‌‌ମେଧାବୀଙ୍କ ମୁହଁରୁ…

ମୁଁ କେବେ ଟ୍ୟୁସନ୍‌ ଯାଇନାହିଁ
ମୁଁ କେବେ ଟ୍ୟୁସନ୍‌ ଯାଇନାହିଁ। ବାସ୍ତବରେ ସ୍କୁଲ୍‌ରେ ପଢ଼ିବା ବେଳେ ସେଇଠି ୬୦ ପ୍ରତିଶତ ବୁଝିଯାଏ। ଘରେ ଆସି ପରିଶ୍ରମ କରେ। ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବାରୁ ୫୬୦ ମାର୍କ ରହିଛି। ବାପା ମା’ ପଢ଼େଇବାରେ ସହଯୋଗ କରନ୍ତି। ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ସବୁବେଳେ ପ୍ରେରଣା ଦିଅନ୍ତି। ଆଇଆଇଟି ପଢ଼ି ଇଂଜିନିୟର ହେବାକୁ ପିଲାଦିନୁ ଲକ୍ଷ୍ୟ ଥିଲା। ଆଇଆଇଟି କରିବା ସହ ଆଇଏଏସ୍‌ ହୋଇ ପ୍ରାଶାସନିକ ସେବା କରିବାକୁ ଲକ୍ଷ୍ୟ ରଖିଛି।
-ଅର୍ଚନା ସ୍ବାଇଁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗି

ଅଧିକ ନମ୍ବର ଆସିବ ବୋଲି ଭାବିଥିଲି
ବହୁତ ପରିଶ୍ରମ କରୁଥିଲି। ବିଦ୍ୟାଳୟରେ ହୋଇଥିବା ଟେଷ୍ଟ ପରୀକ୍ଷାରେ ମଧ୍ୟ ୫୬୧ ନମ୍ବର ରଖିଥିଲି। ବୋର୍ଡ ପରୀକ୍ଷାରେ ୫୬୫ ନମ୍ବର ଆସିବ ବୋଲି ଭାବିଥିଲି। କିନ୍ତୁ ୫୪୫ ରହିଲା। ଆଗକୁ ଆହୁରି ପରିଶ୍ରମ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଚାହୁଁଛି। ସେଥିପାଇଁ ମେଡିକାଲ କୋଚିଂ ନେବି।
-କୌଶିକ ଆଚାର୍ଯ୍ୟ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର

ଯେଉଁ ଫଳ ମିଳିଛି ତାକୁ ନେଇ ଖୁସି
୫୬୦ ନମ୍ବର ରଖିଛି। ଆଉ ୨୫ ମାର୍କ ଅଧିକ ରହିବ ଭାବୁଥିଲି। ତେବେ ଦୁଃଖ ନାହିଁ। ଯେଉଁ ଫଳ ମିଳିଛି ତାହାକୁ ନେଇ ଖୁସି। ଭବିଷ୍ୟତରେ ଡାକ୍ତର ହେବାକୁ ଇଚ୍ଛା ରହିଛି। ତେଣୁ +୨ ବିଜ୍ଞାନ ପଢ଼ିବା ସହ କଠିନ ପରିଶ୍ରମ କରିବି। ମତେ ସବୁବେଳେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବା ମୋ’ ବାପା ମା’ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ କୃତଜ୍ଞ ରହିବି।
-ସାଗରିକା ମଲ୍ଲିକ, ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ

ସଫଳତାର ଶ୍ରେୟ ସାର୍‌ଙ୍କୁ ଦେବି
ବର୍ଷ ଆରମ୍ଭରୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଦିନକୁ ୫ ଘଣ୍ଟା ପଢ଼ୁଥିଲି। ୫୫୦ ନମ୍ବର ରଖି ବିଦ୍ୟାଳୟର ଟପର୍‌ ହୋଇଛି। ସଫଳତାର ଶ୍ରେୟ ସଂଜୟ ସାର୍‌ ଓ ଶ୍ରୀକାନ୍ତ ସାର୍‌ଙ୍କୁ ଦେବି। ଆଗକୁ ଜଣେ ପ୍ରାଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖିଛି। ‌ତେଣୁ ଏବେଠାରୁ ସବୁ କଥା ଜାଣିବା ଓ ସବୁ ଦିଗରୁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରୁଛି।
-ଅବିନାଶ ନାୟକ, କ୍ୟାପିଟାଲ ହାଇସ୍କୁଲ

ବାଧାବିଘ୍ନ ସତ୍ତ୍ବେ ପାଠପଢ଼ା ଛାଡ଼ି ନଥିଲି
୧୨ ଘଣ୍ଟାରୁ ଅଧିକ ସମୟ ପଢ଼ିବା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଓ ପରିବାର ଲୋକଙ୍କ ଉତ୍ସାହ ଯୋଗୁଁ ମୋତେ ସଫଳତା ମିଳିଛି। ବିଭିନ୍ନ ବାଧାବିଘ୍ନ ଆସିଥିଲେ ମଧ୍ୟ ମୁଁ ପାଠପଢ଼ା ଛାଡ଼ି ନଥିଲି। ସଫଳତା ପାଇଥିବାରୁ ଆଜି ମୋର ଗୁରୁ ଓ ବାପା, ମା’ ସମସ୍ତେ ଖୁସି। ଆଗକୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ି ନିଜ ବିଦ୍ୟାଳୟ ଓ ଶୁଭେଚ୍ଛୁଙ୍କ ନାମ ରଖିବି।
-ରୁଦ୍ରାଶିଷ ରାଉତ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ

ମୋ ପାଇଁ ବାପା ମୋ’ଠୁ ଅଧିକ ପରିଶ୍ରମ କରୁଥିଲେ
ମୁଁ ଯେତିକି ପରିଶ୍ରମ କରୁନଥିଲି ମୋ ବାପା ମୋ ପାଇଁ ତା’ଠୁ ଅଧିକ ପରିଶ୍ରମ କରୁଥିଲେ। ବାପା ମା’ ଓ ଗୁରୁଜୀ ଗୁରୁମାଙ୍କୁ ଏହି ସଫଳତାର ଶ୍ରେୟ ଦେବି। ମୋର ୫୪୦ ନମ୍ବର ରହିଛି। ପିଲାଦିନୁ ସମାଜସେବା କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଡାକ୍ତରୀ ସେବା ଉଚିତ୍‌ ପେସା ବୋଲି ବିଶ୍ବାସ କରେ। ତେଣୁ ଡାକ୍ତର ହେବି।
-ସୁଶ୍ରୀ ସ୍ମୃତିପ୍ରଜ୍ଞା ରାଉତ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା

ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ
ମୋ ଅଞ୍ଚଳରେ ଭଲ ପାଠ ପଢ଼ିବା ପାଇଁ ସୁବିଧା ନଥିଲା। ତେବେ କିସ୍’ରେ ପଢ଼ିବା ପରେ ମୋତେ ଉତ୍ତମ ଶିକ୍ଷା ସହ ଭଲ ମଣିଷ ହେବାକୁ ସୁଯୋଗ ମିଳିଲା। ଭଲ ଚେସ୍ ଖେଳାଳି ହେବା ସହ ପାଠପଢ଼ାରେ ମଧ୍ୟ ସଫଳତା ହାସଲ କରିପାରିଲି। କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାର୍‌ ଓ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆଶୀର୍ବାଦ ଯୋଗୁଁ ଏଭଳି ଫଳ ମିଳିଛି। ଆଗକୁ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରି ଡାକ୍ତର ହେବାକୁ ଇଚ୍ଛା।
-ସାକିଲା ମାଝୀ, କିସ୍‌

ମା’ଙ୍କ ସ୍ବପ୍ନ ପୂରଣ କରିବି
ମାର୍କିଂକୁ ପ୍ରକ୍ରିୟାକୁ ନେଇ ସନ୍ତୁଷ୍ଟ ନୁହେଁ। ଆହୁରି ଅଧିକ ମାର୍କ ଆଶା କରୁଥିଲି। କିନ୍ତୁ ଆଶାନୁରୂପ ଫଳ ମିଳିଲା ନାହିଁ। ମୋ ମା’ ଡାକ୍ତର ହେବାକୁ ଇଚ୍ଛା ରଖିଥିଲେ। ତେବେ ତାଙ୍କର ସେ ସ୍ବପ୍ନ ସାକାର ହେଲା ନାହିଁ। ଯାହାକୁ ମୁଁ ସାକାର କରିବି। ମୋର ୫୪୮ ନମ୍ବର ରହିଛି।
-ଗଙ୍ଗୋତ୍ରୀ ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବରମୁଣ୍ଡା

୯୫% ନମ୍ବର ରହିବ ବୋଲି ଆଶା ରଖିଥିଲି
ଆଜି ମୁଁ ଯେଉଁ ସଫଳତା ପାଇଛି ସେଥିପାଇଁ ପିତାମାତା, ଗୁରୁଜୀ ଗୁରୁମା ଓ ଭଗବାନଙ୍କୁ ଶ୍ରେୟ ଦେଉଛି। ୯୫% ମାର୍କ ରହିବ ବୋଲି ଆଶା ରଖିଥିଲି ତେବେ ୯୨% ନମ୍ବର ମିଳିଛି। ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। ଭବିଷ୍ୟତରେ ଜଣେ ସଫଳ ଆଇଆଇଟିଆନ୍‌ ହେବାକୁ ମୋର ଇଚ୍ଛା।
-ସ୍ବାଧୀନ ବିପ୍ଳବ ପଟ୍ଟନାୟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ୍‌-୮

ଆଇଏଏସ୍‌ ହେଇ ଦେଶ ପାଇଁ କିଛି କରିବି
ଭୋର ୫ଟାରୁ ରାତି ୧ଟା ଯାଏଁ କିଛି କିଛି ସମୟ ବ୍ରେକ୍‌ ଦେଇ ପଢ଼ୁଥିଲି। ଇଂରାଜୀରେ ପ୍ରଶାନ୍ତ ନାୟକ ସାର୍‌ ଏବଂ ଗଣିତ ଓ ବିଜ୍ଞାନରେ ବିକ୍ରମ କୁମାର ଚୌଧୁରୀ ମୋର ସନ୍ଦେହ ଦୂର କରୁଥିଲେ। ଖାଲି ପଢ଼ୁ ନଥିଲି, ବରଂ ଯାହା ପଢ଼ୁଥିଲି ତାକୁ ଲେଖୁଥିଲି। ପୁରୁଣା ପ୍ରଶ୍ନପତ୍ରକୁ ଆଣି ଅଭ୍ୟାସ କରୁଥିଲି। ଟ୍ୟୁସନ୍‌ରେ ହେଉଥିବା ଟେଷ୍ଟ୍‌ ମତେ ସହଯୋଗ କରିଥିଲା। ପରୀକ୍ଷାରେ ମୋର ୫୪୦ ନମ୍ବର ରହିଛି। ଭବିଷ୍ୟତରେ ଆଇଏଏସ୍‌ ହୋଇ ଦେଶ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି।
-ଭୂମିକା ପ୍ରିୟଦର୍ଶିନୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରସୁଲଗଡ଼

ଇଂଜିନିୟରିଂ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିବି
ମୋ’ର କୌଣସି ବିଷୟରେ ଟିକେ ବି ଏପଟ ସେପଟ ହେଉଥିଲେ ମୋ ଶିକ୍ଷକ ମା’ଙ୍କ ପାଖକୁ ଫୋନ୍‌ରେ ଜଣେଇ ଦିଅନ୍ତି। ମୁଁ ବି ୧୫ରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲି। ୯୩ ପ୍ରତିଶତ ମାର୍କ ଆଶା କରିଥିଲେ ହେଁ ୯୦.୩୩ ପ୍ରତିଶତ (୫୪୪) ମାର୍କ ରଖି ପାରିଲି। ଏବେ ଇଂଜିନିୟରିଂ ପଢ଼ିବା ଏତେ ଭଲ ନୁହେଁ ବୋଲି ଅନେକ କହୁଛନ୍ତି, କିନ୍ତୁ ମୁଁ ଆଇଆଇଟି କରି ନିଜକୁ ଏ କ୍ଷେତ୍ରରେ ପ୍ରମାଣିତ କରିବି।
-ପ୍ରିୟଦର୍ଶିନୀ ମହାନ୍ତ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ଅନୁଯାୟୀ ପଢ଼ୁଥିଲି
ଦିନକୁ ୬ରୁ ୮ଘଣ୍ଟା ପରିଶ୍ରମ କରୁଥିଲି। ଫଳ ପାଇଛି। ୫୫୬ ନମ୍ବର ରଖିଛି। ପାଠ୍ୟ ପୁସ୍ତକ ବ୍ୟତୀତ ବିଭିନ୍ନ ଟେଷ୍ଟ ପେପରର ପ୍ରଶ୍ନପତ୍ରକୁ ନେଇ ଅଭ୍ୟାସ କରୁଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ମୁତାବକ ଅଧ୍ୟୟନ କରୁଥିଲି। ଏଥିସହ ମୁଁ ନିଜେ ମୋ ପଢ଼ା ରୁଟିନ୍‌ ପ୍ରସ୍ତୁତ କରିଥିଲି। ଭାଇ, ଭଉଣୀ, ଭାଉଜ ମତେ ପ୍ରେରଣା ଦେଇ ଆସୁଥିଲେ। ଜନସାଧାରଣଙ୍କ ସେବା ସହ ଲୋକଙ୍କ ନିକଟତର ହେବା ପାଇଁ ଡାକ୍ତରୀ ସେବା ଉଚିତ୍‌ ବୋଲି ମୋର ବିଶ୍ବାସ। ତେଣୁ ଡାକ୍ତର ହେବାକୁ ଇଚ୍ଛା ରଖିବି।
-ଆୟୁଷ୍ମାନ ମହାନ୍ତି, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌-୩

ସବୁ ବିଷୟକୁ ସମାନ ଗୁରୁତ୍ବ ଦେଉଥିଲି
ସେମିତି କୌଣସି ନିର୍ଦିଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରିନଥିଲି। କିନ୍ତୁ ୭ରୁ ୮ଘଣ୍ଟା ପଢ଼ୁଥିଲି। ୧୦ମ ଆରମ୍ଭରୁ ସବୁ ବିଷୟକୁ ସମାନ ଗୁରୁତ୍ବ ଦେଉଥିଲି। ଭଗବାନଙ୍କ ଆଶୀର୍ବାଦ ସହ ବାବା, ମାମା ଓ ଗୁରୁଜୀ ଗୁରୁମାଙ୍କ ପ୍ରେରଣା ଓ ଅବଦାନ ମତେ ସଫଳ କରାଇଛି। ମୋର ୫୪୭ ନମ୍ବର ରହିଛି। ପିଲାବେଳୁ ଇଂଜିନିୟର ହେବାର ଲକ୍ଷ୍ୟ ଥିଲା। ଆଇଆଇଟି ପଢ଼ି ଇଂଜନିୟର ହେବାର ଲକ୍ଷ୍ୟ ରଖିଛି।
-ସମ୍ବିତ କୁମାର ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌ ୩

କୋଚିଂରେ ସମସ୍ତ ସନ୍ଦେହ ଦୂର କରୁଥିଲି
ମୁଁ ୯୫ରୁ ୯୬ପ୍ରତିଶତ ମାର୍କ ଆଶା ରଖିଥିଲି, କିନ୍ତୁ (୫୪୧) ୯୧ ପ୍ରତିଶତ ମାର୍କ ମିଳିଲା। ଦିନକୁ ୧୨-୧୩ ଘଣ୍ଟା ପରିଶ୍ରମ କରୁଥିଲେ ହେଁ ଫଳାଫଳ ଆଶାନୁରୂପ ହେଲାନାହିଁ। ମୋ’ର ଯଦି କୌଣସି ବିଷୟରେ ସନ୍ଦେହ ରହୁଥିଲା କୋଚିଂ ଜରିଆରେ ତା’ର ସମାଧାନ କରୁଥିଲି। ଗୁରୁଜୀ ଗୁରୁମା ଓ ବାପା ମା’ଙ୍କର ବହୁତ ସମର୍ଥନ ରହିଥିଲା। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି।
-ଐଶ୍ବର୍ଯ୍ୟଲକ୍ଷ୍ମୀ ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା

ଗଣିତ, ବିଜ୍ଞାନକୁ ଅଧିକ ଗୁରୁତ୍ବ ଦେଉଥିଲି
ସ୍କୁଲ୍‌ ଓ ଟ୍ୟୁସନ୍‌ ଶିକ୍ଷକଙ୍କ ପରାମର୍ଶକୁ ପାଥେୟ କରି ପଢ଼ୁଥିଲି। ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲି। ପ୍ରସ୍ତୁତି ବେଳେ ଗଣିତ, ବିଜ୍ଞାନ ବିଷୟକୁ ଅଧିକ ଗୁରୁତ୍ବ ଦେଉଥିଲି। ଏହା ବ୍ୟତୀତ ମୋ ମାଉସୀ ମତେ ପଢ଼ାଇବା ସହ ପ୍ରେରଣା ଦିଅନ୍ତି। ପିଲାବେଳୁ ଡାକ୍ତର‌ ହେବାକୁ ଲକ୍ଷ୍ୟ ରଖିଥିବାରୁ ସେଇ ଅନୁଯାୟୀ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବି। ପରୀକ୍ଷାରେ ମୋର ୫୪୦ ନମ୍ବର ରହିଛି।
-ରୁଦ୍ର ପ୍ରସାଦ ଖୁଣ୍ଟିଆ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌ ୩

ଶିକ୍ଷକଙ୍କ ମତ

ଖାତା ଦେଖାକୁ ନେଇ ସନ୍ତୁଷ୍ଟ ନୁହେଁ
ପ୍ରତ୍ୟେକ ବର୍ଷ ଭଲ ଫଳାଫଳ ଆସେ। ଆମ ବିଦ୍ୟାଳୟ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରେ। କିନ୍ତୁ ଏ ବର୍ଷ ଏ୧ ଫଳାଫଳ ଆଶାନୁରୂପ ହୋଇନାହିଁ। ଖାତା ଦେଖାକୁ ନେଇ ସନ୍ତୁଷ୍ଟ ନୁହେଁ। ବାସ୍ତବରେ ପରୀକ୍ଷା ଖାତା ଦେଖାରେ ଅଭିନବ ପରିବର୍ତନର ଆବଶ୍ୟକତା ରହିଛି।
-ପ୍ରସନ୍ନ କିଶୋର ପୃଷ୍ଟି, ପ୍ରଧାନ ଶିକ୍ଷକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା

ଆଶାନୁରୂପ ‌ଫଳ ହେଲା ନାହିଁ
ପିଲାଙ୍କୁ ଯେଉଁଭଳି ପ୍ରସ୍ତୁତ କରିବା କଥା, ସେହି ଧାରାରେ ପ୍ରସ୍ତୁତ କରିଥିଲୁ। ପ୍ରସ୍ତୁତିରେ କୌଣସି ସମସ୍ୟା ନଥିଲା। ତେଣୁ ଏ-୧ରେ ଏବର୍ଷ ଯେତିକି ପିଲାଙ୍କୁ ଆଶା କରିଥିଲୁ ସେତିକି ହେଲା ନାହିଁ। ବିଶେଷକରି ସୋସିଆଲ୍‌ ସାଇନ୍ସ, ଇଂରାଜୀ ଓ ‌ବିଜ୍ଞାନରେ ପିଲାଙ୍କର ଆଶାନୁରୂପ ଫଳାଫଳ ଆସିନାହିଁ।
-ଅଜୟ କୁମାର ଦାଶ, ଶିକ୍ଷକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା

ସମ୍ବନ୍ଧିତ ଖବର