ପୂର୍ବ ବର୍ଷ ଅପେକ୍ଷା ବଢ଼ିଲା ସରକାରୀ ସ୍କୁଲର ପାସ୍‌ହାର

ରାଜଧାନୀର ସରକାରୀ ବିଦ୍ୟାଳୟଗୁଡ଼ିକ ଏଥର ଉତ୍ସହଜନକ ରେଜଲ୍ଟ କରିଛନ୍ତି। ଗତବର୍ଷ ତୁଳନାରେ ଏଥର ପାସ୍‌ହାର ବୃଦ୍ଧି ପାଇଛି। କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୨ ଜଣ ପରୀକ୍ଷାର୍ଥୀ ‘ଏ-୧’ ପାଇଛନ୍ତି। ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ‘ଏ-୧’ ‌ଗ୍ରେଡ୍‌ ହାସଲ କରିଛନ୍ତି। ଏଥିସହ ବମିଖାଲସ୍ଥିତ ଦେବରାଜ ବିଦ୍ୟାପୀଠର ଦୁଇ ଜଣ ପରୀକ୍ଷାର୍ଥୀ ‘ଏ-୧’ ତାଲିକାରେ ରହିଛନ୍ତି। ଆଉ କିଛି ବିଦ୍ୟାଳୟର ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍‌ ହାସଲ କରି ବିଦ୍ୟାଳୟ ଲାଗି ଗୌରବ ଆଣିଛନ୍ତି।

କିସ୍‌ରେ ୧୬୩ ଆଦିମ ଜନଜାତି ଛାତ୍ରଛାତ୍ରୀ ପାସ୍‌

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲଥ ସାଇନ୍ସ (କିସ୍‌)ର ଛାତ୍ରଛାତ୍ରୀ ପୁଣିଥରେ ବାଜି ମାରିଛନ୍ତି। ୩୦୦ ଛାତ୍ରଛାତ୍ରୀ ୬୦ରୁ ଅଧିକ ପ୍ରତିଶତ ନମ୍ବର ରଖିଛନ୍ତି। ମୋଟ ୧୬୭୬ ଜଣ ପରୀକ୍ଷା ଦେଇଥିବା ବେଳେ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀ ସାକିଲା ମାଝି ସର୍ବାଧିକ ୯୩% ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଚଳିତବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ, ସଉରା ଓ ବଣ୍ଡା ଆଜି ଆଦିମ ଜନଜାତିର ୧୬୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭୀମଭୋଇ ବିଦ୍ୟାଳୟ‌େର ସମସ୍ତେ ପାସ୍

ଭୁବନେଶ୍ବର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଏଥର ବି ବାଜି ମାରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ‘ବି୨’, ୫ ଜଣ ‘ସି’ ଓ ‘ଡି’ ଗ୍ରେଡ୍‌ ପାଇଛନ୍ତି।

ଶିକ୍ଷା ବିକାଶ ସମିତିର ୯୮.୮୭% ସଫଳତା

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଶିକ୍ଷା ବିକାଶ ସମିତିକୁ ଅପୂର୍ବ ସଫଳତା ମିଳିଛି। ସଫଳତା ହାର ୯୮.୮୭ ପ୍ରତିଶତ ରହିଛି। ସମିତି ଦ୍ବାରା ପରିଚାଳିତ ୨୯୫ ଶିଶୁ ବିଦ୍ୟା ମନ୍ଦିରର ମୋଟ ୧୬,୧୯୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬,୦୧୪ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ତେବେ ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିବ ପ୍ରସାଦ ପାଣି ୫୭୮ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏ-୧ରେ ୫୭୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ରେ ୨୫୬୫, ବି-୧ରେ ୩୬୮୪, ବି-୨ରେ ୩୭୪୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଭଳି ସଫଳତା ପାଇଁ ସମିତିର ସଭାପତି, ସମ୍ପାଦକ, ସଂଗଠନ ମନ୍ତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର