ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆସନ୍ତାକାଲି (ବୁଧବାର)ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମିଟିଭ୍-୧ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷାକୁ କଡ଼ାକଡ଼ି କରାଯାଇଥିବା ବେଳେ ଖୋର୍ଧା ଜିଲ୍ଲାରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଜିଲ୍ଲାରେ ୨୯ ହଜାର ୪୭୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ଜିଲ୍ଲାରେ ୧୨ଟି ନୋଡାଲ ସେଣ୍ଟର୍ ଓ ୧୪୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରକୁ ଜଣେ ଲେଖାଏଁ ଅବଜରଭର୍ ଦିଆଯାଇଛି।
ନୋଡାଲ ସେଣ୍ଟର୍ରେ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଅଚାନକ ଚଢ଼ଉ ଲାଗି ଓଏଏସ୍, ଓଇଏସ୍, ଓଆରଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଆଜି ବିଶୋଧନ କରାଯାଇଛି। ପରୀକ୍ଷା ଦିନ କେନ୍ଦ୍ରରେ ଅଧିକ ସଂଖ୍ୟକ ସାନିଟାଇଜର୍, ମାସ୍କ ମହଜୁଦ୍ ରଖିବାକୁ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତା ସହ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ କହିଛନ୍ତି।
ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ବର ବ୍ଲକରେ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀ, ପରୀକ୍ଷା କେନ୍ଦ୍ର ରହିଛି। ପରୀକ୍ଷାର ସୁପରିଚାଳନା ଲାଗି ୩ଟି ନୋଡାଲ ସେଣ୍ଟର୍ ହୋଇଛି। ଏହି ନୋଡାଲ ସେଣ୍ଟର୍ଗୁଡ଼ିକୁ ମିଶାଇ ମୋଟ ୫୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୧୨ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ କ୍ୟାପିଟାଲ ହାଇସ୍କୁଲରେ ନୋଡାଲ ସେଣ୍ଟର ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ୨୯ ହଜାର ପିଲା ଦେବେ ପରୀକ୍ଷା
୧୨ ନୋଡାଲ ସେଣ୍ଟର, ୧୪୧ ପରୀକ୍ଷା କେନ୍ଦ୍ର
କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
ସାଢ଼େ ୮ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର
ସେଠାରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ପୂର୍ବାହ୍ନ ୧୦ଟାରୁ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହାର ଦେଢ଼ ଘଣ୍ଟା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ କୁହାଯାଇଛି। ଜିଲ୍ଲାରେ ୪୬ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି। ପରୀକ୍ଷା ଦିନ ସକାଳୁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ଦୁଇଜଣ ପୁଲିସ କର୍ମଚାରୀ ଓ ନୋଡାଲ ସେଣ୍ଟର୍ର ଦୁଇଜଣ ଶିକ୍ଷକ ରହିବେ। ନୋଡାଲ ସେଣ୍ଟର୍ରେ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି।
ପରୀକ୍ଷାରେ କପି ରୋକିବା ଲାଗି ଏଥର ୪ସ୍ତରୀୟ ସ୍କ୍ବାଡ୍ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ୩ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ହୋଇଛି। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ବାଡ୍, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ବାଡ୍ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ବର ଜୋନ୍ ପକ୍ଷରୁ ଜୋନାଲ୍ ସ୍କ୍ବାଡ୍ ଗଠନ ହୋଇଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ।
ଏନେଇ ଆଜି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡ୍ଲାଇନ୍କୁ ଆଧାର କରି ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ଷ୍ଟାଫ୍ମାନଙ୍କୁ ବିଭିନ୍ନ ସମୟରେ ତାଲିମ୍ ଦିଆଯାଇଛି। ଯେଉଁ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ଡେକ୍ସ ବେଞ୍ଚ ନ ଥିଲା, ସେଠାକୁ ନିକଟସ୍ଥ ବିଦ୍ୟାଳୟରୁ ଡେକ୍ସ, ବେଞ୍ଚ ଅଣାଯାଇଛି। କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେଉଥିବାରୁ ସାମାଜିକ ଦୂରତା ରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି।
କିସ୍ରୁ ୨୩୦୦ ପରୀକ୍ଷାର୍ଥୀ
ଚଳିତ ବର୍ଷ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍(କିସ୍)ରୁ ୬୩ ବର୍ଗର ୨୩୦୦ ଆଦିବାସୀ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ। ଗୋଟିଏ ବିଦ୍ୟାଳୟରୁ ଏତେସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଓଡ଼ିଶା ଶିକ୍ଷା ଇତିହାସରେ ଏକ ରେକର୍ଡ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୩୦ ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ଓ ଆଦିମ ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। କିସ୍ର ଛାତ୍ରଛାତ୍ରୀ ଭୁବନେଶ୍ବରର ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ଅନୁଷ୍ଠାନ ପକ୍ଷରୁ ୪୦ଟି ବସ୍ର ବନ୍ଦୋବସ୍ତ କରାଯାଇଛି। ପରୀକ୍ଷା ସମୟରେ ଆଦୌ ବିଚଳିତ ନ ହୋଇ ପରୀକ୍ଷା ଦେବାକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରତି ପିଲାଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି।