ବାଲିଅନ୍ତା: ଗତକାଲି କାକରୁଦ୍ରପୁର ପଞ୍ଚାୟତ ପରିଆପାଟପୁର ଛକରେ ଘଟିଥିବା ମାଟ୍ରିକ୍ ପରୀକ୍ଷାର୍ଥୀ ଗୋଷ୍ଠୀ ସଂଘର୍ଷ ମାମଲାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଆହତ ଛାତ୍ର ସାହେବନଗର ଗାଁର ବିଶ୍ବରଞ୍ଜନ ଏବେ ହାଇଟେକ୍ ହସ୍ପିଟାଲ୍ରେ ଆଇସିୟୁରେ ଅଛନ୍ତି। ୩୬ ଘଣ୍ଟା ବିତିବା ପରେ ବି ବିଶ୍ବରଞ୍ଜନଙ୍କ ଚେତା ଫେରିନାହିଁ। ଏହାକୁ କେନ୍ଦ୍ର କରି ଆଜି କାକରୁଦ୍ରପୁର ପତିତପାବନ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ବାଲିଅନ୍ତା ଥାନା ପୁଲିସ ଠିକଣା ସମୟରେ ପହଞ୍ଚିବାରୁ ଏକ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ଟଳିଯାଇଛି। ପୁଲିସ ୬ ଛାତ୍ରଙ୍କୁ ଚିହ୍ନଟ କରିଛି ଏବଂ ଆଜି ସେମାନଙ୍କୁ ପଚରାଉଚରା କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବା ବେଳେ ଭିଙ୍ଗାରପୁର ବକ୍ରେଶ୍ବର ହାଇସ୍କୁଲର କିଛି ଛାତ୍ର ଏବଂ ଜୟଦେବ ହାଇସ୍କୁଲର କିଛି ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଗଣ୍ଡଗୋଳକୁ ଓହ୍ଲାଇଥିଲେ। ପିଟାପିଟିରେ ବିଶ୍ବରଞ୍ଜନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପରୀକ୍ଷାର ଶେଷ ଦିନ ଥିଲା। ପରୀକ୍ଷା କେନ୍ଦ୍ର ନିକଟରେ ଉଭୟ ପକ୍ଷର ଅଭିଭାବକଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା। ମାଡ଼ ମାରିଥିବା ପିଲାଙ୍କୁ ଅଟକାଇବାକୁ ଆହତ ଛାତ୍ର ଗୋଷ୍ଠୀର ଅଭିଭାବକମାନେ ଜଗି ରହିଥିଲେ। ଏନେଇ ପରୀକ୍ଷା କେନ୍ଦ୍ର ନିକଟରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ପ୍ରଧାନଶିକ୍ଷକ ବନମାଳୀ ନାୟକ ବାଲିଅନ୍ତା ଥାନାକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସଦଳେବଳ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରୀକ୍ଷା ସରିବା ପରେ ଉଭୟ ପକ୍ଷର ୧୫ଜଣ ଛାତ୍ରଙ୍କୁ ପୁଲିସ ପଚରାଉଚରା କରିଥିଲା। ସେମାନଙ୍କ ଭିତରୁ ୬ଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି। ମାଟ୍ରିକ ପରୀକ୍ଷା ଦେଉଥିବା ଛୋଟ ପିଲାମାନଙ୍କ ଏଭଳି ଆଚରଣ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/sf54h64fhs6f5h4sf65hs.jpg)