ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଓଡ଼ିଶାର ପ୍ରଥମ ସ୍ମାର୍ଟ ସହର ହେଲା। କିନ୍ତୁ ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଥିବା ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡ୍ ଏବେ ସୁଦ୍ଧା ସ୍ମାର୍ଟ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ବସ୍ଷ୍ଟାଣ୍ଡ୍ରେ ପୂର୍ବଭଳି ଖଣ୍ଡିଆଖାବରା ରାସ୍ତା, ଆବର୍ଜନାମୟ ଓ ପୂତିଗନ୍ଧମୟ ପରିବେଶ ଭିତରେ ଯାତ୍ରୀମାନେ ଯାତ୍ରା କରୁଛନ୍ତି। ପୂର୍ତ୍ତ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ ଭିତରେ ସମନ୍ବୟ ଅଭାବରୁ ଏହି ବସ୍ଷ୍ଟାଣ୍ଡ୍ ଓ ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଭୁବନେଶ୍ବରj ସବୁଠୁ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡ୍ ଓ ଏହାର ସଂଲଗ୍ନ ରାସ୍ତାର ଏଭଳି ଦୃଶ୍ୟ ଓ ଦୟନୀୟ ସ୍ଥିତି ବିକାଶକୁ ଉପହାସ କରୁଛି।
ପୂର୍ତ୍ତ ବିଭାଗ ନା ନିଜେ ଏହାର ବିକାଶ କାମ କରୁଛି ନା ଅନ୍ୟ କାହାରିକୁ କରିବାକୁ ବାଟ ଛାଡ଼ୁଛି। ପରିଣାମ ସ୍ବରୂପ ବସ୍ଷ୍ଟାଣ୍ଡ୍ ଭିତର ଓ ବାହାର ଖାଲଖମାରେ ଭର୍ତ୍ତି ହୋଇଗଲାଣି। ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚରେ ଖାଲ। ତଥାପି ଭାଗ୍ୟକୁ ଆଦରି ପ୍ରତିଦିନ ଏହି ଖାଲଖମା ରାସ୍ତାରେ ଆମ ବସ୍, ଘରୋଇ ବସ୍ ସବୁ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛନ୍ତି।
ସେପଟେ ବସ୍ଷ୍ଟାଣ୍ଡ୍ର ପରିଛନ୍ନତା କଥା ନ କହିବା ଭଲ। ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା। ଶୌଚାଳୟ ପାଖରେ ଶୌଚ ପାଣି ବାହାରେ ଭାସୁଛି ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି।
]ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡ୍ ବହୁ ପୁରୁଣା। ଯେହେତୁ ରେଳ ଯାତ୍ରୀମାନେ ଭୁବନେଶ୍ବର ରେଳଷ୍ଟେସନ୍ରୁ ବାହାରି ଏଠାରୁ ଅନ୍ୟତ୍ର ଯାତ୍ରା କରିଥାନ୍ତି, ସେ ଦୃଷ୍ଟିରୁ ବସ୍ଷ୍ଟାଣ୍ଡ୍ର ଆବଶ୍ୟକତା ବି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ‘ଆମ ବସ୍’ର ବସ୍ଷ୍ଟାଣ୍ଡ୍ କଲେ। ଏଠାରେ ବ୍ୟାଟେରିଚାଳିତ ଆମ ବସ୍ର ଚାର୍ଜିଂ ଷ୍ଟେସନ୍ ବି ରହିଲା। ଆମ ବସ୍ ସହ ଘରୋଇ ବସ୍ ମଧ୍ୟ ଏଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ସହ ପୁରୀ, କଟକ ବାଙ୍କି, ଖୋର୍ଦ୍ଧା ଆଦି ସ୍ଥାନକୁ ଚଳାଚଳ କରୁଛି। ଆମ ବସ୍ ଓ ଘରୋଇ ବସ୍କୁ ମିଶାଇଲେ ଦୈନିକ ଶତାଧିକ ସଂଖ୍ୟାରେ ବସ୍ ଏହି ଷ୍ଟାଣ୍ଡ୍ରୁ ଚଳାଚଳ କରୁଛି। କିନ୍ତୁ ଏହାର ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ରାସ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିରାଟ ବିରାଟ ଖାଲରେ ଭରି ରହିଛି। ରାସ୍ତା ଫାଟି ଆଁ କଲାଣି। ବର୍ଷା ହେଲେ ଖାଲରେ ପାଣି ଭରି ଯାତ୍ରୀଙ୍କୁ ଅସୁବିଧାରେ ପକାଉଛି। ଅଭିଯୋଗ ହେଲେ ପୂର୍ତ୍ତ ବିଭାଗ କେବଳ ତାଳିପକା କାମ କରି ଦାୟିତ୍ବ ସାରି ଦେଉଛି।
ଏହି ବସ୍ଷ୍ଟାଣ୍ଡ୍ ଭୁବନେଶ୍ବର ମହାନଗର ନିଗମର ୪୧ ନମ୍ବର ୱାର୍ଡରେ ଆସୁଛି। କିନ୍ତୁ ଏ ସଂପର୍କରେ ୪୧ ନମ୍ବର କର୍ପୋରେଟର୍ କବିତା ସ୍ବାଇଁ କିଛି ଜାଣିନଥିବା କହିଛନ୍ତି। ଭୁବନେଶ୍ବର ମହାନଗର ନିଗମ ସିଟି ଇଂଜିନିୟର ଇଂ. ବିଳାସ କୁମାର ବେହେରା କହିଛନ୍ତି, ଉଭୟ ବସ୍ଷ୍ଟାଣ୍ଡ୍ ଓ ଏହା ସଂଲଗ୍ନ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏଣୁ ଆମେ କିଛି ବିକାଶ କାମ କରିପାରୁନୁ। କେବଳ ପୂର୍ତ୍ତ ବିଭାଗ ହିଁ ଏହି କାମ କରି ପାରିବ। ଏ ଦିଗରେ ଆମେ ପୂର୍ତ୍ତ ବିଭାଗକୁ ଚିଠି କରିବୁ ବୋଲି ଇଂ. ବେହେରା କହିଛନ୍ତି।