ମାଷ୍ଟରକ୍ୟାଣ୍ଟିନ୍‌ରୁ ଶିଶୁପୁତ୍ର ଅପହରଣ ମାମଲା: ‌ଗୋଳନ୍ଥରାରୁ ଧରା ପଡ଼ିଲା ଅପହର୍ତ୍ତା

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ରୁ ନିଖୋଜ ହୋଇ ଯାଇଥିବା ବିହାରୀ ଦମ୍ପତିଙ୍କ ୪ ବର୍ଷର ଶିଶୁପୁତ୍ର ଦୀର୍ଘ ୧୨ ଦିନ ପରେ ଗତକାଲି ରହସ୍ୟଜନକ ଭାବେ ଭୁବନେଶ୍ବର ରେଳ‌ ଷ୍ଟେସନ୍‌ରୁ ମିଳିବା ଘଟଣା ନୂଆମୋଡ଼ ନେଇଛି। ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ନେଇ ଖାରବେଳନଗର ଥାନା ପୁଲିସର ଅନୁମାନ ସତ ହୋଇଛି। ଷ୍ଟେସନ୍‌‌ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଛାନ୍‌ଭିନ୍‌ କରି ଅପହର୍ତ୍ତାକୁ ଚିହ୍ନଟ କରିଥିବା ବେଳେ ଏହି ଅପହରଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମର ଜଣେ ମହିଳାଙ୍କୁ ଧରି ଗ୍ରାମବାସୀ ଗୋଳନ୍ଥରା ଥାନା ଜିମା ଦେଇଛନ୍ତି। ଖବର ମିଳିବା ପରେ ଖାରବେଳ ନଗର ଥାନା ପୁଲିସର ଏକ ଟିମ୍‌ ଗଞ୍ଜାମ ଅଭିମୁଖେ ବାହାରିଛି। ଆସନ୍ତାକାଲି ସମ୍ପକ୍ତ ମହିଳାଙ୍କୁ ଭୁବନେଶ୍ବର ଅଣାଯିବ ବୋଲି ସୂଚନା ମିଳିିଛି।

ସୂଚନା ମୁତାବକ, ମହିଳାଜଣକ ଗୋଳନ୍ଥରା ଅଞ୍ଚଳରେ ଜଣେ କ୍ବାକ୍‌ ଭାବରେ କାମ କରନ୍ତି। ବିଭିନ୍ନ ସମୟରେ ସେ ଭୁବନେଶ୍ବର ଆସନ୍ତି। ମହିଳାଙ୍କ କହିବା ମୁତାବକ, ଘଟଣା ଦିନ ଶିଶୁପୁତ୍ର ପାଖରେ ବାପା ମା’ କେହି ନଥିଲେ। ସେ ଇତଃସ୍ତତଃ ହୋଇ ଷ୍ଟେସନ୍‌ ପରିସରରେ ଘୂରି ବୁଲୁଥିଲା। ଏଣୁ ତାକୁ ସେ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଶିଶୁପୁତ୍ରକୁ ଏଭଳି ନେଇଯିବା ଅପରାଧ ହୋଇଥିବାରୁ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ଯେଉଁଦିନ ସମ୍ପୃକ୍ତ ମହିଳା ଶିଶୁପୁତ୍ରକୁ ନେଇ ଗ୍ରାମରେ ପହଞ୍ଚିଥିଲେ, ଗ୍ରାମବାସୀ ସନ୍ଦେହ କରିଥିଲେ। କିନ୍ତୁ ୧୦ ଦିନ ଧରି ଶିଶୁପୁତ୍ରକୁ ନେଇ ତନାଘନା ନ ହେବାରୁ ଗ୍ରାମବାସୀ ଏହା ଉପରେ ନଜର ଦେଇ ନ ଥିଲେ। ଏ ସଂପର୍କରେ ‘ସମ୍ବାଦ’ରେ ଫଟୋ ସହ ଖବର ପ୍ରକାଶ ପାଇବା ପରେ ଲୋକମାନେ ଶିଶୁପୁତ୍ରକୁ ଫଟୋରୁ ଚିହ୍ନିଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ମହିଳା ଶିଶୁପୁତ୍ରକୁ ଟ୍ରେନ୍‌ରେ ଆଣି ଷ୍ଟେସନ୍‌ରେ ଛାଡ଼ି ପଳାଇଥିଲେ। ମହିଳାଜଣକ ଯାଇ ଗୋଳନ୍ଥରା ପହଞ୍ଚିବା ବେଳକୁ ସେଠାରେ ଗ୍ରାମବାସୀ ତାଙ୍କୁ ଜଗି ରହିଥିଲେ। ସେମାନେ ମହିଳାଙ୍କୁ ଆଣି ପୁଲିସ ଜିମା ଦେଇଥିଲେ। ଏ ନେଇ ଗୋଳନ୍ଥରା ଥାନା ପୁଲିସ ସଚେତନ ଥିବାରୁ ତୁରନ୍ତ ଖାରବେଳନଗର ଥାନା ପୁଲିସକୁ ଖବର ଦେଇଥିଲା।

ସୂଚନା ମୁତାବକ, ବିହାର ମୁଜାଫରପୁର ତେରିଆରର ଅରୁଣ ଖରାର୍‌ ତିନି ପିଲା ଓ ପତ୍ନୀଙ୍କ ସହ ପୁରୀ ବୁଲିବା ପାଇଁ ଆସିଥିଲେ। ଗତ ୮ ତାରିଖ ଦିନ ପୁରୀରୁ ଫେରି ଟ୍ରେନ୍‌ରେ ବିହାର ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଜଳଖିଆ ଖାଉଥିବା ବେଳେ ୪ବର୍ଷର ଶିଶୁପୁତ୍ର ଆଦର୍ଶ ନିଖୋଜ ହୋଇଯାଇଥିଲା‌। ୯ ତାରିଖ ଦିନ ଅରୁଣ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର