ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ...। ଭୁବନେଶ୍ବରକୁ ଆସୁଥିବା ଆଗନ୍ତୁକଙ୍କ ଭିତରେ ଏ ନାମ ବେଶ୍ ପରିଚିତ। ହଜାର ହଜାର ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ। କାରଣ ଏଠାରେ ରହିଛି ଭୁବନେଶ୍ବର ରେଳଷ୍ଟେସନ। ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ହେଉ ବା ରେଳଷ୍ଟେସନ... ଆଗନ୍ତୁକଙ୍କ ମଧ୍ୟରେ ‘ମାଷ୍ଟରକ୍ୟାଣ୍ଟିନ’ ପାଲଟିଛି ଭୁବନେଶ୍ବରର ପରିଚୟ। ତେବେ ଏହାର ନାଁ ବଦଳିବ ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ମୁତାବକ, ‘ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ। ଏନେଇ ବିଚାର ବିମର୍ଶ ଚାଲିଛି।’ କେତେକ ଏହାକୁ ସମର୍ଥନ ଜଣାଇଥିବା ବେଳେ କେତେକ ଏହାର ବିରୋଧ କରିଛନ୍ତି। ବାସ୍ତବରେ ‘ମାଷ୍ଟରକ୍ୟାଣ୍ଟିନ’ ଇଂରେଜ ଅମଳର ନାଁ ନୁହେଁ। ରାଜଧାନୀ ପ୍ରତିଷ୍ଠା ହେବା ସମୟରେ ଏକ କ୍ୟାଣ୍ଟିନର ନାମାନୁସାରେ ସ୍ଥାନୀୟ ଲୋକ, ସରକାରୀ କର୍ମଚାରୀ ଓ ଆଗନ୍ତୁକଙ୍କ ମୁଖରୁ ସ୍ବତଃ ବାହାରିଥିବା ଏକ ନାଁ ଅଟେ।
ଏହି ‘ମାଷ୍ଟରକ୍ୟାଣ୍ଟିନ’ ନାଁଟି ରାଜଧାନୀ ପ୍ରତିଷ୍ଠା ସମୟର ଇତିହାସ ବହନ କରୁଛି। ରାଜଧାନୀ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ଅର୍ଥାତ ୧୯୪୯ରୁ ୫୧ ମସିହାର କଥା। ଭୁବନେଶ୍ବରରେ ରାଜଧାନୀ ନିର୍ମାଣ ଆରମ୍ଭ ହୋଇଥାଏ। ବିଧାନସଭା କୋଠା, ରାଜ୍ୟ ଅତିଥିଭବନ ଓ ବିଭିନ୍ନ ଅଟ୍ଟାଳିକା ନିର୍ମାଣ ପାଇଁ ପଞ୍ଜାବର ‘ମାଷ୍ଟର କନ୍ଷ୍ଟ୍ରକ୍ସନ୍ କମ୍ପାନି’ର ମାଲିକ ବାବୁରାମ ଲାମ୍ବାଙ୍କୁ ଠିକା ମିଳିଥିଲା। ନୂଆ ରାଜଧାନୀରେ କାମ ତଥା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଠିକାଦାର ଲାମ୍ବା ସେତେବେଳେ ହଂସ ପାଞ୍ଚଭାଇ କାଳୁରାମ ହଂସ, ଈଶ୍ବରଦାସ ହଂସ, ଲାଲ୍ଚାନ୍ଦ ହଂସ, ଚୁନ୍ରିଲାଲ୍ ହଂସ ଓ ଆଉଜଣେ ଭାଇଙ୍କୁ ଏଠାକୁ ଡାକି ଆଣିଥିଲେ। ପାକିସ୍ତାନର କ୍ବେଟା ସହରରୁ ଆସି ଦିଲ୍ଲୀ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇ ଜୀବିକା ଅନ୍ବେଷଣରେ ଥିବା ଏହି ଭାଇମାନେ ଭୁବନେଶ୍ବର ଚାଲିଆସିଥିଲେ।
ସେତେବେଳେ ରାଜଧାନୀ ଗଠନର କାମ ଯଥା ୟୁନିଟ୍-୧, ୟୁନିଟ୍-୨, ଭୁବନେଶ୍ବର ରେଳଷ୍ଟେସନ, ବିଭିନ୍ନ ସରକାରୀ କୋଠା ଆଦିର ନିର୍ମାଣ ଜୋର୍ସୋର୍ରେ ଚାଲିଥାଏ। ଏସବୁ ନିର୍ମାଣରେ ନିୟୋଜିତ ଇଂଜିନିୟର୍, ଶ୍ରମିକ ଆଦିଙ୍କ ଖାଇବା ପାଇଁ ଏହି ପାଞ୍ଚଭାଇ ମିଶି ଚାଳଛପର ଘର କରି ଏକ କ୍ୟାଣ୍ଟିନ୍ ଖୋଲିଥିଲେ। କ୍ୟାଣ୍ଟିନର ନାମ ରହିଲା ‘ମାଷ୍ଟରକ୍ୟାଣ୍ଟିନ୍’। ଏହି କ୍ୟାଣ୍ଟିନ୍ ସେତେବେଳେ ସମସ୍ତଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଏହି କ୍ୟାଣ୍ଟିନ୍ ଯୋଗୁ ଧୀରେଧୀରେ ଭୁବନେଶ୍ବର ରେଳଷ୍ଟେସନ ଛକକୁ ଲୋକେ ‘ମାଷ୍ଟରକ୍ୟାଣ୍ଟିନ୍’ କହିବା ଆରମ୍ଭ କରିଦେଇଥିଲେ। ସେବେଠାରୁ ଛକଟି ଏହି ନାମରେ ପରିଚିତ ହୋଇଆସୁଛି। ହେଲେ ରାଜଧାନୀର ଏହି ପ୍ରମୁଖ ଛକର ନାମ ମାଷ୍ଟରକ୍ୟାଣ୍ଟିନ୍ରୁ ବଦଳ ଅନ୍ୟ କିଛି ରହିଲେ, କିଛି ଅସୁବିଧା ତ’ ହେବ ନାହିଁ। କିନ୍ତୁ ସମୟ ଗର୍ଭରେ ରାଜଧାନୀ ପ୍ରତିଷ୍ଠା ସମୟର ଏହି ଛୋଟଛୋଟ କାହାଣୀ ହଜିଯିବ ବୋଲି ଐତିହାସିକମାନେ କହିଛନ୍ତି। ଏଥିସହ ଭିନ୍ନ ଭିନ୍ନ ଧରଣର ନାମକରଣ ସହରକୁ ବିବିଧତା ଦେଇଥାଏ।
ଭିନ୍ନ ଭିନ୍ନ ନାଁ ଦ୍ବାରା ଇତିହାସ ବଞ୍ଚିରହେ
ମାଷ୍ଟରକ୍ୟାଣ୍ଟିନ୍ର ନାଁ କୌଣସି ସରକାର ଦେଇନଥିଲେ। ଏହା ଜନଶ୍ରୁତିରୁ ବାହାରିଥିବା ଏକ ନାମ, ଯାହାକି ଆଜି ବି ଭୁବନେଶ୍ବରର ଏକ ଆଇକନିକ୍ ନାଁ ହୋଇରହିଛି। ୧୯୬୪ ମସିହାରୁ ସେଠାରେ କ୍ୟାଣ୍ଟିନ୍ଟି ଆଉ ନାହିଁ। କିନ୍ତୁ ଲୋକମାନଙ୍କ ମଧ୍ୟରେ ଏହି ନାଁ ରହିଯାଇଛି। ସରକାର ଯେତେ ନାଁ ବଦଳାଇଲେ ବି ଲୋକଙ୍କ ଭିତରେ ଏହି ଅଞ୍ଚଳ ନାଁ ମାଷ୍ଟରକ୍ୟାଣ୍ଟିନ୍ ହିଁ ରହିବ। ମାଷ୍ଟରକ୍ୟାଣ୍ଟିନ୍, ଲୁଇସ୍ ରୋଡ୍, ସାନିଟାରିୟମ୍ ଛକ, ଆନିହାଉସ୍ ଛକ ଏହିଭଳି ଏକ ସହରର ବିଭିନ୍ନ ଅଞ୍ଚଳର ନାମକରଣ ଦ୍ବାରା ଭବିଷ୍ୟ ପିଢ଼ି ସବୁବେଳେ ଏହାର ନାଁ ପଛର କାରଣ ଖୋଜିବେ। ଫଳରେ ଆମ ଇତିହାସ ଏହି ନାଁ ଦ୍ବାରା ହିଁ ଜୀବିତ ରହିପାରିବ।
ଅନୀଲ ଧୀର, ବିଶିଷ୍ଟ ଐତିହାସିକ
ସମକାଳୀନ ଇତିହାସର ସାକ୍ଷୀ ‘ମାଷ୍ଟରକ୍ୟାଣ୍ଟିନ୍’
ମାଷ୍ଟରକ୍ୟାଣ୍ଟିନ୍ ନାମ ପରିବର୍ତ୍ତନ ଅପ୍ରାସଙ୍ଗିକ ମନେହୁଏ। ମଝିରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବି ନାମ ପରିବର୍ତ୍ତନ ପାଇଁ ମସୁଧା ଚାଲିଥିଲା। ଏମିତି ହେଲେ ଏହି ସବୁ ନାଁ ବହନ କରୁଥିବାରୁ ସମକାଳ ଇତିହାସ, କାଳଗର୍ଭରେ ଲୀନ ହୋଇଯିବ। ଏଣୁ ଯେମିତି ଯାହା ନାମ ଅଛି ସେମିତି ରହିଲେ, ସହର ଓ ରାଜ୍ୟର ବିବିଧତା ତଥା ବିଭିନ୍ନତା ଅକ୍ଷୁଣ୍ଣ ରହିବ। ଏଣୁ ଏସବୁ ଅପ୍ରାସଙ୍ଗିକ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଜନ୍ମେଜୟ ପ୍ରଧାନ, ସମ୍ପାଦକ, ଶିଶୁ କଲମ