ଯାତ୍ରା ଓ ମା’ ବାରଭୂଜାଙ୍କ ପୀଠରେ ଚାଲିଆସୁଥିବା ବିଭିନ୍ନ ପର୍ବପର୍ବାଣୀ ଆଦିର ସୁପରିଚାଳନା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଦିକ ସନାତନ ଧର୍ମ ଓ ସଂସ୍କୃତିର ରକ୍ଷା ଆଜିର ପ୍ରମୁଖ ଆହ୍ବାନ ବୋଲି ବକ୍ତାମାନେ କହିଥିଲେ।

Advertisment

କ୍ରିୟାଯୋଗ ଆଶ୍ରମର ଆଚାର୍ଯ୍ୟ ସ୍ବାମୀ ଶଙ୍କରାନନ୍ଦଜୀ ମହାରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇଥିଲେ। ଖଣ୍ଡଗିରି-ଉଦୟଗିରି ପ୍ରାଚୀନ ମୁନିଋଷିଙ୍କ କାଳରୁ ଏକ ସିଦ୍ଧପୀଠ ଓ ବୈଦିକ ସନାତନ ଧର୍ମର ଅନ୍ୟତମ ଆଦିପୀଠ ବୋଲି ସେ କହିଥିଲେ। ମା’ ବାରଭୂଜା ହେଉଛନ୍ତି ଆଖପାଖ ୫୦ ଖଣ୍ଡ ମୌଜାର ଆରାଧ୍ୟା ଦେବୀ। ତେଣୁ ଖଣ୍ଡଗିରି ପାହାଡ଼ସ୍ଥିତ ସମସ୍ତ ଦେବଦେବୀଙ୍କ ରକ୍ଷଣାବେକ୍ଷଣ ଆମ ଦାୟିତ୍ୱ ବୋଲି ସେ ଆହ୍ବାନ ଦେଇଥିଲେ। ବୈଦିକ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ସବୁ ପ୍ରକାର ଲଢ଼େଇରେ ସେ ସାମିଲ ହେବେ ବୋଲି ବିଧାୟକ ଶ୍ରୀ ସିଂ ମତ ରଖିବା ସହ ଉପସ୍ଥିତ ସାଧୁସନ୍ଥଙ୍କ ପ୍ରେରଣା ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଅନ୍ୟତମ ବକ୍ତା ତଥା ଆଦିତ୍ୟ ବାହିନୀର ସଦସ୍ୟ ଇଂ. ଟୁଲୁ ଆଚାର୍ଯ୍ୟ ବୈଦିକ ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ୍‌ ହେବାକୁ କହିଥିଲେ।

ଡ. ଇନ୍ଦ୍ରମଣି ଜେନା ଖଣ୍ଡଗିରି ଉଦୟଗିରିର ଇତିହାସ ଓ କିଂବଦନ୍ତୀ ଉପରେ ଆଲୋକପାତ କରିବା ସହିତ ପାହାଡ଼ସ୍ଥିତ ହିନ୍ଦୁ ଦେବଦେବୀଙ୍କ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସବୁବେଳେ ଏକ ବୋଲି କହିଥିଲେ। ସତ୍ୟଜିତ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ କୁମ୍ଭମେଳା ଆବାହକ ବାବା ପଞ୍ଚଦେବ, ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଓ ବହୁ ମଠାଧୀଶ ଉପସ୍ଥିତ ଥିଲେ। ମା’ ବାରଭୂଜା ପରିଚାଳନା କମିଟିର କର୍ମକର୍ତ୍ତା ନୃସିଂହ ସୁନ୍ଦରାୟ, ଦୀନବନ୍ଧୁ ଜେନା, ରଘୁନାଥ ମହାନ୍ତି, କର୍ପୋରେଟର୍‌ ରାମଚନ୍ଦ୍ର ରଣସିଂହ, ପୂର୍ବତନ କର୍ପୋରେଟର୍‌ ଅଶ୍ବିନୀ ସୁନ୍ଦରାୟ, ଲିଙ୍ଗରାଜ ଛୋଟରାୟ ଓ ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ସମାବେଶ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଏକ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।