ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନ : ପ୍ରଶ୍ନ ସହଜ ପରୀକ୍ଷାର୍ଥୀ ଖୁସ୍‌

ପରୀକ୍ଷାର୍ଥୀଙ୍କ ମନରେ ଥିଲା ଟିକିଏ ଭୟ। ପ୍ରଥମ ଦିନ ମାତୃଭାଷାର ପ୍ରଶ୍ନ କେମିତି ଆସିବ? ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର କେମିତି ଲେଖିବେ? ବିଦ୍ୟାଳୟ ବାହାରେ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଯାଞ୍ଚ କିଭଳି ହେବ? ପରୀକ୍ଷାକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ଆଜି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ଆଶଙ୍କା ଓ ଉତ୍ସାହ ମଧ୍ୟରେ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ତେବେ ମାତୃଭାଷାର ପ୍ରଶ୍ନ ବେଶ୍‌ ସହଜ ଥିଲା। ତେଣୁ ଭୟ ଦୂରେଇ ଯାଇଥିଲା। ପରୀକ୍ଷା କେନ୍ଦ୍ରରୁ ବାହାରିବା ବେଳକୁ ପ୍ରାୟ ସଭିଏଁ ଖୁସ୍‌ ଥିଲେ।

ବ୍ୟାଗ୍‌ ଆଣି ପରୀକ୍ଷାର୍ଥୀ ହଟହଟା

କେତେଜଣ ପରୀକ୍ଷାର୍ଥୀ ସାଙ୍ଗରେ ବ୍ୟାଗ୍‌ ଆଣି ହଟହଟା ହୋଇଥିଲେ। ମୁଖ୍ୟ ଫାଟକ ନିକଟରେ ଯାଞ୍ଚ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ଅଟକାଇଥିଲେ। ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲେ।

ସକାଳ ୭ଟାରୁ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଧାଡ଼ି

ସକାଳ ୯ଟାରେ ପରୀକ୍ଷା ଥିଲା। ତେବେ ୭ଟାରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ପରୀକ୍ଷାର୍ଥ ଏବଂ ଅଭିଭାବକଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ପରୀକ୍ଷା ଥିବାରୁ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରର ଫାଟକ ଖୋଲିବା ପରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିଥିଲେ। ଆଡମିଟ୍‌ କାର୍ଡ ଧରି ପରୀକ୍ଷାର୍ଥୀ ହଲ୍‌କୁ ଯାଇଥିଲେ। ଯାଞ୍ଚ ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ପୁରୀ, ନୟାଗଡ଼, ଖୋର୍ଧାକୁ ନେଇ ଗଠିତ ଭୁବନେଶ୍ୱର ଜୋନ୍‌ରେ ୭୦,୪୬୫ ଜଣ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେତେଜଣ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

ଯାଞ୍ଚ ପାଇଁ ଜୋତା ଖୋଲା

ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଯାଞ୍ଚ କଡ଼ାକଡ଼ି ହୋଇଛି। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ୩ଟି ଲେଖାଏ ଟିମ୍‌ ପରୀକ୍ଷାର୍ଥୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀ ଜୋତା ପିନ୍ଧି ଆସିଥିବାରୁ ତାହାକୁ ଖୋଲାଯାଇ ଯାଞ୍ଚ କରାଯାଇଥିଲା। ପରୀକ୍ଷା ଚାଲିଥିବା ସମୟରେ କେନ୍ଦ୍ର ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ପରୀକ୍ଷାର୍ଥୀଙ୍କୁ ପୁଣିଥରେ ଯାଞ୍ଚ କରିଥିଲେ।

ପରୀକ୍ଷା କେନ୍ଦ୍ର ଉପରେ ସିସିଟିଭି ନଜର

କ୍ୟାପିଟାଲ ହାଇସ୍କୁଲରେ ପରୀକ୍ଷା ଦେଉଥିବା ୭ଟି ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ଉପରେ ନଜର ରଖିଥିଲା ସିସିଟିଭି। ପରୀକ୍ଷାର ପ୍ରତିଟି ମୁହୂର୍ତକୁ ସିସିଟିଭି ମାଧ୍ୟମରେ କଏଦ କରାଯାଇଛି। ପ୍ରତି ହଲ୍‌ରେ କ୍ୟାମେରା ଲଗାଯାଇ ପରୀକ୍ଷା ପରିଚାଳନାର ତଦାରଖ ହୋଇଥିଲା। ପ୍ରବେଶ ପଥରେ ମଧ୍ୟ କ୍ୟାମେରା ଲାଗିଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ତଥା ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ସୋନାମିକା ରାୟଙ୍କ ତତ୍ତ୍ୱାବଧାନରେ ସିସିଟିଭି ପରିଚାଳିତ ହୋଇଥିଲା। ଏଥିସହ ୟୁନିଟ୍‌-୮, ବରମୁଣ୍ଡା, ନୀଳାଦ୍ରିବିହାର ସରସ୍ୱତୀ ବିଦ୍ୟାମନ୍ଦିରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ବି ସିସିଟିଭି ଲାଗିଥିଲା। କେତେକ କେନ୍ଦ୍ରରେ ସିଟିଟିଭି ଲାଗିଥିଲେ ମଧ୍ୟ ତାହା ଚାଲୁ ନ ଥିବା ଦେଖିବାକୁ ମିଳିଛି।

ଦୁଇ ପରୀକ୍ଷାର୍ଥୀ ଆହତ

କ୍ୟାପିଟାଲ ହାଇସ୍କୁଲକୁ ପରୀକ୍ଷା ଦେବାକୁ ଆସିବା ସମୟରେ ଦୁଇ ଜଣ ଛାତ୍ର ଗାଡ଼ିରୁ ପଡ଼ି ଆହତ ହୋଇଥିଲେ। ସେମାନଙ୍କ ହାତ କଟିିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଚିକିତ୍ସା କରାଯାଇଥିଲା। ତେବେ ଆହତ ହେବା ସତ୍ତ୍ୱେ ସେମାନେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍‌ ପରେ ଉଭୟ ଛାତ୍ର ପରୀକ୍ଷା ହଲ୍‌ରେ ପ୍ରବେଶ କରିଥିଲେ।

୧୩ ଦୃଷ୍ଟିବାଧିତ ପରୀକ୍ଷାର୍ଥୀ

କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୩ ଜଣ ଦଷ୍ଟିବାଧିତ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ପାଇଁ କେନ୍ଦ୍ର ପକ୍ଷରୁ ସହାୟକ ଯୋଗାଇ ଦିଆଯାଇଥିଲା। ପରୀକ୍ଷାର୍ଥୀ ପ୍ରଶ୍ନର ଉତ୍ତର ଡାକିଥିଲେ, ଯାହାକୁ ସହାୟକ ଲେଖିଥିଲେ। ଏମାନଙ୍କ ଲାଗି ସ୍ୱତନ୍ତ୍ର ହଲ୍‌ କରାଯାଇଥିଲା।

ବୁଲିଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ

ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି ଅଚାନକ ଗସ୍ତ କରିଥିଲେ। ଉତ୍କଳ ବିଶ୍ୱିଦ୍ୟାଳୟ କ୍ୟାମ୍ପସରେ ଥିବା ହାଇସ୍କୁଲକୁ ଗସ୍ତ କରିବା ସହ ପରୀକ୍ଷା ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ସେ କେନ୍ଦ୍ର ଭିତରେ ବୁଲିଥିଲେ। ସେହିପରି ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ୬ଟି କେନ୍ଦ୍ର ବୁଲିଥିବା ଜଣାପଡ଼ିଛି। ଗଠିତ ହୋଇଥିବା ୫ସ୍ତରୀୟ ସ୍କ୍ଵାଡ୍‌ ମଧ୍ୟ ବିଭିନ୍ନ କେନ୍ଦ୍ର ବୁଲି ପରୀକ୍ଷା କେନ୍ଦ୍ରଗୁଡ଼ିକର ଯାଞ୍ଚ କରିଥିଲେ। ସବୁ ସ୍ଥାନରେ ସୁରୁଖୁରରେ ପରୀକ୍ଷା ଶେଷ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର