ସରକାରୀ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା : ପଛରେ ପଡ଼ିଲେ ସରକାରୀ ହାଇସ୍କୁଲ

ରାଜଧାନୀର ୧୪୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀଙ୍କୁ ‘ଏ୧’ ଗ୍ରେଡ୍‌, ସେଣ୍ଟର୍‌ ପରିବର୍ତନ ଯୋଗୁଁ କମିଲା ପାସ୍‌ହାର

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ୬୦ରୁ ୮୦ ବର୍ଷ ତଳର ସରକାରୀ ବିଦ୍ୟାଳୟ ଏଥର ବି ନିରାଶ କରିଛନ୍ତି। ପର୍ଯ୍ୟାପ୍ତ ଭିତ୍ତିଭୂମି ସାଙ୍ଗକୁ ଅଭିଜ୍ଞ ସମ୍ପର୍ଣ୍ଣ ଶିକ୍ଷକ ଶିକ୍ଷୟିତ୍ରୀ ଥାଇ ମଧ୍ୟ ବିଦ୍ୟାଳୟଗୁଡ଼ିକ ଆଶାନୁଯାୟୀ ଫଳ ପ୍ରଦର୍ଶନ କରି ପାରି ନାହାନ୍ତି। ରାଜ୍ୟର ପ୍ରମୁଖ ହାଇସ୍କୁଲ ଭାବେ ପରିଗଣିତ ହେଉଥିବା କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟର ଜଣେ ବି ହେଲେ ଛାତ୍ରଛାତ୍ରୀ ‘ଏ୧’ ହାସଲ ନ କରିବା ସରକାରୀ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି।

ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକର ୧୪୦ରୁ ଅଧିକ ଛାତ୍ରଛାତ୍ରୀ ଏଥର ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ଏଥିରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୩୦ ରହିଛି। ଘରୋଇ ବିଦ୍ୟାଳୟ (ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଭୃତି ଶିକ୍ଷାନୁଷ୍ଠାନ)ର ଶତାଧିକ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ପାଇଥିବା ସୂଚନା ମିଳିଛି। ୟୁନିଟ୍‌-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଗୁରୁ ନିଗମ ଦାସ ୫୭୯ ଅର୍ଥାତ୍‌ ୯୬.୫% ମାର୍କ ରଖିଥିବା ବେଳେ ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସୌମ୍ୟରଞ୍ଜନ ସାହୁ ୫୭୮ ନମ୍ବର ରଖି ଆଗରେ ରହିଥିବା ଜଣାପଡ଼ିଛି। ଅଧିକାଂଶ ଛାତ୍ରଛାତ୍ରୀ ଅଳ୍ପ ମାର୍କ ପାଇଁ ‘ଏ୧’ ଗ୍ରେଡ୍‌ ପାଇବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି।

ରାଜଧାନୀର କେତେକ ଘରୋଇ ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ସରକାରୀ ବିଦ୍ୟାଳୟ କିନ୍ତୁ ପଛରେ ପଡ଼ିଛନ୍ତି। ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ଦରମା ସାଙ୍ଗକୁ ସମସ୍ତ ପ୍ରକାର ସରକାରୀ ସୁବିଧା ବି ଦିଆଯାଉଛି। ତଥାପି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ କାହିଁକି ତ୍ରୁଟି ପରିଲକ୍ଷିତ ହେଉଛି ତାହାକୁ ନେଇ ଏବେ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ମଧ୍ୟ ଗତବର୍ଷ ତୁଳନାରେ କମିଛି। ଏଥର ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇ ନ ଥିବାରୁ ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ଯାହାର ପ୍ରଭାବ ପରୀକ୍ଷା ଫଳ ଉପରେ ପଡ଼ିଥିବା ଶିକ୍ଷାବିତ୍‌ମାନେ କହିଛନ୍ତି। ସେମାନଙ୍କ ମତରେ ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ କପି କରିବା ଲାଗି ସୁଯୋଗ ମିଳୁଥିଲା। ଅବଜେକ୍‌ଟିଭ୍‌ ପ୍ରଶ୍ନଗୁଡ଼ିକର ଉତ୍ତର ପରୀକ୍ଷାର୍ଥୀଙ୍କୁ ଡାକି ଦିଆଯାଉଥିଲା। ଏଥର ଅନ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବା ଦ୍ୱାରା ଛାତ୍ରଛାତ୍ରୀ କପି କରିବାକୁ ବିଶେଷ ସୁବିଧା ପାଇଲେ ନାହିଁ। ଫଳରେ ପାସ୍‌ହାର କମିଲା।

ବରମୁଣ୍ଡା ସରସ୍ୱତ ବିଦ୍ୟାମନ୍ଦିର ସର୍ବାଗ୍ରେ
ବରମୁଣ୍ଡା ସରସ୍ୱତୀ ବିଦ୍ୟା ମନ୍ଦିର ଚଳିତ ବର୍ଷ ବି ବାଜିମାତ କରିଛି। ଚଳିତ ଦଶମ ପରୀକ୍ଷାରେ ଏହି ସ୍କୁଲ୍‌ ସର୍ବାଗ୍ରେ ରହିଛି। ଚଳିତ ବର୍ଷ ମୋଟ୍‌ ୨୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ୧ରେ ୧୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ‘ଏ୨’ ଗ୍ରେଡ୍‌ରେ ୬୬ ଜଣ, ବି୧ରେ ୪୬ ଜଣ ଏବଂ ବି୨ରେ ୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଳିଙ୍ଗନଗର
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଳିଙ୍ଗନଗର, ଘାଟିକିଆ ମଧ୍ୟ ୧୦ମ ପରୀକ୍ଷାରେ ଆଶାତୀତ ସଫଳତା ହାସଲ କରିଛି। ମୋଟ୍‌ ୪ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ୧୫ଜଣ ଛାତ୍ରଛାତ୍ରୀ ଏ୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ
ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟରେ ୧୦୬ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ଦୁଇଜଣ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୭ଜଣ ଏ୨ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ସମ୍ପାଦକ ଶିବଚିଦାନନ୍ଦ ସରସ୍ୱତୀ, ଯୁଗ୍ମ ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ପରିଚାଳନା ସମିତିର ସଦସ୍ୟ, ଶିକ୍ଷକ ଓ ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିବେକାନନ୍ଦ ଶିକ୍ଷାକେନ୍ଦ୍ର
ବିଡିଏ କଲୋନିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଶତପ୍ରତିଶତ ରେଜଲ୍ଟ କରିଛି। ଏହି ଶିକ୍ଷାନୁଷ୍ଠାନରୁ ୫ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ସ୍ମୃତିରଞ୍ଜନ ଦାଶ ସର୍ବାଧିକ ୫୭୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ମନ୍ଦିର
ଗତବର୍ଷ ପରି ଏଥର ମଧ୍ୟ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ଜଣ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ଛାତ୍ରୀ ସଙ୍ଗୀତା ମହାକୁଡ଼ ସର୍ବାଧିକ ୫୬୮ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ସରସ୍ୱତୀ ଶିଶୁ ମନ୍ଦିର ଆଦିମାତା କଲୋନି, ଗାଡ଼କଣରେ ଦୁଇ ଜଣ ଛାତ୍ର ‘ଏ୧’ ଗ୍ରେଡ଼୍‍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସରସ୍ୱତୀ ଶିଶୁ ମନ୍ଦିର ବିଡ଼ିଏ କଲୋନୀର ଛାତ୍ରୀ ବିଶ୍ୱରୂପା ଦାସ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି।

ମମତାଜ୍‌ ଅଲ୍ଲୀ ହାଇସ୍କୁଲ, ନୟାପଲ୍ଲୀ
ନୟାପଲ୍ଲୀସ୍ଥିତ ଏସ୍‌. ମମତାଜ୍‌ ଅଲ୍ଲୀ ହାଇସ୍କୁଲର ୪୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୪ ଜଣ ଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି।

ଭିଏସ୍‌ଏସ୍‌ ନଗର ହାଇସ୍କୁଲ
ଏଠାରେ ପରୀକ୍ଷା ଦେଇଥିବା ୧୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୩ ଜଣ ଛାତ୍ର ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ଅପୂର୍ବ ସୁନ୍ଦର ନାୟକ ୯୪.୩୩% ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି।

କେଦାରଲେନ୍‌ ବିବେକାନନ୍ଦ ଶିକ୍ଷାକନ୍ଦ୍ର
ପୁରୁଣା ଭୁବନେଶ୍ୱରରେ କେଦାରଲେନ୍‌ସ୍ଥିତ ବିବେକାନନ୍ଦ ଉଚ୍ଚଶିକ୍ଷା କେନ୍ଦ୍ରର ଲିପୁନା ପ୍ରଧାନ ଓ ସୌମ୍ୟ ରଞ୍ଜନ ମିଶ୍ର ସବୁଠାରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ଏ୧ରେ ୨ଜଣ, ଏ୨ରେ ୨ଜଣ ରହିଥିବା ବେଳେ ସ୍କୁଲ୍‌ର ପାସ୍‌ ହାର ଶତ ପ୍ରତିଶତ ରହିଥିବା ବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୌମ୍ୟରଞ୍ଜନ ସାହୁ ୫୭୮ରଖି ସବୁଠାରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ଏ୧ରେ ୯ଜଣ, ଏ୨ରେ ୩୯ଜଣ, ରହିଥିବା ବେଳେ ପାସ୍‌ ହାର ଶତପ୍ରତିଶତ ରହିଛି।

ବଡ଼ଗଡ଼ ବ୍ରିଟ୍‌ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
ବଡ଼ଗଡ଼ ବ୍ରିଟ୍‌ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆରଧନା ତ୍ରିପାଠୀ ସର୍ବାଧିକ ୫୭୨ରଖି ସ୍କୁଲ୍‌ ଟପର୍‌ ହୋଇଛନ୍ତି। ବିଦ୍ୟାଳୟର ଏ୧ରେ ୧୫ଜଣ, ଏ୨ରେ ୨୬ଜଣ ରହିଥିବା ବେଳେ ପାସ୍‌ହାର ଶତ ପ୍ରତିଶତ ରହିଛି।

ଆଶ୍ୱାସ ସ୍କୁଲ
ମହତାବ ରୋଡ୍‌ ଆଶ୍ୱାସ ସ୍କୁଲର ଇତିଶ୍ରୀ ରଥ ୫୪୦ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ଏ୧ରେ ଜଣେ, ଏ୨ରେ ଜଣେ ରହିଥିବା ବେଳେ ଶତକଡ଼ା ୧୦୦ ପାସ୍‌ ହାର ରହିଛି।

ବିଏମ୍‌ ହାଇସ୍କୁଲ
ବିଏମ୍‌ ହାଇସ୍କୁଲର ଶିବଶଙ୍କର ମିଶ୍ର ସର୍ବାଧିକ ୫୫୧ ନମ୍ବର ରଖି ସ୍କୁଲ୍‌ରେ ପ୍ରଥମ ହୋଇଛନ୍ତି। ବିଦ୍ୟାଳୟର ଏ୧ରେ ଜଣେ, ଏ୨ରେ ୪ଜଣ ରହିଥିବା ବେଳେ ପାସ୍‌ ହାର ୯୪% ରହିଛି। ସେହିପରି କେଦାର ଗୌରୀ ସ୍ଥିତ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏ୨ରେ ୯ଜଣ ରହିଥିବା ବେଳେ ପାସ୍‌ ହାର ୧୦୦% ରହିଛି।

ୟୁନିଟ୍‌-୩ ସରସ୍ୱତୀ ଶିଶୁ ମନ୍ଦିର
ୟୁନିଟ-୩ ସରସ୍ୱତୀ ଶିଶୁ ମନ୍ଦିରରେ ଚଳିତବର୍ଷ ୯୭ଜଣ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ ଏଠାରେ ପାସ୍‌ ହାର ଶତ ପ୍ରତିଶତ ରହିଛି। ଏହି ସ୍କୁଲରେ ୭ଜଣ ଗ୍ରେଡ୍‌ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଶ୍ରୀମଦ୍‌ ଭଗବତ ଗୀତା ବିଦ୍ୟାମନ୍ଦିର, ନୂଆପଲ୍ଲୀ
ଚଳିତ ବର୍ଷ ଶ୍ରୀମଦ ଭଗବତ ଗୀତା ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି। ଏଠାରେ ପରୀକ୍ଷା ଦେଇଥିବା ସମସ୍ତ ୧୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲର ୧୨ ଜଣ ପରୀକ୍ଷାର୍ଥୀ ‘ଏ୧’ ହାସଲ କରିଛନ୍ତି।

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮
ପରୀକ୍ଷା ଦେଇଥିବା ୧୬୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୪.୬୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲର ୨ଜଣ ପରୀକ୍ଷାର୍ଥୀ ‘ଏ୧’ ହାସଲ କରିଛନ୍ତି।

କସ୍ତୁରବା ଶିକ୍ଷାଶ୍ରମ, ଆଇଆରସି ଭିଲେଜ୍‌
ଚଳିତ ବର୍ଷ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି। ହାଇସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ୨୨ ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଛନ୍ତି। ତେବେ ମାତ୍ର ଜଣେ ଛାତ୍ର‘ଏ୧’ ହାସଲ କରିଛନ୍ତି।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜୟଦେବବିହାର
ଚଳିତ ବର୍ଷ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି। ହାଇସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ୫୮ ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଛନ୍ତି। ତେବେ ସ୍କୁଲର ୬ଜଣ ଛାତ୍ରଛାତ୍ରୀ‘ଏ୧’ ହାସଲ କରିଛନ୍ତି।

ରମକୃଷ୍ଣ ଶିକ୍ଷାକେନ୍ଦ୍ର, ଆଇଆର୍‌ସି ଭିଲେଜ
ପରୀକ୍ଷା ଦେଇଥିବା ୧୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ସ୍କୁଲର ୨ଜଣ ଛାତ୍ର‘ଏ୧’ ହାସଲ କରିଛନ୍ତି।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ୟୁନିଟ୍‌-୮
ଚଳିତ ବର୍ଷ ସ୍କୁଲର ୧୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ‘ଏ୧’ ହାସଲ କରିଛନ୍ତି

ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍‌ସି ଭିଲେଜ
ଚଳିତ ବର୍ଷ ସ୍କୁଲ ୩୧୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ୨ଜଣ ଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮
ପରୀକ୍ଷା ଦେଇଥିବା ୧୧୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୪.୮୨ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର