ରାଜଧାନୀ ରାଜରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ: କଂକ୍ରିଟ୍‌ ସ୍ଲାବ୍‌ରେ ଛେଚି ମାରିଦେଲା

କଟକ ରୋଡ୍‌ରୁ ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ

ଭୁବନେଶ୍ବର : ବେଶ୍ କିଛିଦିନର ନିରବତା ପରେ ରାଜଧାନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ରାସ୍ତା କଡ଼ରେ ଲୋକଙ୍କ ସାମ୍ନାରେ କଂକ୍ରିଟ ସ୍ଲାବ୍‌ରେ ଛେଚି ଛେଚି ଜଣେ ଯୁବକକୁ ଅନ୍ୟ ଜଣକୁ ହତ୍ୟା କରିଛି। ଶନିବାର ସ୍ପଷ୍ଟ ଦିବାଲୋକରେ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଜନପଥର ସ୍ବସ୍ତି ଗ୍ରାଣ୍ଡ ହୋଟେଲ ସାମ୍ନାରେ ଘଟିଥିବା ଏହି ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଘଟଣାରେ ହତ୍ୟାକାରୀକୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରୁହା ଅଞ୍ଚଳର ସୁନୁ ସିଂ(୨୪)। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଭଦ୍ରକ ପୁରୁଣା ବଜାର ଥାନା ଭାଟ ମହଲା ଅଞ୍ଚଳର ଶେଖ୍ ଅବଦୁଲ(୩୫)। ଘଟଣାସ୍ଥଳରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ସିମେଣ୍ଟ ସ୍ଲାବକୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛି। ଅବଦୁଲଙ୍କ ଶରୀରରେ ବିଶେଷ ବାହ୍ୟ ଆଘାତ ନ ଥିଲେ ମଧ୍ୟ ଶବ ବ୍ୟବଚ୍ଛେଦରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ମୃତ ଶେଖ୍ ଅବଦୁଲ

ପୁଲିସ ସୂଚନା ଅନୁସାରେ, ସୁନୁ ଓ ଅବଦୁଲ ଷ୍ଟେସନ ଅଞ୍ଚଳରେ ମାଲଗାଡ଼ିରେ ଲୋଡିଂ ଏବଂ ଅନଲୋଡିଂ କାମ କରନ୍ତି। ସେମାନେ ଫୁଟପାଥରେ ରହନ୍ତି ଏବଂ ସ୍ବସ୍ତି ଗ୍ରାଣ୍ଡ ହୋଟେଲ ସାମ୍ନାରେ ଥିବା ଗଛତଳ ପିଣ୍ଡିରେ ବିଶ୍ରାମ ନିଅନ୍ତି। ପ୍ରାୟ ତିନି ମାସ ତଳେ ଉଭୟ ମଦ୍ୟପାନ କରି ଗଛ ତଳେ ବସି କଥାବାର୍ତ୍ତା ହେଲା ବେଳେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଅବଦୁଲ ଉତ୍‌କ୍ଷିପ୍ତ ହୋଇ ସୁନୁକୁ ମାଡ଼ ମାରିଥିଲା। ଏହାପରେ ସୁନୁ କିଛି ଦିନ ହେଲା ଗାଁକୁ ଚାଲିଯାଇଥିଲା। ତେବେ ଗତ ଶୁକ୍ରବାର ସେ ଭୁବନେଶ୍ବର ଆସିବା ପରେ ସେହି ଗଛ ତଳେ ପୁଣି ଉଭୟ ଏକାଠି ହୋଇଥିଲେ। ଶନିବାର ସେହି ସ୍ଥାନରେ ଉଭୟ ବିଶ୍ରାମ ନେଉଥିବା ବେଳେ ପୁଣିଥରେ ପୁରୁଣା କଥାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ଓ ଠେଲାପେଲା ହୋଇଥିଲା। ସେତିକିବେଳେ ସୁନୁ ନିକଟରେ ଫୁଟପାଥ୍‌ କାମରେ ବ୍ୟବହୃତ ସିମେଣ୍ଟ ସ୍ଲାବ୍ ଖଣ୍ଡ ଧରି ଅବଦୁଲ ଛାତି ଓ ପେଟକୁ ଲଗାତାର ଛେଚି ଚାଲିଥିଲା। ସେଠାରେ ଥିବା ଅନ୍ୟ ଶ୍ରମିକ ଓ ଲୋକମାନେ ପାଟି କରୁଥିଲେ ମଧ୍ୟ ସୁନୁ କାହା କଥା ଶୁଣି ନ ଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ପାଖକୁ ଦୌଡ଼ି ଆସିବାରୁ ସୁନୁ ସେଠାରୁ ଖସି ପଳାଇଥିଲା। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସଂକଟାପନ୍ନ ଅବସ୍ଥାରେ ଅବଦୁଲଙ୍କୁ ହସ୍ପିଟାଲ ନିଆଯାଇଥିଲା‌। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତା’ର ମୃତ୍ୟୁ ହୋଇଯାଇଥିଲା।

ଫେରାର ସୁନୁକୁ ଧରିବା ପାଇଁ ଖାରବେଳନଗର ଥାନାର ଏକାଧିକ ଟିମ୍ ଲାଗି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା, ସିସିଟିଭି ଫୁଟେଜ୍‌କୁ ଆଧାର କରି ସୁନୁର ହୁଲିଆ ଓ ଚେହେରା ସମ୍ପର୍କରେ ରେଳ ଷ୍ଟେସନ୍ ଆଖପାଖ ଅଞ୍ଚଳରେ ପୁଲିସ ବିଭିନ୍ନ ଲୋକଙ୍କୁ ପଚାରିଥିଲା। ତେବେ ରେଳ ଲାଇନ୍‌ ପାର ହୋଇ ସେହିଭଳି ଜଣେ ଲୋକ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା। ଶେଷରେ କଟକରୋଡ୍‌ର ବୁଦ୍ଧେଶ୍ବରୀ କଲୋନି ନିକଟରେ ସୁନୁ ଗଛ ମୂଳେ ବସିଥିବା ପୁଲିସ ଦେଖି ତାକୁ ଧରିବା ପାଇଁ ଯିବା ସମୟରେ ସେ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ତାକୁ ସେଠାରୁ କାବୁ କରିଥିଲା।

କ୍ୟାପିଟାଲ ହସ୍ପିଟାଲରେ ଆଜି ବ୍ୟବଚ୍ଛେଦ ପରେ ଅବଦୁଲଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀ ଲଲାଟ ପାଇକରାୟଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଖାରବେଳନଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତ ସୁନୁକୁ ଆଜି ଅପରାହ୍‌ଣରେ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର