ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏବର୍ଷ ରାଜଧାନୀର ସମସ୍ତ ବିଦ୍ୟାଳୟ‌ରେ ପାସ୍‌ହାର ଭଲ ହୋଇଛି। ତେବେ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହରାଞ୍ଚଳ ତୁଳନାରେ କମ୍‌ ଅଛି। ଘରୋଇ ବିଦ୍ୟାଳୟଗୁଡ଼ିକ ଶତପ୍ରତିଶତ ଫଳ କରି ପୂର୍ବବର୍ଷର ସଫଳତାକୁ ପୁଣିଥରେ ଦୋହରାଇଛନ୍ତି ସତ, ହେଲେ ସେମାନଙ୍କର ‘ଏ-୧’ ଗ୍ରେଡ୍‌ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉତ୍ସାହଜନକ ହୋଇନାହିଁ। ୯୫%ରୁ ଅଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀ ନାହାନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ‘ଏ-୧’ ଗ୍ରେଡ୍‌ କମିଛି। ଅଧିକାଂଶ ବିଦ୍ୟାଳୟର ପାସ୍‌ହାର ଶତପ୍ରତିଶତ ହୋଇଛି।

Advertisment

ରବିବାର ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରୁ ଆଜି ଏଭଳି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁସାରେ ବିଏମ୍‌ସି ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୯.୨୦% ରହିଛି। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ଏଥର ୬୧୧୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୦୭୫ ଜଣ ପରୀକ୍ଷା ଦେଇଥିବା ବେଳେ ୬୦୨୭ଜଣ ପାସ୍‌ କରିଛନ୍ତି। ୬୦ ସ୍କୁଲ୍‌ର ୧୫ ଜଣ ‘ଏ-୧’ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ୧୨୭ ଜଣ ‘ଏ-୨’, ୪୧୪ ଜଣ ‘ବି-୧’, ୮୩୪ ଜଣ ‘ବି-୨’, ୧,୬୩୪ ଜଣ ‘ସି’, ୧,୭୮୩ ଜଣ ‘ଡି’ ଓ ୧୨୨୦ ଜଣ ‘ଇ’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୮ ଜଣ ଛାତ୍ରଛାତ୍ରୀ ‘ଏଫ୍‌’ ଗ୍ରେଡ୍‌ ଅର୍ଥାତ୍ ଫେଲ୍‌ ହୋଇଛନ୍ତି। ୩୨ଟି ବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ ହୋଇଛି।

ସହରରେ କମିଲା ‘ଏ-୧’ ଗ୍ରେଡ୍‌
ଭୁବନେଶ୍ବର ବ୍ଲକରେ ପାସ୍‌ହାର ୯୮.୯୬%
୪୭ ସରକାରୀ ସ୍କୁଲର ସମସ୍ତେ ପାସ୍‌
publive-image

‘ଏ-୧’ ଗ୍ରେଡ୍‌ ପାଇଥିବା ସରକାରୀ ବିଦ୍ୟାଳୟର ୧୫ ଜଣଙ୍କ ମଧ୍ୟରୁ ପାତ୍ରପଡ଼ା ଭଗବାନପୁର ସରକାରୀ ଉଚ୍ଚବିଦ୍ୟାଳୟ, ଚନ୍ଦ୍ରଶେଖରପୁର ଉଚ୍ଚବିଦ୍ୟାଳୟ ଫେଜ୍‌-୧, ବିଆର୍‌ ଆମ୍ବେଦକର ଉଚ୍ଚବିଦ୍ୟାଳୟ ବରମୁଣ୍ଡା, ସରକାରୀ ‌ନୋଡା‌ଲ ହାଇସ୍କୁଲ୍‌ ଖଣ୍ଡଗିରି, ୟୁନିଟ୍‌ -୩ କ୍ୟାପିଟାଲ ହାଇସ୍କୁଲ୍‌, ୟୁନିଟ୍‌ -୮ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସିଆର୍‌ପି-ବରମୁଣ୍ଡା ସରକାରୀ ନୋଡାଲ ହାଇସ୍କୁଲ୍‌, ସରକାରୀ ଉଚ୍ଚବିଦ୍ୟାଳୟ ଆଇଆର୍‌ସି ଭିଲେଜ ସ୍କୁଲ୍‌ରୁ ଜଣେ ଲେଖାଏ ‘ଏ-୧’ ହାସଲ କରିଛନ୍ତି। ୟୁନିଟ୍‌-୪ ସରକାରୀ ଉଚ୍ଚବିଦ୍ୟାଳୟ, ବିଏମ୍‌ ସରକାରୀ ଉଚ୍ଚବିଦ୍ୟାଳୟରୁ ଦୁଇ ଜଣ ଓ ପଟିଆ ବାଳିକା‌ ଉଚ୍ଚବିଦ୍ୟାଳୟର ୩ ଜଣ ‘ଏ-୧’ ପାଇଛନ୍ତି। ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରର ୬ଜଣ, ୟୁନିଟ୍‌-୮ ଏସ୍‌ଏସ୍‌ଭିଏମ୍‌ର ୯, ନୂଆପଲ୍ଲୀ ଶ୍ରୀମଦ୍‌ ଭଗବତ ଗୀତା ବିଦ୍ୟାମନ୍ଦିରର ଓ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରିରୁ ୨ ଜଣ ଲେଖାଏ ଛାତ୍ର ‘ଏ-୧’ ଗ୍ରେଡ୍‌ ପାଇଥିବା ଜଣାପଡ଼ିଛି। କ୍ୟାପିଟାଲ ହାଇସ୍କୁଲର ଶ୍ୟାମଳୀ ଗୀତାଞ୍ଜଳି ସରକାର, ଖଣ୍ଡଗିରି ସରକାରୀ ହାଇସ୍କୁଲର ଦେବାଶିଷ ଦାସ, ୟୁନିଟ୍‌-୪ର ସରକାରୀ ବାଳିକା ହାଇସ୍କୁଲର ଅନୁସୟା ଦାସ ପ୍ରମୁଖ ୫୫୨ ନମ୍ବର ରଖିଥିବା ଜଣାପଡ଼ିଛି।

ଯଦି ଭୁବନେଶ୍ବର ବ୍ଲକ କଥା ବିଚାରକୁ ନିଆଯାଏ, ତେବେ ୨୦ଟି ବିଦ୍ୟାଳୟର୯୮.୯୬% ରେଜଲ୍ଟ ହୋଇଛି। ବ୍ଲକରେ ପରୀକ୍ଷା ଦେଇଥିବା ୧୩୪୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୩୯ଜଣ ପାସ୍‌ କରିଛନ୍ତି। ଦୁଇ ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ବେଳେ ୧୭ଜଣ ‘ଏ-୨’, ୭୧ଜଣ ‘ବି-୧’, ୧୬୩ଜଣ ‘ବି-୨’, ୩୬୪ଜଣ ‘ସି’, ୩୯୭ଜଣ ‘ଡି’, ୩୨୫ଜଣ ‘ଇ’ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ୧୫ଟି ବିଦ୍ୟାଳୟର ପାସ୍‌ହାର ଶତପ୍ରତିଶତ ହୋଇଛି।

କିସ୍‍ର ଶତ ପ୍ରତିଶତ ସଫଳତା
ଚନ୍ଦ୍ରଶେଖରପୁର,: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ(ମାଟ୍ରିକ) ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍(କିସ୍‌)ର ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଲଗାତର ୧୭ବର୍ଷ ଧରି ଏହାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି। ଏଥର ସ୍କୁଲ୍‌ର ୨୦୦୮ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୦% ଛାତ୍ରଛାତ୍ରୀ ୬୦%ରୁ ଅଧିକ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାକି ଛାତ୍ରଛାତ୍ରୀ ୫୦%ରୁ ଅଧିକ ନମ୍ବର ରଖି ଦ୍ୱତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ର ସାଗୁନ ଟୁଡ଼ୁ ସର୍ବାଧିକ ୫୪୦ ନମ୍ବର ରଖି ସ୍କୁଲ୍‍ ଟପ୍‌ର ହୋଇଛନ୍ତି। କିସ୍‌ର ସଉରା, ବଣ୍ଡା, ଜୁଆଙ୍ଗ, ଖଡ଼ିଆ, ଲୋଧା, ପାଉଡ଼ି ଭୂୟାଁ ଆଦି ଜନଜାତି ବର୍ଗର ୫୦ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛନ୍ତି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଆସି କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ କିସ୍‍କୁ ଏହି ସଫଳତା ଆଣିଦେଇଛି। ଏଥିପାଇଁ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।