କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍(କିସ୍)ର ୧୮୮୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସାନ୍ତାଳ ସଂମ୍ପ୍ରଦାୟର ମକରା ମୁର୍ମୁ ୫୫୩ ନମ୍ବର ରଖି ସ୍କୁଲ ଟପର ହୋଇଛି। ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ମକରାଙ୍କ ବାପା ଧନୁ ମୁର୍ମୁ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଏତିକି ବେଳେ ଜଣେ ବଦାନ୍ୟ ବ୍ୟକ୍ତି ଭୁବନେଶ୍ବର କିସ୍‌ରେ ମାଗଣା ରହିବା, ଖାଇବା ଓ ପଢ଼ିବା ନେଇ ତାଙ୍କୁ ସୂଚନା ଦେଇଥିଲେ। ଖବରପାଇ ଅଭାବୀ ଅଭିଭାବକ ଧନୁ ନିଜ ପିଲାକୁ ଆଣି ସ୍କୁଲର ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ। ସେବେଠାରୁ କିସ୍‌ ରହି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ମକରା ଆଜି କିସ୍ ପାଇଁ ଗର୍ବ ଆଣିଦେଇଛି। ୯୨.୧୭% ନମ୍ବର ରଖି ବିଦ୍ୟାଳୟକୁ ସାରା ଓଡ଼ିଶାରେ ଗୌରାବାନ୍ବିତ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଦାଣ୍ଡବୋସ ଗ୍ରାମର ସାନ୍ତାଳ ବାଳକ ମକରା ମୁର୍ମୁ କହିଛନ୍ତି ଯେ କେବେ ସ୍ବପ୍ନର ସହ ଭାବି ନଥିଲି ଯେ ଏତେବଡ଼ ସଫଳତା ପାଇବି ବୋଲି। ଏହି ସଫଳତା ପଛରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହାତ ରହିଛି। ଆଗକୁ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।