ଜୟଦେବ ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ବିଶାଳ ପଦଯାତ୍ରା

ବାଲିପାଟଣା: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଜୟଦେବ ନିର୍ବାଚନ ମଣ୍ଡଳୀରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଶାସକ ଦଳର ବିଧାୟକ ଅରବିନ୍ଦ ଢାଲିଙ୍କ ସମର୍ଥକମାନେ ପଦଯାତ୍ରା କରିପାରୁ ନଥିବା ବିରୋଧୀ ଗୋଷ୍ଠୀ ଧୁମ୍‌ଧାମ୍‌ରେ ଜନସମ୍ପର୍କ ଶୋଭାଯାତ୍ରା କରୁଛନ୍ତି। ଆଜି ବିଧାୟକ ଶ୍ରୀ ଢାଲିଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ଏକ ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାପୁର ପଞ୍ଚାୟତ ତ୍ରିବେଣୀଶ୍ବର ମହାଦେବଙ୍କ ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଭାକରସାହି, ମଝିହରା, ଗୁଆପୁର, ମାର୍ଥାପୁର, ଦେଉଳିଧରପୁର ଓ ନରିଶୋ ଆଦି ପଞ୍ଚାୟତ ପରିକ୍ରମା କରିଥିଲା। ବାଜା, ବାଣ ଫୁଟାଇବା ସହ ଘୋଡ଼ା ନାଚ କରି ଦଳୀୟ କର୍ମୀଙ୍କ ଗହଣରେ ବିଧାୟକ ଢାଲିଙ୍କ ବିରୋଧୀମାନେ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ।

ଜୟଦେବ ବିଜେଡିର ଯୁବ ନେତା କମଳ କୁମାର ପାତ୍ର ଓରଫ୍‌ ଚନ୍ଦନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନା ଖାଁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ଜିଲ୍ଲା ପର୍ଯ୍ୟବେକ୍ଷକ କୈଳାଶ ପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ। ସେହିଭଳି ବାଲିଅନ୍ତା ବ୍ଲକ୍‌ ଅଧ୍ୟ୍ୟକ୍ଷା ବାସନ୍ତୀ ଖଟୁଆ, ବାଲିପାଟଣା ବ୍ଲକ୍‌ ଅଧ୍ୟ୍ୟକ୍ଷା ହରପ୍ରିୟା ଦାସ, ୪ ଜିଲ୍ଲା ପରିଷଦ ସଭ୍ୟ କୁନ୍‌ମୁନ ଲେଙ୍କା, ମଙ୍ଗରାଜ ବେହେରା, ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀ, ପବିତ୍ର ମୋହନ ପଟେଲ ମଧ୍ୟ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ବାଲିପାଟଣା ବ୍ଲକ୍‌ ବିଜେଡି ସଭାପତି କିଶୋର ଜେନା, ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ପୂର୍ବତନ ବ୍ଲକ୍‌ ଅଧ୍ୟ୍ୟକ୍ଷ କୃଷ୍ଣଚନ୍ଦ୍ର ପୃଷ୍ଟି ଓ ତ୍ରିବିକ୍ରମ ଦାଶ, ଯୁବନେତା ଦୀପ୍ତିମାନ ପୃଷ୍ଟି, ବାସୁଦେବ ପାଳ, ନବକିଶୋର ମଲ୍ଲିକ, ହରମୋହନ ସ୍ୱାଇଁ, କାବୁଲା ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟଙ୍କ ଭଳି ବହୁ ଜନପ୍ରତିନିଧି ଏବଂ କର୍ମୀମାନେ ଏଥିରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ବିଧାୟକ ଢାଲିଙ୍କ ଗୋଷ୍ଠୀ ଏଭଳି ପଦଯାତ୍ରା ଆୟୋଜନ କରିଥିଲେ ମଧ୍ୟ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର