ମାଟ୍ରିକ୍‌ ଚାମ୍ପିଅନ୍ସ-୨୦୧୯: ବିଡିଏ କଲୋନିର ଯାଆଁଳା ରତ୍ନ

ଏଲ୍‌କେଜିରେ ପଢ଼ିବା ଦିନଠୁ ଉଭୟଙ୍କର ପରସ୍ପର ସହ ପାଠରେ ପ୍ରତିଯୋଗିତା। କିଏ ଟେଷ୍ଟ ପରୀକ୍ଷାରେ ପ୍ରଥମ ହେଲା ବେଳକୁ ଆଉ କିଏ ବାର୍ଷିକ ପରୀକ୍ଷାରେ ଅନ୍ୟଜଣକୁ ଅତିକ୍ରମ କରିଯାଉଥିଲା। ଜଣେ ଦୀପ୍ତିମୟୀ ଆଉ ଜଣେ ଚିନ୍ମୟୀ। ଦିହେଁ ଏ୧ରେ ଉତ୍ତୀର୍ଣ୍ଣ ହୋଇ କେବଳ ଖୋର୍ଧାସ୍ଥିତ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ପାଇଁ ଗୌରବ ଆଣି ଦେଇନାହାନ୍ତି, ବରଂ ଖୋର୍ଧା ବିଡିଏ କଲୋନିର ଦୁଇ ଅମୂଲ୍ୟ ରତ୍ନ ପାଲଟି ଯାଇଛନ୍ତି। ଏବେ ଖାଲି କଲୋନି ସା‌ରା ଏଇ ଦୁଇଜଣଙ୍କ ଚର୍ଚ୍ଚା।

ଅଭାବ ଯେ ପିଲାଙ୍କୁ ପାଠରେ ନାମ କମାଇବାରେ ବାଧକ ହୁଏନି ଏହା ପ୍ରମାଣିତ କରିଛନ୍ତି ଦୀପ୍ତିମୟୀ ଓ ଚିନ୍ମୟୀ। ଏଥିରେ ତାଙ୍କର ପିତାମାତାଙ୍କ ଭୂମିକା ବି କମ୍‌ ନୁହେଁ। ରାମଚନ୍ଦ୍ର ମହାପାତ୍ର କେବଳ ଦୁଇ ଝିଅଙ୍କୁ ଭଲ ପାଠ ପଢ଼ାଇବେ ବୋଲି ବେଗୁନିଆର ଗୋବିନ୍ଦପୁର ଗ୍ରାମ ଛାଡ଼ି ଖୋର୍ଧାର ବିଡିଏ କଲୋନିରେ ମଉସା ଘରେ ରହୁଛନ୍ତି। ଝିଅ ହେଲା ପରେ ଅନେକ ଭାଙ୍ଗି ପଡ଼ୁଥିବା ବେଳେ ଚିନ୍ମୟୀ ଓ ଦୀପ୍ତିମୟୀଙ୍କ ଜନ୍ମ ପରେ ତାଙ୍କ ଜେଜେ ମା’ ଶାନ୍ତିଲତା ମହାପାତ୍ର କହିଥିଲେ ଆମ ଘରକୁ ଲକ୍ଷ୍ମୀ, ସରସ୍ବତୀ ଆସିଗଲେ। ରାମଚନ୍ଦ୍ର ଅନ୍ୟଜଣକ ଦୋକାନରେ ଦରଜୀ ଭାବେ କାମ କରି ମାସକୁ ୮ହଜାର ଟଙ୍କା ଆୟ କରି ପରିବାର ଚଳାଉଥିଲେ ହେଁ ଦୁହିଁଙ୍କୁ କେବେ ବି କୌଣସି କ୍ଷେତ୍ରରେ ଉଣା କରିନାହାନ୍ତି। ୫୫୩ ନମ୍ବର ରଖିଥିବା ଦୀପ୍ତିମୟୀ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଚିନ୍ମୟୀ କହିଛନ୍ତି ସେ ଶିକ୍ଷକ ହେବେ। ‘ସମ୍ବାଦ’ର ମାଟ୍ରିକ୍‌ ଚାମ୍ପିଅନ୍ସ ପୁରସ୍କାର ପାଇବା ପରେ ‌ଏଇ ଦୁଇ ଭଉଣୀଙ୍କ ସଫଳତା ଜାଣିବାକୁ ଲୋକଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର