ଭୁବନେଶ୍ବର: ପିଲାମାନେ ସ୍ବପ୍ନ ଦେଖନ୍ତୁ। ସ୍ବପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରନ୍ତୁ। ଆତ୍ମ ସମୀକ୍ଷା ଓ ବିଶ୍ଳେଷଣ କରି ଉଚିତ ନିଷ୍ପତ୍ତି ନିଅନ୍ତୁ। ଅଭିଭାବକମାନେ ନିଜର ଇଚ୍ଛାକୁ ପିଲାଙ୍କ ଉପରେ ଲଦି ନଦେଇ, ସେମାନଙ୍କ ସହ ଆଲୋଚନା କରି ପିଲାଙ୍କ ପସନ୍ଦ ଅନୁସାରେ ଭବିଷ୍ୟତ ଚୟନ କରିବାର ସୁଯୋଗ ଦିଅନ୍ତୁ। ଆଜି ରେ‌ଲୱେ ଅଡିଟୋରିୟମ୍‌ ପ୍ରେକ୍ଷାଳୟରେ ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପସ୍‌ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏପରି ଆହ୍ବାନ ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। 

Advertisment

‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପାଢ଼ୀ ଆହୁରି କହିଲେ, ଜଣେ ଭଲ ନାଗରିକ ହେବା ପାଇଁ ସମସ୍ତ ଗୁଣ ପିଲାଙ୍କ ଭିତରେ ରହୁ। କାରଣ ଦେଶର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରୁଛି। ମେଧାବୀମାନେ ଉତ୍କର୍ଷତା ହାସଲ କରିବା ପରେ ନିଜ ଦେଶ ଜାତି ପ୍ରତି ସମର୍ପଣ ଭାବ ନେଇ କାର୍ଯ୍ୟ କରିବା ଉଚିତ। ଏଥିସହ ‘ସମ୍ବାଦ’ ପକ୍ଷରୁ ‘ମାଟ୍ରିକ୍ ଚାମ୍ପସ୍‌' ଆୟୋଜନ କରାଯାଉଥିବାରୁ ଶ୍ରୀମତୀ ପାଢ଼ୀ ଆନ୍ତରିକ ଧନ୍ୟବାଦ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ପିଲାମାନଙ୍କୁ ପରାମର୍ଶ ଦେଇ କହିଲେ, ଦଶମ ପରୀକ୍ଷା ପରି ଆଗାମୀ ୨ ବର୍ଷ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେବଳ ଭଲ ନମ୍ବର ରଖିଲେ ହେବ ନାହିଁ। ପିଲାମାନେ ବୌଦ୍ଧିକ ସଫଳତା ସହିତ ଏକ ସାମାଜିକ ପ୍ରାଣୀ ହିସାବରେ ନିଜକୁ ସଫଳ କରିବାକୁ ପଡ଼ିବ। ସେଥିପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ଆହ୍ବାନ ଦେଖା ଦେଇଛି ତାକୁ ସାମନା କରିବାକୁ ପଡ଼ିବ। ସାମାଜିକ ଗଣମାଧ୍ୟମ ଆମକୁ ନିୟନ୍ତ୍ରଣ ନକରୁ, ଆମେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର କୌଶଳ ଶିଖିବା ଦରକାର। ନିଜକୁ ଖୁସି ରହିବା ପାଇଁ ସାମାଜିକ ଗଣମାଧ୍ୟମର ଆବଶ୍ୟକତା ନପଡ଼ିଲେ ଯାଇ ଜଣେ ପରିପକ୍ବ ମଣିଷ ହୋଇପାରିବ। ଏଥିସହ ସାଇବର୍‌ ଅପରାଧ ପ୍ରତି ସତର୍କ ରହିବା ପାଇଁ ଡିସିପି ସଚେତନ କରିଥିଲେ। 

    ଆମକୁ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ନକରୁ: ଡିସିପି
    ପ୍ରବୃତ୍ତି ଅନୁସାରେ ବୃତ୍ତି ଚୟନ କର: ସୌମ୍ୟରଂଜନ
    ୯୦ %ରୁ ଅଧିକ ନମ୍ବର ରଖିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧନା 
    ସମ୍ବର୍ଦ୍ଧିତ ହେଲେ ତିନି ଜିଲ୍ଲାର ୩୬୧ ଛାତ୍ରଛାତ୍ରୀ

ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ତିନିଟି ଜିଲ୍ଲାର ସବୁ ମେଧାବୀ ଛାତ୍ର ଗୋଟିଏ ଛାତ ତଳେ ଏକାଠି ହେବା ଏକ ଐତିହାସିକ ଦିନ। ବାପା-ମା  ନିଜର ଅଭିଳାଷ ପୂରଣ ପାଇଁ ପିଲାଙ୍କ ଉପରେ ଚାପ ଲଦନ୍ତୁ ନାହିଁ। ସେମାନେ ନିଜ ଇଚ୍ଛା ଅନୁସାରେ ଉତ୍କର୍ଷର ଉପାସକ ହୋଇ ନିଜ ପ୍ରବୃତ୍ତି ଅନୁସାରେ ବୃତ୍ତି ଚୟନ କରନ୍ତୁ। କିନ୍ତୁ ନିଜର ମା, ମାଟି ଓ ମାତୃଭାଷା ପ୍ରତି ସମର୍ପଣ ଭାବ ରଖି ମୋବାଇଲ ଭଳି କାରିଗରୀ କୌଶଳକୁ ବ୍ୟବହାର କରି ମଦମୁକ୍ତ ଓଡ଼ିଶା ଗଠନ କରିବା ଏବଂ ନିରୋଗ, ନିରହଂକାର, ନିରାଡ଼ମ୍ବର, ନିଡ଼ର ରହିବା ସହ ନିଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।  
‘ସମ୍ବାଦ’ ଓ ‘କନକ ନିୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ କହିଲେ, ଦେଶର ସୀମାରେ ଉତ୍ତେଜନା ଜାରି ରହିଛି। ଆମର ବୀର ଯବାନମାନେ ଜୀବନକୁ ଖାତିର ନକରି ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏକ ହୋଇ ଦେଶର ସ୍ବତନ୍ତ୍ରତା ବଜାୟ ରଖିବାକୁ ସଙ୍କଳ୍ପ ନେବାକୁ ପଡ଼ିବ। ଦେଶର ଭବିଷ୍ୟତ ନିର୍ମାତା ‘ପିଲାମାନେ’ ସଶକ୍ତ ଭାରତ ଗଠନ କରିବା ପାଇଁ ନିଜ ସକ୍ଷମ ଆନୁସାରେ ଦେଶର ସେବା କରନ୍ତୁ। ଏଥିସହ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା କରିବାକୁ ଭବିଷ୍ୟତ ପିଢ଼ି ସଚେତନ ହେବାକୁ ଶ୍ରୀମତୀ ପଟ୍ଟନାୟକ ନିବେଦନ କରିଥିଲେ। 

‘ସମ୍ବାଦ’ର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଲେ, ଜ୍ଞାନ ଆହରଣର କୌଣସି ସୀମା ନାହିଁ। ପିଲାମାନେ ନିଜ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ଭଲ ଭାବେ ଚିନ୍ତା କରି ଭବିଷ୍ୟତର ନିଷ୍ପତ୍ତି ନିଅନ୍ତୁ। ‘ସମ୍ବାଦ’ ବ୍ୟୁରୋ ଚିଫ୍‌ ଚୌଧୁରୀ ଅମିତାଭ ଦାସ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‌ବରିଷ୍ଠ ସାମ୍ବାଦିକ କେଶବ ପାଣି ଧନ୍ୟବାଦ ଦେଇଥିଲେ। ଉତ୍ସବରେ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାର ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୦ ପ୍ରତିଶତ(୫୪୦ ନମ୍ବର) କିମ୍ବା ତଦୂର୍ଦ୍ଧ ନମ୍ବର ରଖିଥିବା ‘ଏ-୧’ ଗ୍ରେଡ୍‌ଧାରୀ ୩୬୧ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।