ମାଟ୍ରିକ ରେଜଲ୍ଟ: ମା’ଙ୍କ ପରିଶ୍ରମକୁ ସାର୍ଥକ କଲେ ଶୁଭଲକ୍ଷ୍ମୀ

ଭୁବନେଶ୍ବର: ଗାଁରେ ନଥିଲା ସ୍ବଚ୍ଛଳ ଚଳଣି। ଚାଷବାସରୁ ସ୍ବାମୀଙ୍କ ସ୍ବଳ୍ପ ରୋଜଗାର ପରିବାରର ପେଟକୁ ଯଥେଷ୍ଟ ହେଉନଥିଲା। ତେଣୁ ଗାଁରେ ରହି ପିଲାଙ୍କ ଭବିଷ୍ୟତ ଗଢ଼ିବା ଅସମ୍ଭବ ବୋଲି ବୁଝିଥିଲେ ଟିକିଲି ରାଉତ। ଢେଙ୍କାନାଳରୁ ଘରୁ ଗୋଡ଼ କାଢ଼ି ରାଜଧାନୀ ଚାଲି ଆସି‌ଲେ। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ଘରୋଇ କମ୍ପାନିରେ ମାସିକ ୬ହଜାର ଟଙ୍କାରେ ଚାକିରି କଲେ। ଚକେଇସିହାଣୀ ପାଟଦେଇ ବସ୍ତିରେ ରହିଲେ। ଝିଅକୁ ରସୁଲଗଡ଼ ଶବରସାହି ସରସ୍ବତୀ ଶିଶୁମନ୍ଦିରରେ ପଢ଼ାଇଲେ। ଆଜି ସେହି ଝିଅ ଶୁଭଲକ୍ଷ୍ମୀ ସ୍କୁଲ୍‌ ଟପ୍‌ର ହୋଇଛି। ମାଟ୍ରିକ ପରୀକ୍ଷାରେ ୯୫% ମାର୍କ ରଖି ସ୍କୁଲ୍‌ରେ ଟପର୍‌ ହୋଇଛନ୍ତି।

ଶୁଭଲକ୍ଷ୍ମୀଙ୍କ ଏହି ସଫଳତାରେ ମା’ ଟିକିଲି ରାଉତ ବେଶ୍ ଖୁସି ହୋଇଛନ୍ତି। ତାଙ୍କ ପରିଶ୍ରମକୁ ଝିଅ ସାର୍ଥକ କରିଛି ବୋଲି ଆ‌ନନ୍ଦରେ କୋହ‌କୋହ ହୋଇ କହିଛନ୍ତି। ଏଥିପାଇଁ ସେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଣେ ଅଭାବୀ ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍କୁଲ୍‌ ଫି’ ଛାଡ଼ କରିବା ସହ ତାକୁ ପଢ଼ିବାରେ ଉତ୍ସାହିତ କରିଥିବାରୁ ଆଜି ତାକୁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭଲକ୍ଷ୍ମୀ କହିଛନ୍ତି। ତେବେ ଉଚ୍ଚଶିକ୍ଷା ପାଇଁ ଅର୍ଥବାଧକ ସାଜିବା ଆଶଙ୍କା ଥିବାରୁ ତାଙ୍କୁ କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗର ହାତ ବଢ଼ାଇବାକୁ ମା’ ଟିକିଲି ଓ ପ୍ରଧାନଶିକ୍ଷକ ଅନୁରୋଧ କରିଛନ୍ତି।

ପ୍ରତିଘାତ ଭିତରେ ଯାଜ୍ଞସେନୀଙ୍କ ସଫଳତା

ସେ ଯେତେବେଳେ ୪ର୍ଥ ଶ୍ରେଣୀରେ ପଢ଼ୁଥିଲେ, ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହେଲେ। କିନ୍ତୁ ଉକ୍ତ ଦୁର୍ଘଟଣାରୁ ସେ ଓ ମା’ ବଞ୍ଚିଗଲେ ସିନା ବାପା ସେମାନଙ୍କ ହାତ ଛାଡ଼ି ଆରପାରିକୁ ଚାଲିଗଲେ। ସେହିଦିନଠୁ ମା’ କିନ୍ତୁ ସଂଘର୍ଷ କରି ଚାଲିଛନ୍ତି। ୩ ପିଲାଙ୍କୁ ମଣିଷ କରିବାକୁ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ସେ ଏକାକୀ ଲଢ଼ିଛନ୍ତି। ଆଜି ମା’ଙ୍କୁ ମିଳିଛି ଏକ ବୃହତ୍ ବିଜୟ। ମାଟ୍ରିକ୍‌ ପରୀକ୍ଷାରେ ଝିଅ ଗ୍ରେଡ୍‌ ଏ-୧ ପାଇ ମା’ ଆଖିରେ ଭରି ଦେଇଛି ଆନନ୍ଦାଶ୍ରୁ।

ଏହା ହେଉଛି ୟୁନିଟ୍‌-୧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଟପର୍‌ ହୋଇଥିବା ଯାଜ୍ଞସେନୀ ପଣ୍ଡାଙ୍କ କଥା। ଯାଜ୍ଞସେନୀ ୫୫୮ନମ୍ବର ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମା’ ଜେମାମଣିଙ୍କ ଆଖିରୁ ଗଡ଼ିଛି ଆନନ୍ଦାଶ୍ରୁ। ରାଜଧାନୀରେ ତିନି ଛୁଆଙ୍କୁ ଧରି ବଡ଼ କଷ୍ଟ‌ରେ ଚଳୁଛନ୍ତି ଜେମାମଣି। ରୋଜଗାର କେବଳ ସିଲେଇରୁ। ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନଙ୍କୁ ମଣିଷ କରିବାକୁ ଜେମାମଣି ଭଦ୍ରକରୁ ରାଜଧାନୀକୁ ଚାଲି ଆସିଥିଲେ। ଦିନରାତି ସିଲେଇ କରି ସେଥିରୁ ହେଉଥିବା ସ୍ବଳ୍ପ ରୋଜଗାରରୁ ସେ ପିଲାଙ୍କୁ ବଢ଼ାଇଥିଲେ। ଅଭାବ ସତ୍ତ୍ବେ ଯାଜ୍ଞସେନୀର ପଢ଼ା ପାଇଁ ସେ ଯଥାସମ୍ଭବ ସହଯୋଗ କରିଥିଲେ। ସେହିଭଳି ମା’ଙ୍କ କଷ୍ଟକୁ ଅନୁଭବ କରି ଯାଜ୍ଞସେନୀ ମଧ୍ୟ ପଢ଼ାରେ କୌଣସି ଅବହେଳା କରିନଥିଲେ। ତେଣୁ ତାଙ୍କୁ ଆଜି ପରିଶ୍ରମର ଫଳ ମିଳିଛି। ଭବିଷ୍ୟତରେ ସେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେବେ ଓ ଏଥିପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଯାଜ୍ଞସେନୀ କହିଛନ୍ତି।

ପୂରଣ ହେଲା ‘ଆଶାଏଁ’ର ଆଶା

‘ଆଶାଏଁ’ ଅନୁଷ୍ଠାନର ଆଶା ସାକାର କରିଛନ୍ତି ଏହାର କୃତୀ ପିଲାମାନେ। ଅନୁଷ୍ଠାନ ତରଫରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଥିବା ଏହାର ପାଠଶାଳାରୁ ଚାରିଜଣ ପିଲା ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦିନେ ଯେଉଁମାନେ ପାଠପଢ଼ାରେ ଡୋରି ବାନ୍ଧି ଜରି ବୋତଲ ଗୋଟାଉଥିଲେ, ମୂଲ ଲାଗୁଥିଲେ; ସେମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଛନ୍ତି। ଏହା କେବଳ ସେମାନଙ୍କ ପାଇଁ ନୁହେଁ, ବରଂ ସେମାନଙ୍କ ଭଳି ଶହଶହ ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ସାତ ବର୍ଷ ଧରି ଆଶାଏଁ ଅନୁଷ୍ଠାନ ଭୁବନେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଏହିଭଳି ପିଲାଙ୍କୁ ନେଇ ପାଠପଢ଼ା ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ କରି ଆସୁଛି। ପାଞ୍ଚଟି ସ୍ଥାନରେ ସେଣ୍ଟର୍‌ ଖୋଲି ପିଲାମାନଙ୍କୁ ପାଠପଢ଼ା ସହ ଜୀବନକୌଶଳ, ଯୋଗ, ଖେଳ, ନୃତ୍ୟଗୀତ, ଚିତ୍ରକଳା ଇତ୍ୟାଦି ତାଲିମ ପ୍ରଦାନ କରାଯାଉଛି। ସଫଳତା ପାଇଥିବା କେ. ଭାରତୀ ରେଡ୍ଡି, ମାଧବ ଲାଗୁରୀ, ପି. କଲ୍ୟାଣ ଓ ନିନି ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଦିବ୍ୟାଙ୍ଗଙ୍କ ସଫଳତା

ଭୀମଭୋଇ ଦୃଷ୍ଟିହୀନ ସରକାରୀ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଦ୍ୟାଳୟର ଅଶିଲେଶ୍ ପ୍ରସାଦିନୀ ୪୨୬ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ କଳାଶ୍ରୀ ଦାଶ ଜଣାଇଛନ୍ତି। ସେହିପରି ବିପିନ ବିହାରୀ ଚୌଧୁରୀ ବଧିର ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୦ଜଣ ଯାକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଆଶୁତୋଷ ମହାନ୍ତି ୩୫୪ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର କହିଛନ୍ତି।

ବାଲିଅନ୍ତା ବ୍ଳକରେ ପାସ୍‌ହାର ୯୯%

ବାଲିଅନ୍ତା ବ୍ଳକରେ ପାସ୍‌ହାର ୯୯% ରହିଛି। ୧୯ଟି ହାଇସ୍କୁଲର ୧୩୫୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୦୫ଜଣ ପାସ କରିଛନ୍ତି। ୩୬ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭିଙ୍ଗାରପୁର ପଞ୍ଚାୟତ ଋତପଲ୍ଲୀ ବିଦ୍ୟାପୀଠର ଛାତ୍ରୀ ନିହାରୀକା ସାହୁ ୫୮୫ ନମ୍ବର ରଖି ବ୍ଳକରେ ସର୍ବୋଚ୍ଛ ସ୍ଥାନ ଅଧିକାର କରିଛନ୍ତି। ଋତପଲ୍ଲୀ ବିଦ୍ୟାପୀଠର ୧୫ ଜଣ ଛାତ୍ରଛାତ୍ରୀ ଏ୧ରେ ପାସ୍‌ କରିଛନ୍ତି। ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ୫, ବଇଁଚୁଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୪, ଜଗନ୍ନାଥପୁର ଗାଦିବ୍ରହ୍ମ ବାଳିକା ଉଚ୍ଚ ବିଦ୍ୟାଳୟର ୪ଜଣ ଏ-୧ ଗ୍ରେଡ୍‌ ରଖିଛନ୍ତି।

ବାଲିପାଟଣା ବ୍ଲକରେ ୧୦ଜଣ ଏ-୧

ବ୍ଲକର ୧୦ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ପାସ କରିଛନ୍ତି। ମୋଟ ୨୫ ହାଇସ୍କୁଲ ମଧ୍ୟର ୧୪୩୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୦୭ ଜଣ ପାସ୍‌ କରିଛନ୍ତି। ବୁଦ୍ଧନାଥ ହାଇସ୍କୁଲର ଛାତ୍ର ଉମେଶ କୁମାର ମହାପାତ୍ର ୫୭୪, ବାଲୁଙ୍କେଶ୍ୱର ବିଦ୍ୟାପୀଠର ଓମ୍‌ ଅବିନାଶ ସ୍ୱାଇଁ ୫୬୬, ରାଜେଶ ବେହେରା ୫୫୮, ସାଇଦୀପ ଦାସ ୫୫୬ ନମ୍ବର ରଖିଛନ୍ତି। ଏ-୧ ବ୍ୟତୀତ ୧୨୧ଜଣ ଏ-୨, ୧୩୩ଜଣ ବି-୧, ୩୬୧ ଜଣ ବି-୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀ ଶୈଳାଧିରାଜ ତନୟା ଶତପଥୀ ସୂଚନା ଦେଇଛନ୍ତି।

ସରକାରୀ ସ୍କୁଲ ପରୀକ୍ଷା ଫଳ

ୟୁନିଟ୍‌-୮ ସରକାରୀ ବାଳିକା ହାଇସ୍କୁଲର ସମସ୍ତ ୯୫ଜଣ ଛାତ୍ରୀ ପାସ୍‌ କରିଥିବା ବେଳେ ୩ଜଣ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ଆଇଆର୍‌ସି ଭିଲେଜ ହାଇସ୍କୁଲରେ ୩୯୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୫ଜଣ ‘ଏ-୧’ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ସ୍କୁଲର ଛାତ୍ର ଜ୍ଞାନ ରଞ୍ଜନ ୫୫୪ ନମ୍ବର ରଖିଥିବା‌ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ବେହେରା କହିଛନ୍ତି। ୟୁନିଟ୍-୧ ବାଳିକା ହାଇସ୍କୁଲ ଓ ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ୪ ଜଣ ଲେଖାଏ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। କ୍ୟାପିଟାଲ୍ ହାଇସ୍କୁଲ୍‌ର ଜଣେ ମାତ୍ର ଛାତ୍ର ଅଭିଷେକ ପଣ୍ଡା ଏ-୧ ଗ୍ରେଡ୍‌(୫୭୯ ମାର୍କ) ରଖି ସ୍କୁଲ ଟପର୍‌ ହୋଇଛନ୍ତି।

ୟୁନିଟ୍‌-୧ ସରକାରୀ ଉଚ୍ଚବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ, ମଞ୍ଚନାଥଦେବ ହାଇସ୍କୁଲ, ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟରେ ଜଣେ ଲେଖାଏଁ ଏ-୧ ପାଇଛନ୍ତି। ଓଏସ୍‌ଏପି ସପ୍ତମ ବାଟାଲିୟନ୍ ହାଇସ୍କୁଲର ୩ଜଣ ପିଲା ଏ-୧ ପାଇଥିବା ବେଳେ ଛାତ୍ର ହାପି ବେହେରା ୫୫୭ ନମ୍ବର ରଖି ସ୍କୁଲ ଟପର୍ ହୋଇଥିବା ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ କହିଛନ୍ତି। ବମିଖାଲ ଦେବରାଜ ବିଦ୍ୟାପୀଠର ଦୁଇଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନଶିକ୍ଷକ ମଧୁସୂଦନ ଦେ’ ସୂଚନା ଦେଇଛନ୍ତି। ଲକ୍ଷ୍ମୀସାଗର ହାଇସ୍କୁଲରେ ୧୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫ଜଣ କୃତକାର୍ଯ୍ୟ ହୋଇଛନ୍ତି। କେହି ଏ-୧ ଗ୍ରେଡ୍‌ ପାଇ ନାହାନ୍ତି। ଛାତ୍ର ସୀତାରାମ ସାହୁ ୫୨୫ନମ୍ବର ରଖିଥିବା ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ବେହେରା କହିଛନ୍ତି। ଭିଏସ୍‌ଏସ୍‌ ହାଇସ୍କୁଲ୍‌‌ରେ ୫ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବଳ କହିଛନ୍ତି।

ସମ୍ବନ୍ଧିତ ଖବର