ରାଜଧାନୀରେ ମାଟ୍ରିକ୍‌ ପରୀକ୍ଷା ଫଳ: ଘରୋଇ ୯୮%, ସରକାରୀ ୮୮%

ଭୁବନେଶ୍ବର: ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ୨୦୧୯ ତୁଳନାରେ ଏଥର ସାରା ରାଜ୍ୟରେ ପାସ୍‌ହାର ବଢ଼ିଥିବା ବେଳେ ଖୋର୍ଧା ଜିଲ୍ଲାରେ ପାସ୍‌ହାରରେ ବି ଉନ୍ନତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ ଥିବା ଘରୋଇ ଓ ସରକାରୀ ବିଦ୍ୟାଳୟଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ୯୦ ପ୍ରତିଶତରୁ ଅଧିକ ମାର୍କ ଅର୍ଥାତ୍‌ ‘ଏ୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ମଧ୍ୟ ବଢ଼ିଛି। ଗତବର୍ଷ ଜିଲ୍ଲାରେ ୧୪୪ ଜଣ ‘ଏ୧’ ପାଇଥିବା ବେଳେ ଏଥର ୧୮୨ ଜଣ ‘ଏ୧’ ପାଇଛନ୍ତି। ଉପଯୁକ୍ତ ମାର୍କ ମିଳି ନଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଖାତା ପୁନଃଯାଞ୍ଚ ଲାଗି ଆବେଦନ କରିବେ ବୋଲି କହିଛନ୍ତି।

ଖୋର୍ଧା ଜିଲ୍ଲାରେ ପରୀକ୍ଷା ଦେଇଥିବା ୨୬,୭୨୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩,୩୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୭.୨୮% ରହିଛି। ୧୮୨ ଜଣ ୯୦%ରୁ ଅଧିକ ନମ୍ବର ରଖି ‘ଏ୧‘ ଗ୍ରେଡ୍‌ ହାସଲ କରିଥିବା ବେଳେ ୯୫୨ ଜଣ ‘ଏ୨’, ୧୭୨୧ ଜଣ ‘ବି୧’, ୨୬୧୦ ଜଣ ‘ବି୨’, ୩୫୭୯ ଜଣ ‘ସି’, ୫୩୧୫ ଜଣ ‘ଡି’, ୮୯୬୭ ଜଣ ‘ଇ’ ଗ୍ରେଡ୍‌ ପାଇଛନ୍ତି। ୩୩୯୫ ଜଣ ପରୀକ୍ଷାର୍ଥୀ ‘ଏଫ୍‌’ ଗ୍ରେଡ୍‌ ହାସଲ କରିଛନ୍ତି। ‘ଏ୧’ ଓ ‘ଏ୨’ ଗ୍ରେଡ୍‌ ହାସଲ କରିବା କ୍ଷେତ୍ରରେ ଖୋର୍ଧା ଜିଲ୍ଲାର ପରୀକ୍ଷାର୍ଥୀ ରାଜ୍ୟରେ ଆଗରେ ରହିଛନ୍ତି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଥିବା ୬୦ଟି ସରକାରୀ ହାଇସ୍କୁଲର ୪୮୦୬ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮୮% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଗତବର୍ଷ ପାସ୍‌ହାର ୮୨% ରହିଥିଲା। ବିଏମ୍‌ସି ଅଧୀନ ସ୍କୁଲଗୁଡ଼ିକ ମଧ୍ୟରୁ ୧୪ ଜଣ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଛାତ୍ର ଥିବା ବେଳେ ୬ ଜଣ ଛାତ୍ରୀ ଅଛନ୍ତି। ୧୩୧ ଜଣ ‘ଏ୨’ ରଖିଥିବା ବେଳେ ୨୪୮ ଜଣ ‘ବି୧’, ୪୪୧ ଜଣ ‘ବି୨’ ଗ୍ରେଡ୍‌ ପାଇଛନ୍ତି। ମୋଟ ୨୦୬୭ ଜଣ ଛାତ୍ର ଓ ୨୨୩୨ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ସେହିପରି ଭୁବ‌ନେଶ୍ବର ବ୍ଲକର ୨୨ଟି ସରକାରୀ ହାଇସ୍କୁଲର ୧୩୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୮୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୬.୯୯% ରହିଛି। ୨୦୧୯ରେ ପାସ୍‌ହାର ୭୫ ପ୍ରତିଶତ ରହିଥିଲା। ୫ ଜଣ ପରୀକ୍ଷାର୍ଥୀ ‘ଏ୧’ ପାଇଥିବା ବେଳେ ୪୧ ଜଣ ‘ଏ୨’, ୫୫ ଜଣ ‘ବି୧’, ୧୧୭ ଜଣ ‘ବି୨’, ୧୫୫ ଜଣ ‘ସି’, ୨୮୬ ଜଣ ‘ଡି’ ଗ୍ରେଡ୍‌ ହାସଲ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ ସୂଚନା‌ ଦେଇଛନ୍ତି। ଘରୋଇ ବିଦ୍ୟାଳୟ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଭୃତି ଶିକ୍ଷାନୁଷ୍ଠାନ)ର ୮୦ରୁ ଅଧିକ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ପାଇଥିବା ସୂଚନା ମିଳିଛି। ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଅବିସ୍ମୃତା‌ କର ୫୮୦ ନମ୍ବର ରଖି ରାଜଧାନୀ ତଥା ରାଜ୍ୟରେ ଆଗରେ ରହିଥିବା ସୂଚନା ମିଳିଛି। ରାଜଧାନୀର ଘରୋଇ ବିଦ୍ୟାଳୟ ଗୁଡ଼ିକର ପାସ୍‌ ହାର ୯୮ ପ୍ରତିଶତ ରହିଥିବା ଜଣାପଡ଼ିଛି।

୨୬ରୁ ଅଧିକ ସ୍କୁଲରେ ୧୦୦% ରେଜଲ୍ଟ
ସହରର ୧୮ରୁ ଅଧିକ ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ସଫଳତା ହାସଲ କରିବା କ୍ଷେତ୍ରରେ ଘରୋଇ ବିଦ୍ୟାଳୟଗୁଡ଼ିକ ଆଗରେ ରହିଛନ୍ତି। ୧୪ଟି ଘରୋଇ ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଥିବା ବେଳେ ସହରର ୯ଟି ସରକାରୀ ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।

ସରକାରୀ ବିଦ୍ୟାଳୟର ପାସ୍‌ହାର ଉତ୍ସାହଜନକ
ରାଜଧାନୀର ସରକାରୀ ବିଦ୍ୟାଳୟଗୁଡ଼ିକ ଏଥର ଉତ୍ସାହଜନକ ରେଜଲ୍ଟ କରିଛନ୍ତି। ଶ୍ୟାମପୁରସ୍ଥିତ କଳିଙ୍ଗ ବିଦ୍ୟାପୀଠର ୩ ଜଣ ଛାତ୍ର ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚବିଦ୍ୟାଳୟର ଦୁଇ ଜଣ, ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତପୋବନ ସରକାରୀ ହାଇସ୍କୁଲ, ୟୁନିଭରସିଟି ହାଇସ୍କୁଲ, ଯଦୁପୁରସ୍ଥିତ ସଏଦ୍‌ ମମ୍ମତାଜଅଲ୍ଲୀ ହାଇସ୍କୁଲର ଜଣେ ଲେଖାଏ ପରୀକ୍ଷାର୍ଥୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର