ଭୁବନେଶ୍ବରରେ ମାଟ୍ରିକ୍‌ ପରୀକ୍ଷା : ଭୟ, ଉତ୍ସାହରେ ସରିଲା ପ୍ରଥମ ଦିନ

ଭୁବନେଶ୍ବର : ପ୍ରଥମ ଦିନ ପରୀକ୍ଷା ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ମନରେ ଥିଲା ଟିକିଏ ଭୟ। ମାତୃଭାଷା ବିଷୟରେ କେମିତି ପ୍ରଶ୍ନ ଆସିବ? ସ˚କ୍ଷିପ୍ତ ପ୍ରଶ୍ନର ଉତ୍ତର କେମିତି ଦେବେ? ଗତବର୍ଷ ପରି ଏଥର ବି ପ୍ରଶ୍ନପତ୍ର ଭାଇରାଲ୍‌ ହେବନି ତ? ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ଉଙ୍କି ମାରିଥିଲା ଏଭଳି ଅନେକ ପ୍ରଶ୍ନ। ଟିକିଏ ଭୟ ଓ ଉତ୍ସାହ ମଧ୍ୟରେ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ଜୀବନର ସବୁଠାରୁ ବଡ଼ ପରୀକ୍ଷା ଦେବାକୁ ଯାଉଥିବାରୁ କେହି କେହି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ମା’, ବାପା, ସାଙ୍ଗସାଥୀଙ୍କୁ ଧରି କାନ୍ଦି ପକାଇଥିଲେ। ମଧ୍ୟାହ୍ନ ୧୨ଟା ୩୦ରେ ବାହାରକୁ ଆସିବା ପରେ ପ୍ରଶ୍ନପତ୍ରକୁ ବି ନେଇ ପରୀକ୍ଷାର୍ଥୀ ଖୁସି ବ୍ୟକ୍ତ କରିଥିଲେ। କେତେକ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ନେଇ ଖବର ଆସିଥିଲେ ମଧ୍ୟ ତାହାର ପ୍ରଭାବ ଭୁବନେଶ୍ବର ପରୀକ୍ଷାର୍ଥୀଙ୍କ ଉପରେ ପଡ଼ି ନଥିଲା। ଭୁବନେଶ୍ବର ସମେତ ‌ଖୋର୍ଧା ଜିଲ୍ଲାରେ ଜଣେ ବି ହେଲେ ମାଟ୍ରିକ୍‌ ପରୀକ୍ଷାର୍ଥୀ କପି କରି ଧରାପଡ଼ି ନ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି।

ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବାରୁ ଭୋର ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା। ସକାଳ ୯ଟାରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିଥିଲେ। ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଯାଞ୍ଚ କଡ଼ାକଡ଼ି ହୋଇଛି। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ୩ଟି ଲେଖାଏ ଟିମ୍‌ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିଥିଲେ। କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀ ଘଣ୍ଟା ପିନ୍ଧି ଆସିଥିବାରୁ ତାହାକୁ ଖୋଲାଯାଇଥିଲା। ପରୀକ୍ଷା ଚାଲିଥିବା ସମୟରେ କେନ୍ଦ୍ର ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ଟିମ୍‌ ପରୀକ୍ଷାର୍ଥୀଙ୍କୁ ପୁଣିଥରେ ଯାଞ୍ଚ କରିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ତଥା ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ତେଣ୍ଟଙ୍କ ତତ୍ତ୍ବାବଧାନରେ ସିସିଟିଭି ପରିଚାଳିତ ହୋଇଥିଲା। ପ୍ରଥମ ଦିନରେ ଭୁବନେଶ୍ବରରେ ୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିଲେ।

ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ଯେପରି ହଟହଟା ନ ହେବେ, ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ କେତେକ ପରୀକ୍ଷା କେନ୍ଦ୍ରରେ ମାଇକ୍‌ରେ ପ୍ରଚାର କରାଯାଇଥିଲା। ଏଥିସହ ନୋଟିସ୍‌ ଲଗାଯାଇ ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ଅନୁଯାୟୀ ପରୀକ୍ଷାର୍ଥୀ, ଅଭିଭାବକ ଓ ସାଧାରଣ ଜନତା ଯଦି ପରୀକ୍ଷାରେ ଅସାଧୁ ଆଚରଣରେ ଲିପ୍ତ ରହିବେ, ‌ପ୍ରୋତ୍ସାହନ ଦେବାରେ ସାହଯ୍ୟ କରିବେ ସେମାନଙ୍କୁ ଆଇନ ଅନୁଯାୟୀ ୩ ମାସ ଜେଲ୍‌ ବା ତିନି ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ। କେତେକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଫୁଲ ଓ ଚନ୍ଦନ ଲଗାଯାଇ ଶୁଭକାମନା ଜଣାଯାଇଥିଲା।

ବୁଲିଲେ ମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ପୂର୍ବାହ୍ନ ୧୧ଟା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଭୁବନେଶ୍ବରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଅଚାନକ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ପ୍ରଥମେ ୟୁନିଭରସିଟି ହାଇସ୍କୁଲ ଯାଇଥିଲେ। ଏହାପରେ କ୍ୟାପିଟାଲ ହାଇସ୍କୁଲ ଓ ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଗସ୍ତ କରି ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିଥି‌ଲେ। ସେହିପରି ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାର୍ଥୀଙ୍କୁ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇଥିଲେ।

୨୪ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ
କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୨୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ୧୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପକ୍ଷରୁ ସହାୟକ ଯୋଗାଇ ଦିଆଯାଇଥିଲା। ସ୍ବତନ୍ତ୍ର ହଲ୍‌ କରାଯାଇଥିଲା। ସେହିପରି ୧୦ ଜଣ ବଧିର ଛାତ୍ରଛାତ୍ରୀ ବି ପରୀକ୍ଷା ଦେଇଥିବା ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ସୋନାମିକା ରାୟ କହିଛନ୍ତି।

ପରୀକ୍ଷାର୍ଥୀଙ୍କ ମୁହଁରୁ
ପ୍ରଥମ ଦିନ ପରୀକ୍ଷା ଥିବାରୁ ଟିକିଏ ନର୍ଭସ ଲାଗୁଥିଲା। ତଥାପି ପ୍ରସ୍ତୁତି ହୋଇ ଆସିଥିବାରୁ ଧୀରେ ଧୀରେ ଭୟ ଦୂର ହୋଇଗଲା। ପ୍ରଶ୍ନପତ୍ର ବି ଭଲ ଆସିଥିଲା। ତେଣୁ କୌଣସି ଅସୁବିଧା ହେଲାନି। ସମସ୍ତ ପ୍ରଶ୍ନର ଉତ୍ତର ହୋଇଛି। ଭଲ ମାର୍କ ଆସିବ ବୋଲି ଆଶା।
-ସସ୍ମିତା ବାରିକ୍‌, ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ

ଯେଉଁଭଳି ଅଭ୍ୟାସ କରିଥିଲି ସେମିତି ପ୍ରଶ୍ନ ଆସିଲା। ପରୀକ୍ଷା ପାଇଁ ଏବେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଛି। ସଂକ୍ଷିପ୍ତ ପ୍ରଶ୍ନଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଉଛି।
-ମିତାଲି ପଣ୍ଡା, ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ

ପ୍ରଶ୍ନପତ୍ର ସହଜ ଥିଲା। ତେଣୁ କିଛି ବି ଅସୁବିଧା ହେଲାନି। ପ୍ରଥମ ଦିନ ଭଲରେ କଟିଲା। ଆଗକୁ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟର ପରୀକ୍ଷା ଥିବାରୁ ସେଥିପ୍ରତି ଗୁରୁତ୍ବ ଦେବି। ପରୀକ୍ଷା ପୂର୍ବରୁ ସ୍କୁଲରେ ବାରମ୍ବାର ଅଭ୍ୟାସ କରାଯାଉଥିଲା। ଏବେ ଘରେ ରହି ପଢ଼ିବାକୁ ହେଉଛି।
-ପୂଜାର୍ଚ୍ଚନା ପାଣିଗ୍ରାହୀ

ପ୍ରଥମ ଦିନର ପରୀକ୍ଷା ସୁରୁଖୁରରେ ସରିଛି। କିଛି ବି ଅସୁବିଧା ହୋଇନି। ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ପାଇଥିଲି। ତେବେ କିଛି ଭୟ ନାହିଁ। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି। ଭଲ ମାର୍କ ପାଇବି।
-ପ୍ରିୟମ୍ବଦା ଦଳାଇ

ଜୀବନର ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା ଦେଇ ଏକ ଅଦ୍‌ଭୁତ ଅନୁଭୁତି ହାସଲ କରିଛି। ପ୍ରଥମ‌ ଦିନ ମାତୃଭାଷା ପରୀକ୍ଷା ଥିବାରୁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ଭଲ ହେବ ବୋଲି ଆଶା କରୁଛି।
-ମିତାଲି ମୋନାଲିସା

ଟିକିଏ ଭୟ ଥିଲା, ହେଲେ କେନ୍ଦ୍ର ଭିତରେ ପ୍ରବେଶ କରି ସବୁ ଭୟ ଛାଡ଼ିଗଲା। ପ୍ରଶ୍ନପତ୍ର ମିଳିବାପରେ ସବୁକିଛି ଭଲ ଭାବେ ସମୟ ସୀମା ଭିତରେ ଲେଖ‌ିଲି। ପରୀକ୍ଷା ‌ଦେଇ ଆସିବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜାଣି ଦୁଃଖ ଲାଗିଲା।
-ଶାନ୍ତି ପ୍ରଧାନ

ସବୁ ପ୍ରଶ୍ନର ସଠିକ୍ ଉତ୍ତର ଲେଖିଛି। ଶୃଙ୍ଖଳାରେ ପରୀକ୍ଷା ହେବା ନେଇ ଆମେ ବହୁତ ଖୁସି। ସମସ୍ତ ପରୀକ୍ଷା ଏଭଳି ଭାବେ ‌ହେଲେ ଭଲ ହୁଅନ୍ତା।
-ରାକେଶ ମୁର୍ମୁ

ସମ୍ବନ୍ଧିତ ଖବର