ମାଟିରେ ମିଶିଲା ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର

ହୋମିଓପ୍ୟାଥି ମେଡିକାଲ କଲେଜ ପାଖରେ ହେବ ମା’ଙ୍କ ନୂଆ ମନ୍ଦିର

ଭୁବନେଶ୍ବର: ଦୀର୍ଘ ବର୍ଷର ଅଦାଲତି ଲଢ଼େଇ ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ଆଜି ଉଚ୍ଛେଦ କରିବାକୁ ସକ୍ଷମ ହୋଇଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)। ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହାୟତାରେ ଏହାକୁ ଭାଙ୍ଗି ଦିଆଯାଇଛି। ତେବେ ଆସ୍ଥାନ ଉଚ୍ଛେଦ କରାଯାଇନାହିଁ। ଏକ ଶୁଭ ବେଳା ଦେଖି ପ୍ରତିମାଙ୍କୁ ସ୍ଥାନାନ୍ତର କରିବାକୁ ପୂଜକ ସନାତନ ନାୟକ ଅନୁରୋଧ କରିବା ପରେ ତାଙ୍କୁ ଏହି ସୁଯୋଗ ଦିଆଯାଇଛି। ତାରିଣୀଙ୍କର ମନ୍ଦିର ପ୍ରତିଷ୍ଠା କରିବା ପାଇଁ ବିଏମସି ପକ୍ଷରୁ ୟୁନିଟ୍-୩ସ୍ଥିତ ହୋମିଓପ୍ୟାଥି ମେଡିକାଲ କଲେଜ ପାଖରେ ମନ୍ଦିର ପରିଚାଳନା କମିଟିକୁ ୧୦୦୦ ବର୍ଗପୁଟର ଜାଗା ଯୋଗାଇ ଦିଆଯାଇଛି। ସେଠାରେ ଅସ୍ଥାୟୀ ଘର ମଧ୍ୟ କରି ଦିଆଯାଇଛି। ଖୁବ୍‌ ଶୀଘ୍ର ସେହି ଅସ୍ଥାୟୀ ଘରକୁ ପ୍ରତିମା ସ୍ଥାନାନ୍ତର ହେବେ ବୋଲି ଜଣାପଡ଼ିଛି।

ଜନପଥ କଡ଼ରେ ଥିବା ଏହି ମନ୍ଦିରକୁ ଉଚ୍ଛେଦ କରିବାକୁ ବିଏମ୍‌ସି ବାରମ୍ବାର ଉଦ୍ୟମ କରିଥିଲା। ହେଲେ ମାମଲା କୋର୍ଟରେ ପହଞ୍ଚିଥିବାରୁ ଉଚ୍ଛେଦ ସମ୍ଭବ ହୋଇନଥିଲା। ବର୍ଷ ବର୍ଷ ଧରି ମାମଲା କୋର୍ଟରେ ଗଡ଼ୁଥିଲା। ଏବେ ବି ମାମଲା କୋର୍ଟରେ ଅଛି। ଶୁଣାଣି ମେ ୧୫କୁ ରହିଛି। କିନ୍ତୁ ଏହା ପୂର୍ବରୁ ମନ୍ଦିର ପରିଚାଳନା କମିଟି ଓ ବିଏସ୍‌ସିଏଲ୍‌ ମଧ୍ୟରେ ବୁଝାମଣା ହୋଇଥିଲା। ନୂଆ ମନ୍ଦିର ନିର୍ମାଣ ପାଇଁ ବିଏମ୍‌ସି ଜମି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଥିଲା। ହୋମିଓପ୍ୟାଥି ମେଡିକାଲ କଲେଜ ନିକଟରେ ଜମି ଠିକ୍‌ ହେଲା।

ତେଣୁ ୧୪ରୁ ୨୦ ତାରିଖ ଭିତ‌ରେ ମା’ଙ୍କ ପ୍ରତିମା ସ୍ଥାନାନ୍ତର କରିଦେବାକୁ ମନ୍ଦିର କମିଟିର ସଦସ୍ୟମାନେ ଲିଖିତ ଭାବେ ବିଏସ୍‌ସିଏଲ୍‌କୁ ଜଣାଇଥିଲେ। କିନ୍ତୁ ସେମାନେ ସ୍ଥାନାନ୍ତର ନ କରିବାରୁ ଆଜି ବିଏସ୍‌ସିଏଲ୍‌ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଦୀର୍ଘ ଦିନ ବିଏମ୍‌ସି ଏହି ଉଚ୍ଛେଦ ପାଇଁ ଲଢ଼େଇ କରିବା ପରେ ଏକ ପ୍ରକାର ହାତ ଟେକି ଦେଇଥିଲା। ଇତିମଧ୍ୟରେ ଜନପଥକୁ ସ୍ମାର୍ଟ ଜନପଥ କରିବା ପାଇଁ ବିଏସ୍‌ସିଏଲ୍‌ ପ୍ରକଳ୍ପ କାମ ଆରମ୍ଭ କରିଥିଲା। ରାସ୍ତାକଡ଼ରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ ହୋଇ ଯାଇଥିଲେ ମଧ୍ୟ ଏହି ତାରିଣୀ ମନ୍ଦିର ରହିଯାଇଥିଲା। ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ ଏହାକୁ ଉଚ୍ଛେଦ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ପୂର୍ବରୁ ଏହ‌ାର ରୋଷଘର, ବୈଠକ ଖାନା ଓ ମନ୍ଦିରକୁ ଲାଗି ରହିଥିବା ଅନ୍ୟାନ୍ୟ ନିର୍ମାଣ ଉଚ୍ଛେଦ ହୋଇଥିଲା। ମନ୍ଦିରକୁ ଉଚ୍ଛେଦ କରିବାକୁ ଶ୍ରୀ ସିଂହ କମିଟି ସହ ଆଲୋଚନା‌ କରିଥିଲେ। ଶେଷ‌ରେ ମନ୍ଦିର ପାଇଁ ଜାଗା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। କମିଟି ନିଜେ ମା’ଙ୍କ ପ୍ରତିମା ସ୍ଥାନାନ୍ତର କରିବା ପାଇଁ ଲିଖିତ ଅଣ୍ଡରଟେକିଂ ‌ଦେଇଥିଲା। ହେଲେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ମା’ଙ୍କ ପ୍ରତିମା ସ୍ଥାନାନ୍ତର ନହେବାରୁ ଆଜି ବିଡିଏର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଥିଲା।

ସମ୍ବନ୍ଧିତ ଖବର