ଘରୋଇ ସ୍କୁଲ୍‌ ଆଗରେ : ସରକାରୀ ବିଦ୍ୟାଳୟର ୨୦ ଜଣ ରଖିଛନ୍ତି ‘ଏ-୧’, ଘରୋଇ ସ୍କୁଲ୍‌ର ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ‘ଏ-୧’

ଭୁବନେଶ୍ବର : ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ୨୦୧୮ ତୁଳନାରେ ଏଥର ପାସ୍‌ହାର ପ୍ରାୟ ୬ ପ୍ରତିଶତ କମିଛି। ସବୁ ଜିଲ୍ଲାରେ ପାସ୍‌ହାରରେ କିଛିଟା ଫରକ ଦେଖିବାକୁ ମିଳିଥିବା ବେଳେ ଶିକ୍ଷାର ହବ୍‌ ଖୋର୍ଧା ଜିଲ୍ଲାରେ କିନ୍ତୁ ପାସ୍‌ହାର ସାମାନ୍ୟ ବଢ଼ିଛି। ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ଭଲ ସଫଳତା ହାସଲ କରିଥିଲେ ମଧ୍ୟ ଘରୋଇ ସ୍କୁଲ୍‌ଗୁଡ଼ିକ ଆଗରେ ରହିଛନ୍ତି। ତେବେ ୯୦ ପ୍ରତିଶତରୁ ଅଧିକ ମାର୍କ ଅର୍ଥାତ୍‌ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ଗତବର୍ଷ ୨୧୩ ଜଣ ‘ଏ-୧’ ପାଇଥି‌ଲେ। ତେବେ ଏଥର ‘ଏ-୧’ ପାଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୪୪କୁ କମିଆସିଛି। ଉପଯୁକ୍ତ ମାର୍କ ମିଳି ନଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଅଭିଭାବକ ମୂଲ୍ୟାୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖାତା ପୁନଃଯାଞ୍ଚ ଲାଗି ଆବେଦନ କରିବେ ବୋଲି କହିଛନ୍ତି।

ଖୋର୍ଧା ଜିଲ୍ଲାରେ ପରୀକ୍ଷା ଦେଇଥିବା ୨୭,୯୧୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧,୯୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୭୮.୬୭% ରହିଛି। ୧୪୪ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ଏ-୧‘ ଗ୍ରେଡ୍‌ ହାସଲ କରିଥିବା ବେଳେ ୯୮୧ ଜଣ ‘ଏ-୨’, ୨୦୫୫ ଜଣ ‘ବି-୧’, ୩୩୧୧ ଜଣ ‘ବି-୨’, ୪୭୨୧ ଜଣ ‘ସି’, ୫୯୭୭ ଜଣ ‘ଡି’, ୪୭୭୪ ଜଣ ‘ଇ’ ଗ୍ରେଡ୍‌ ପାଇଛନ୍ତି। ୫୯୫୪ ଜଣ ପରୀକ୍ଷାର୍ଥୀ ‘ଏଫ୍‌’ ଗ୍ରେଡ୍‌ ହାସଲ କରିଛନ୍ତି।

ଖୋର୍ଧା ଜିଲ୍ଲାରେ ଥିବା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ବିଏମ୍‌ସିରେ ଥିବା ୬୦ଟି ହାଇସ୍କୁଲର ୩୫୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮୨% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକର ୧୯ ଜଣ ଛାତ୍ରଛାତ୍ରୀ ଏଥର ‘ଏ-୧’ ଗ୍ରେଡ୍‌, ୧୦୮ ଜଣ ‘ଏ-୨’, ୧୮୮ ଜଣ ‘ବି-୧’, ୩୬୯ ଜଣ ‘ବି-୨’ ଗ୍ରେଡ୍‌ ପାଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ସେହିପରି ଭୁବ‌ନେଶ୍ବର ବ୍ଲକର ୨୨ଟି ସରକାରୀ ହାଇସ୍କୁଲର ୧୫୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୮୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ପ୍ରାୟ ୭୫ ପ୍ରତିଶତ ରହିଛି। ୩ ଜଣ ପରୀକ୍ଷାର୍ଥୀ ‘ଏ-୧’ ପାଇଥିବା ବେଳେ ୨୯ ଜଣ ‘ଏ-୨’, ୮୨ ଜଣ ‘ବି୧’, ୧୫୭ ଜଣ ‘ବି୨’, ୨୫୭ ଜଣ ‘ସି’, ୩୪୬ ଜଣ ‘ଡି’ ଗ୍ରେଡ୍‌ ହାସଲ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ ସୂଚନା‌ ଦେଇଛନ୍ତି।

ଘରୋଇ ବିଦ୍ୟାଳୟ (ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଭୃତି ଶିକ୍ଷାନୁଷ୍ଠାନ)ର ୮୦ରୁ ଅଧିକ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଥିବା ସୂଚନା ମିଳିଛି। ବରଗଡ଼ ବ୍ରିଟ୍‌ କଲୋନି ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଦେବସ୍ମିତା ଦାଶ ୫୭୩ ନମ୍ବର ରଖିଥିବା ଜଣାପଡ଼ିଛି। ଅଧିକା˚ଶ ଛାତ୍ରଛାତ୍ରୀ ଅଳ୍ପ ମାର୍କ ପାଇଁ ‘ଏ-୧’ ଗ୍ରେଡ୍‌ ପାଇବାରୁ ବଞ୍ଚିତ ହୋଇଥିବାରୁ ଖାତା ମୂଲ୍ୟାୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖାତା ପୁନଃଯାଞ୍ଚ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର