ସମାନ୍ତରାଳ ରାସ୍ତା ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଟ୍ରାଫିକ୍‌ ଭିଡ଼ କମାଇବା ଚିନ୍ତା

ସୈନିକ ସ୍କୁଲରୁ ନିର୍ମାଣ ହେବ ୬ ଥାକିଆ ରାସ୍ତା

ଚନ୍ଦ୍ରଶେଖରପୁର : ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ସୈନିକ ସ୍କୁଲ୍‌ ମୁଖ୍ୟ ଗେଟ୍‌ରୁ ଡମଣା ଛକ ପର୍ଯ୍ୟନ୍ତ ହେବାକୁ ଥିବା ୩.୪୯ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବିକଳ୍ପ ସମାନ୍ତରଳ ରାସ୍ତା ନିମନ୍ତେ ପ୍ରାୟ ୩୩କୋଟି ଟଙ୍କା ବ୍ୟୟ କରାଯିବ। ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ସୈନିକ ସ୍କୁଲ୍‌ ମୁଖ୍ୟ ଫାଟକ ନିକଟରୁ ଆରମ୍ଭ ହେବାକୁ ଥିବା ଏହି ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ। ସୈନିକ ସ୍କୁଲ୍‌ରୁ ମଞ୍ଚେଶ୍ୱର ରେଲେଓ୍ଵ ହସ୍ପିଟାଲ୍‌-ରେଲେଓ୍ଵ ଓ୍ଵାର୍କସପ୍‌ କଲୋନି-କେନ୍ଦ୍ରୀୟ ବିଦ୍ୟାଳୟ-୩-ନେତାଜୀ ସୁଭାଷ ଏନ୍‌କ୍ଲେଭ୍‌-ଗୁରୁ କେଳୁଚରଣ ପାର୍କ ହୋଇ ଏହି ବିକଳ୍ପ ରାସ୍ତା ଡମଣା ଛକ ସହିତ ସଂଯୁକ୍ତ ହେବ। ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ ଫୁଟ୍‌ପାଥ ରହିବା ସହିତ ସାଇକେଲ୍‌ ଟ୍ରାକ୍‌ର ବ୍ୟବସ୍ଥା ମଧ୍ୟ କରାଯିବ। ବନ୍ୟାଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ସହିତ ସାଧାରଣ ଡ୍ରେନେଜ୍‌ ବ୍ୟବସ୍ଥାର ବନ୍ଦୋବସ୍ତ ଏହି ରାସ୍ତାରେ ରହିବ। ସ୍ଥାନୀୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ମଧ୍ୟରେ ଏକ ଅଣ୍ଡରପାସ୍‌ ନିର୍ମାଣ ହେବ। ସେହିପରି ସୈନିକ ସ୍କୁଲ୍‌ ନିକଟରେ ଭିଡ଼ କମାଇବା ତଥା ରାସ୍ତା ଅତିକ୍ରମ କରିବାରେ ସୁବିଧା ନିମନ୍ତେ ଏକ ଫୁଟ୍‌ ଓଭରବ୍ରିଜ୍‌ ମଧ୍ୟ ନିର୍ମାଣ କରାଯିବ। ଏହି ବିକଳ୍ପ ରାସ୍ତା ନିମନ୍ତେ ବିଡ଼ିଏ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଏଥିନିମନ୍ତେ ଡମଣା ନିକଟରେ ଥିବା ଜବରଦଖଲକୁ ହଟାଯାଇଛି। ୬ଲେନ୍‌ ବିଶିଷ୍ଟ ଏହି ରାସ୍ତା ନିମନ୍ତେ କିଛି ଘରୋଇ ଜାଗା ଯାଉଥିବାରୁ ଏଥିନିମନ୍ତେ ଆଲୋଚନା ଚାଲିଥିବା ସୂଚନା ମିଳିଛି।

ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଗଲେ ବିମାନବନ୍ଦରରୁ ନନ୍ଦନକାନନ ଯାଉଥିବା ପର୍ଯ୍ୟଟକ ତଥା ସର୍ବସାଧାରଣ ଏହି ରାସ୍ତାକୁ ବ୍ୟବହାର କରିପାରିବେ। ଏହାଦ୍ୱାର ସମୟ ବଞ୍ଚିବା ସହିତ ଏହି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ସୁବିଧା ପାଇବେ। ଏହି ବିକଳ୍ପ ରାସ୍ତା ଫଳରେ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ଉପରେ ଚାପ ଅନେକ ପରିମାଣରେ କମ୍‌ ହୋଇଯିବ। ସେହିପରି ନନ୍ଦନକାନନ ପଟୁ ଆସୁଥିବା ପଥଚାରୀ ମଧ୍ୟ ଏହି ରାସ୍ତା ବ୍ୟବହାର କରିପାରିବେ।

ଉଲ୍ଲେଖଯୋଗ୍ୟଯେ ୨୦୩୦ ସୁଦ୍ଧା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜନସଂଖ୍ୟା ୭ଲକ୍ଷ ଟପିଯିବ। ଏବେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଜୟଦେବବିହାର- ନନ୍ଦନକାନନ ଚାରିଥାକିଆ ରାସ୍ତା ଭିଡ଼ ନିୟନ୍ତ୍ରଣରେ ଫେଲ୍‌ ମାରିଥିବାରୁ ଆଗକୁ ଏହା ଅଧିକ ଜଟିଳ ରୂପ ନେଇପାରେ। ତେଣୁ ଏହିି ରାସ୍ତାର ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ବିଡିଏ ପକ୍ଷରୁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଏହି କ୍ରମରେ ଜୟଦେବ ବିହାର- ନନ୍ଦନକାନନ ରାସ୍ତାର ସମାନ୍ତରାଳରେ ଦୁଇଟି ପ୍ରମୁଖ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଡିଏ ଡିପିଆର୍‌ ପ୍ରସ୍ତୁତ କରିବ। ଏଥିପାଇଁ ସିଆଇଡିଏଫ୍‌ ପାଣ୍ଠିରୁ ଅର୍ଥ ଅନୁମୋଦନ ହେବ।

ବର୍ଷେ ଭିତରେ ସମ୍ପୂର୍ଣ୍ଣ ହେବ ରାସ୍ତା

ରାଜଧାନୀର ଏକ ବ୍ୟସ୍ତବହୁଳ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ଭିଡ଼ କମାଇବା ଓ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଡମଣା ବିକଳ୍ପ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିନିମନ୍ତେ ପ୍ରାୟ ୩୩କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇ କାମ ଆରମ୍ଭ ହେଲେ ଏହା ବର୍ଷେ ମଧ୍ୟରେ ସମ୍ପୂର୍ଣ୍ଣ ହେବ।
ରମାବଲ୍ଲଭ ମିଶ୍ର, ମୁଖ୍ୟଯନ୍ତ୍ରୀ, ବିଡ଼ିଏ

ସମ୍ବନ୍ଧିତ ଖବର