ଭୁବନେଶ୍ବର: ମାଟ୍ରିକ୍‌ ସମିଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ)-୧ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ତେଣୁ ପରୀକ୍ଷାର୍ଥୀଙ୍କ ମନରେ ଥିଲା ଟିକିଏ ଭୟ। ଓଏମ୍‌ଆର ସିଟ୍‌ରେ ଆସିବାକୁ ଥିବା ପ୍ରଶ୍ନର ଉତ୍ତର କେମିତି ଦେବେ? ଦୀର୍ଘଉତ୍ତର ମୂଳକ ପ୍ରଶ୍ନକୁ କିଭଳି ଲେଖିବେ? ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ କି ନାହିଁ? ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ଅଧିକ ଭୟ ଓ ଟିକିଏ ଉତ୍ସାହ ମଧ୍ୟରେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ମାତ୍ର ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ ଖୁସି ବ୍ୟକ୍ତ କରିଛନ୍ତି। ଭୁବନେଶ୍ବର ସମେତ ‌ଖୋର୍ଧା ଜିଲ୍ଲାରେ ୨୬ ହଜାର ୫୮୦ ଜଣ ପରୀକ୍ଷା ଦେବାକୁ ଥିବା‌ବେଳେ ସେଥିମଧ୍ୟରୁ ୨୪ ହଜାର ୬୨୫ଜଣ ଅଂଶଗ୍ରହଣ କରିଛନ୍ତି ଏବଂ ୧୯୫୫ଜଣ ଅନୁପସ୍ଥିତ ଥିଲେ। ସେହିପରି ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଜିଲ୍ଲାର ୨୮୬ ଜଣ ଫର୍ମ ପୂରଣ କରିଥିବା ବେଳେ ୨୪୦ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

Advertisment

ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବାରୁ ଭୋର ସାଢ଼େ ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା। ସକାଳ ୯ଟାରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିବା ସମୟରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ କରିଥିଲେ। ବିଏମ୍‌ସି ଅଞ୍ଚଳରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୧ ହଜାରରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ। ତେବେ ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷାରେ କେତେଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ରାଜ୍ୟସ୍ତରରେ ସ୍କ୍ବାଡ୍‌ ହୋଇଥିବା ବେଳେ ଜିଲ୍ଲା, ବ୍ଲକସ୍ତରୀୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ପରୀକ୍ଷାର ସୁପରିଚାଳନାର ତଦାରଖ କରିଥିଲେ। ପରୀକ୍ଷାର୍ଥୀ ଯେପରି ହଟହଟା ନ ହେବେ ସେଥିପାଇଁ କେନ୍ଦ୍ରଗୁଡ଼ିକରେ ଆଗୁଆ ସଚେତନତା ବ୍ୟବସ୍ଥା ହୋଇଥିଲା। ଏଥିସହ ନୋଟିସ୍‌ ଲଗାଯାଇ ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ଅନୁଯାୟୀ ପରୀକ୍ଷାର୍ଥୀ, ଅଭିଭାବକ ଓ ସାଧାରଣ ଜନତା ଯଦି ପରୀକ୍ଷାରେ ଅସାଧୁ ଆଚରଣରେ ଲିପ୍ତ ରହିବେ, ‌ପ୍ରୋତ୍ସାହନ ଦେବାରେ ସାହଯ୍ୟ କରିବେ ସେମାନଙ୍କୁ ଆଇନ ଅନୁଯାୟୀ ୩ ମାସ ଜେଲ୍‌ ବା ତିନି ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୁହାଯାଇଥିଲା। ଡିଇଓ, ବିଇଓ ସମେତ ବୋର୍ଡର ଏକାଧିକ ଟିମ୍‌ ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ଯାଞ୍ଚ କରିଥିଲେ।

୯ କେନ୍ଦ୍ରରେ ପରୀକ୍ଷା ଦେଲେ ୧୪୫୦ ପିଲା

ବାଲିପାଟଣା: ବାଲିପାଟଣାର ୯ଟି ପରୀକ୍ଷା କେନ୍ଦ୍ରରେ ୧୪୫୦ ଛାତ୍ରଛାତ୍ରୀ ମାଟ୍ରିକ ସମିଟିଭ୍‌-୧ ପରୀକ୍ଷା ଦେଇଛନ୍ତି। ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ୨୫ ହାଇସ୍କୁଲର ୧୪୯୦ ପିଲା ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିଲେ। ୪୦ ଜଣ ଅନୁପସ୍ଥିତ ଥିଲେ। ପିପୁଲସ୍ ହାଇସ୍କୁଲ ଚଣାହଟ୍ଟା, ବାଲିପାଟଣା ଶ୍ରୀବୁଦ୍ଧନାଥ ହାଇସ୍କୁଲ, ରାଜସ ଗୋପବନ୍ଧୁ ହାଇସ୍କୁଲ, ବାଗଲପୁର ବିପିନି ବିହାରୀ ହାଇସ୍କୁଲ, କୁରୁଞ୍ଜିପୁର ରାମଚନ୍ଦ୍ର ହାଇସ୍କୁଲ, ବନମାଳୀପୁର ସରକାରୀ ହାଇସ୍କୁଲ, ଭାକରସାହି କୁଶଭଦ୍ରା ହାଇସ୍କୁଲ, ନରିଶୋ ପଞ୍ଚାୟତ ହାଇସ୍କୁଲ, ଅଭୟମୁଖୀ ବରାହୀ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଛି। ବିଇଓ ଶୈଳାଧିରାଜ ତନୟା ଶତପଥୀ ଓ ଏବିଇଓ ପରୀକ୍ଷା କେନ୍ଦ୍ର ବୁଲିଦେଖିଥିଲେ।