ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ରାଜଧାନୀର ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଘରୋଇ ବିଦ୍ୟାଳୟଗୁଡ଼ିକ ପୂର୍ବବର୍ଷର ସଫଳତାକୁ ପୁଣି ଦୋହରାଇଛନ୍ତି। ହେଲେ ସରକାରୀ ବିଦ୍ୟାଳୟଗୁଡ଼ିକ ପୂର୍ବବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରିବା ସହ ‘ଏ-୧’ ଗ୍ରେଡ୍‌ ଛାତ୍ରଛାତ୍ରୀ ବଢ଼ିଛନ୍ତି। ୨୦୨୪ରେ ମାତ୍ର ୧୧ଟି ସରକାରୀ ବିଦ୍ୟାଳୟର ୧୫ଜଣ ଛ‌ାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଥିବା ବେଳେ ‌ଏବର୍ଷ ୨୦ ବିଦ୍ୟାଳୟର ୩୦ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି।

Advertisment

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ପାତ୍ରପଡ଼ା ଭଗବାନପୁର ହାଇସ୍କୁଲ୍‌, ସରକାରୀ ‌ନୋଡା‌ଲ ହାଇସ୍କୁଲ୍‌ ଖଣ୍ଡଗିରି, ୟୁନିଟ୍‌୍‌ -୮ ବାଳିକା ହାଇସ୍କୁଲ୍‌, ବିଏମ୍‌ ହାଇସ୍କୁଲ୍‌, ପଟିଆ ବାଳିକା‌ ହାଇସ୍କୁଲ, ଶ୍ୟାମପୁରର କଳିଙ୍ଗ ବିଦ୍ୟାପୀଠ, ପ୍ରଶାନ୍ତିବିହାର ବିଜୁପଟ୍ଟନାୟକ ମେମୋରିଆଲ ହାଇସ୍କୁଲ, ଲକ୍ଷ୍ମୀସାଗର ମ୍ୟୁନିସିପାଲ ହାଇସ୍କୁଲ, ଗୌତମନଗର ମ୍ୟୁନିସିପାଲ ହାଇସ୍କୁଲ୍‌, କପିଳପ୍ରସାଦ ମ୍ୟୁନିସିପାଲ ହାଇସ୍କୁଲ, ଯଦୁପୁର ସୟଦ ମମତାଜ ଅଲ୍ଲୀ ହାଇସ୍କୁଲ, ବଡ଼ଗଡ଼ ହାଇସ୍କୁଲ, ଭିଏସ୍ଏସ୍‌ ନଗର, ୟୁନିଟ୍‌୍‌ -୮, ସହିଦନଗର, ଚନ୍ଦ୍ରଶେଖରପୁର ଫେଜ୍‌-୧, ଆଇଆର୍‌ସି ଭିଲେଜ, ଚନ୍ଦ୍ରଶେଖରପୁର ଫେଜ୍‌- ୨, ୟୁନିଟ୍‌-୬ ବାଳିକା ହାଇସ୍କୁଲ, ଓଏସ୍‌ଏପି ସପ୍ତମ ବ୍ୟାଟେଲିଆନ ହାଇସ୍କୁଲ, ୟୁନିଟ୍‌-୬ ହାଇସ୍କୁଲର ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି।

ସହରର ୨୬ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍‌
ସହାୟକ ହେଲା ‘ସୁନିଶ୍ଚିତ’ ଓ ସନ୍ଦେହମୋଚନ ବ୍ୟବସ୍ଥା

ସରକାରୀ ବିଦ୍ୟାଳୟରେ ‘ଏ-୧’ ଗ୍ରେଡ୍‌ ରଖିଥିବା ପିଲାଙ୍କ ସଂଖ୍ୟ ବଢ଼ିଥିଲେ ମଧ୍ୟ ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌‌-୧ ହାଇସ୍କୁଲ, ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ, ୟୁନିଟ୍‌- ୯ ବାଳକ ଓ ବାଳିକା ଉଚ୍ଚବିଦ୍ୟାଳୟ ଭଳି ରାଜଧାନୀର ପ୍ରମୁଖ ତଥା ସର୍ବପୁରାତନ ସରକାରୀ ବିଦ୍ୟାଳୟରୁ ଜଣିଏ ହେଲେ ୯୦% ନମ୍ବର ଛୁଇଁ ନପାରିବା ଚିନ୍ତାର ବିଷୟ ପାଲଟିଛି। ସେହି ତୁଳନାରେ ଘରୋଇ ବିଦ୍ୟାଳୟ ମଧ୍ୟ ‘ଏ-୧’ ଗ୍ରେଡ୍‌ ପାଇବାରେ ସଫଳ ହୋଇଛନ୍ତି। କେବଳ ବରଗଡ଼ ବ୍ରିଟ୍ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର(ଏସ୍‌ଏସ୍‌ଭିଏମ୍‌)ର ୨୪ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଥିବା ବେଳେ ନୀଳାଦ୍ରିବିହାର ଏସ୍‌ଏସ୍‌ଭିଏମ୍‌ର ୧୫, ଏକାମ୍ର ଏସ୍‌ଏସ୍‌ଭିଏମ୍‌ର ୧୨, ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରର ୧୦, ୟୁନିଟ୍‌‌-୮ ଏସ୍‌ଏସ୍‌ଭିଏମ୍‌ର ୮, ନୂଆପଲ୍ଲୀ ଶ୍ରୀମଦ୍‌ ଭଗବତ ଗୀତା ବିଦ୍ୟାମନ୍ଦିରର ୫, ୟୁନିଟ୍‌୍‌-୩ ଏସ୍‌ଏସ୍‌ଭିଏମ୍‌ରର ୭ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଛନ୍ତି।

ପ୍ରାକ୍ତନ ପ୍ରଧାନଶିକ୍ଷକ ଦ୍ବାରିକାନାଥ ସେନାପତିଙ୍କ ଅନୁଯାୟୀ ସରକାରୀ ସ୍କୁଲ୍‌ ରୂପାନ୍ତରୀକରଣ, ସିଲାବସ୍‌ ଓ ପାଠ୍ୟକ୍ରମ ଢାଞ୍ଚା ପରିବର୍ତ୍ତନ ଦ୍ବାରା ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିଛି। ଏଥିସହ ନିଜ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବା ଦ୍ବାରା ପିଲାଙ୍କ ପରୀକ୍ଷା ଭଲ ହେଉଛି। କେତେକ ଘରୋଇ ବିଦ୍ୟାଳୟର ଭିତ୍ତିଭୂମି ନ ଥିବାରୁ ସେମାନଙ୍କ ପିଲାମାନେ ସରକାରୀ ବିଦ୍ୟାଳୟ ଅଧୀନରେ ନାମ ଲେଖାଇ ପରୀକ୍ଷା ଦେଉଛନ୍ତି, ଯାହାକି ମେଧାବୀଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ। ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା କହିଛନ୍ତି ଯେ, ଦଶମ ଶ୍ରେଣୀ ପିଲାଙ୍କ ଲାଗି ‘ସୁନିଶ୍ଚିତ’ କାର୍ଯ୍ୟକ୍ରମ ଓ ପରୀକ୍ଷା ପୂର୍ବରୁ ସନ୍ଦେହମୋଚନ ବ୍ୟବସ୍ଥା ହୋଇଥିଲା। ପରିଣାମ ସ୍ବରୂପ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଭଲ ହୋଇଛି। ବିଏମ୍‌ସିର ୨୬ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଆଗାମୀ ଦିନରେ ଆହୁରି ଭଲ କରିବା ଦିଗରେ ପଦକ୍ଷେପ ହାତକୁ ନିଆଯିବ।