ଭୁବନେଶ୍ବର : ପୁଲିସକୁ ପିଟିଲା, ରେସ୍ତୋରାଁ ଭାଙ୍ଗିଲା। ନିଶା ଏତେ ଚଢ଼ି ଯାଇଥିଲା ଯେ ନିଜକୁ ସମ୍ଭାଳି ନପାରି ମଝିରେ ମଝିରେ ତଳେ ପଡ଼ି ଗଡ଼ି ଯାଉଥିଲ‌‌‌ା। ଭବାନୀ ମଲ୍‌ରେ ଥିବା ଏକ ରେସ୍ତୋରାଁ‌ରେ ଜଣେ ମଦ୍ୟପର ଏଭଳି ଉନ୍ମତ୍ତକାଣ୍ଡ ସାଧାରଣ‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ଗୋଟ‌‌ାଏ ବେଳେ ଯୁବକଜଣଙ୍କ ଦୁଇ ବାନ୍ଧବୀଙ୍କୁ ଧରି ରେସ୍ତୋରାଁ ଆସିଥିଲେ। ତେବେ ସେଠାରେ ଖାଇବା ପରେ କ’ଣ ହେଲା କେଜାଣି, ହଠାତ ପାଟିତୁଣ୍ଡ କରିଥିଲେ। ପାଟି ଶୁଣି ଆଖପାଖ ଦୋକାନୀମାନେ ଧାଇଁ ଆସିଥିଲେ। କେହି ଜଣେ ଯୁବକ ରେସ୍ତୋରାଁ ବାହାରେ କାହାକୁ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରୁଥିବା ଦେଖିଥିଲେ। ଏହାଦେଖି ସେମାନେ ତୁରନ୍ତ ପୁଲିସକୁ ଫୋନ କରିଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଂପୃକ୍ତ ଯୁବକଜଣଙ୍କ ପୁଲିସକୁ ବି ଜାଣି ପାରି ନ ଥିଲା। ପୁଲିସକୁ ମାଡ଼ ମାରିବାକୁ ଚେଷ୍ଟା କରିଥିଲା। ଜଣେ ମହିଳା ପୁଲିସ ତା’ ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ଗୋଇଠା ଚାପୁଡ଼ା ମାରିଥିଲା। ସମସ୍ତଙ୍କ ଚାକିରି ନେବି କହି ଧମକାଇ ଥିଲା। ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କୁ ଅଟକାଇବାକୁ କେହି ସାହସ ଜୁଟାଇ ନ ଥିଲେ। ବହୁ କଷ୍ଟରେ ପୁଲିସ ତାକୁ କାବୁ କରି ଥାନାକୁ ନେଇଥିଲା। ଏନେଇ ରେସ୍ତୋରାଁ ମ୍ୟାନେଜର ଦୀପକ ମହାନ୍ତିଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ତାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।