ଗାଁ ସାଥୀ ମେଟ୍‌ର ନିଆରା ବିକ୍ଷୋଭ ପ୍ରଦର୍ଶନ, ପରିବା ହାଟ ପାଲଟିଲା ମାଷ୍ଟରକ୍ୟାଣ୍ଟିନ୍‌: କେଜି ଟଙ୍କାଏରେ ବିକିଲେ ପରିବା

ମାସିକ ୮ ହଜାର ଟଙ୍କା ଦାବି, ଡିସେମ୍ବର ୧ରୁ ଆମରଣ ଅନଶନ

ଭୁବନେଶ୍ବର: ‘ପୋଟଳ କିଲୋ ଟଙ୍କାଏ। ଆଜ୍ଞା ନିଅନ୍ତୁ। ବାଇଗଣ କିଲୋ ଟଙ୍କାଏ। ଆଜ୍ଞା ସବୁ ପରିବା କେଜି ଟଙ୍କାଏ। ହର୍‌କେ ମାଲ୍‌ ଟଙ୍କାଏ। ସରିଯିବ ଆଜ୍ଞା। ଶୀଘ୍ର ନିଅନ୍ତୁ। ସବୁ ତଟକା ପରିବା ବାବୁ। କିଛି ବାସି ନାହିଁ କି ପୋକଡ଼ା, ପଚାସଢ଼ା ନାହିଁ।’ ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏଭଳି ଡାକ ଏକ ପରିବା ହାଟର ଭ୍ରମ ସୃଷ୍ଟି କରିଥିଲା। ତେବେ କଥା ମିଛ ନଥିଲା। ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ଗାଁ ସାଥୀମାନେ ଏମିତି ଡାକ ଛାଡ଼ୁଥିଲେ। ସେମାନଙ୍କ ହାତରେ ବି ପରିବା ଝୁଡ଼ିଥିଲା। କିଛି ବିକ୍ଷୋଭକାରୀ ମଧ୍ୟ ପରିବା ଝୁଡ଼ି ମୁଣ୍ଡାଇ ଗ୍ରାହକଙ୍କୁ ଡାକ ପକାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କିଛି ବୁଝିନପାରି ପରିବା କିଣିବା ପାଇଁ ଅଟକି ଯାଉଥିଲେ। ମାତ୍ର ପରେ ସେମାନେ ବିକ୍ଷୋଭକାରୀ ଗାଁ ସାଥୀ ବୋଲି ବୁଝିବା ପରେ ହସିହସି ଫେରି ଯାଉଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଗାଁ ସାଥୀ ମେଟ୍‌ର ଏହି ଅଭିନବ ବିକ୍ଷୋଭ ପ୍ରଦର୍ଶନ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ବିଭିନ୍ନ ଦାବି ନେଇ ଗାଁସାଥୀ ମେଟ୍ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଏହି ଅଭିନବ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପରିବା ବଜାର ତାତିରେ ଲୋ‌‌କେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଗାଁ ସାଥୀମାନେ ପତ୍ରକୋବି, ବାଇଗଣ, ଶାଗ, କୁନ୍ଦୁରି, ପୋଟଳ ଭଳି ଅନ୍ୟ ବିଭିନ୍ନ ସବୁଜ ପରିବା ଧରି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ଲକ୍ଷ୍ମୀଧର ବିଶ୍ବାଳଙ୍କ ନେତୃତ୍ବରେ ୫୦୦ ରୁ ଅଧିକ ବରଗଡ଼ ଜିଲ୍ଲାର ଗାଁ ସାଥୀ ସଂଗଠକମାନେ ୧ଟଙ୍କା ଦରରେ ପରିବା ବିକ୍ରି କରିଥିଲେ। ତେବେ ଏହା ପରେ ସେମାନେ ନବୀନ ନିବାସ ଅଭିମୁଖେ ବାହାରିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ଓ କିଛି ସମୟ ପାଇଁ ପୁଲିସ ବଳ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ସୂଚନାଯୋଗ୍ୟ, ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଥିଲା ମାସିକ ୮ ହଜାର ଟଙ୍କାରୁ ଅଧିକ ପୋତ୍ସାହନ ରାଶି ପ୍ରଦାନ, ସମସ୍ତ ଗାଁସାଥୀଙ୍କୁ ସର୍ବନିମ୍ନ ୧୦ଦିନର ନିଶ୍ଚିତ କର୍ମଯୋଗାଣ, ଗାଁ ସାଥୀଙ୍କୁ ମହାମାରୀ ସମୟରେ ୨୦ ହଜାର ଟଙ୍କାର ସହୟତା ପ୍ରଦାନ, ମନରଗା ଯୋଜନାରେ ସମସ୍ତ ଜବ୍‌ କାର୍ଡଧାରୀଙ୍କୁ ୧୦୦ ଦିନ ନିଶ୍ଚିତ କର୍ମଯୋଗାଣ, ଦୈନିକ ୩ ଶହ ଟଙ୍କାରୁ ଅଧିକ ମଜୁରି ପ୍ରଦାନ ବ୍ୟବସ୍ଥା। ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୧ରୁ ଗାଁ ସାଥୀମାନେ ଆମରଣ ଅନଶନ କରିବେ ଓ ଡିସେମ୍ବର ୬ରେ ବିଧାନସଭା ଘେରାଉ କରିବେ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର