ରାଜଧାନୀରେ ମାଟ୍ରିକ୍‌ ସମିଟିଭ୍‌ : ପରୀକ୍ଷାର୍ଥୀଙ୍କ ମୁହଁରୁ…

ପରୀକ୍ଷା ପାଇଁ ବହୁତ ପରିଶ୍ରମ କରିଛି

ସାହିତ୍ୟ ଓ ଗଣିତ ବିଷୟ ପରୀକ୍ଷା ଭଲ ହୋଇଛି। କୋଭିଡ୍ ନିୟମ ଭିତରେ ଶରୀରର ତାପମାତ୍ରା ପରୀକ୍ଷା କରାଯାଇ ହଲ ଭିତରକୁ ଛଡ଼ାଯାଇଥିଲା। ଏଥିସହ ଗୋଟିଏ ବେଞ୍ଚ ଛାଡ଼ି ସିଟିଂର ବ୍ୟବସ୍ଥା ହୋଇଥିଲା। ଓମିକ୍ରନ୍ ପାଇଁ ଆଗକୁ କାଳେ ପରୀକ୍ଷା ହେବନି ସେଥିପାଇଁ ଏହି ପରୀକ୍ଷା ଲାଗି ବହୁତ ପରିଶ୍ରମ କରିଛି।
-ହିତେଶ ପାତ୍ର, ଛାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୧

ନିୟମ ମାନି ପରୀକ୍ଷା ଦେଉଛୁ

କୋଭିଡ୍‌ ନିୟମ ମାନି ପରୀକ୍ଷା ଦେଉଛୁ। ସ୍କୁଲ୍ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପାଯିବା ସହ ସାନିଟାଇଜର ଦିଆଯାଇଥିଲା। ସମିଟିଭ୍-୧ ପରୀକ୍ଷା ହୋଇଥିବାରୁ ଅଧିକ ପରିଶ୍ରମ କରୁଛି। ଗତବର୍ଷ ବୋର୍ଡ ପରୀକ୍ଷା ହୋଇ ନ ଥିବାରୁ ବହୁ ପିଲାଙ୍କ ମାର୍କ କମିଥିଲା। ଏଥର ପରୀକ୍ଷା ହୋଇଗଲେ ଭଲ।
-ପର୍ଶୁରାମ ଦଳାଇ, ଛାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୧

ଟିକିଏ ଭୟ ଲାଗୁଥିଲା

ପ୍ରଥମ ଦିନ ପରୀକ୍ଷା ପାଇଁ ଟିକିଏ ଭୟ ଲାଗୁଥିଲା। ମାତ୍ର ପରୀକ୍ଷା ସରିବା ପରେ ଏବେ ଆଉ ଭୟ ଲାଗୁନି। ଓଏମଆର୍‌ ସିଟ୍‌ରେ ପରୀକ୍ଷା ଥିବାରୁ ଅଧିକ ଧ୍ୟାନ ଦେଇ ଗୋଲ ବୁଲେଇବାକୁ ପଡୁଥିଲା। ଏବେ ପରୀକ୍ଷା ହୋଇଗଲେ ଆଗକୁ ପରୀକ୍ଷା ନହେଲେ ବେଶି କଷ୍ଟ ଲାଗିବନି।
-ଅର୍ବିନ ସାହୁ, ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ଚିନ୍ତା କମିଲା

ପରୀକ୍ଷା ହେଉଥିବାରୁ ଏବେ ଟିକିଏ ଚିନ୍ତା କମିଲା। ବହୁତ୍ ଦିନ ହେବ ପରୀକ୍ଷା ହେବ କି ନ ହେବ ସେନେଇ ଦ୍ବନ୍ଦ୍ବ ରହିଥିଲା। କିନ୍ତୁ ପ୍ରଥମ ଦିନ ପରୀକ୍ଷା ଭଲ ହୋଇଛି। ହଲ୍‌ ଭିତରେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିବାରୁ କରୋନା ଭୟ ଅନୁଭବ ହେଉନି। ପରୀକ୍ଷା ହୋଇଥିବାରୁ ଆଗକୁ ପରୀକ୍ଷା ନ ହେଲେ ମଧ୍ୟ ଆଉ ଚିନ୍ତା ନାହିଁ।
-ସ୍ମୃତିଶୀଖା ନାୟକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ ୮

କୋଭିଡ୍‌ ନିୟମ ପାଳନ ହେଉଛି

ଦୁଇଟି ଯାକ ବିଷୟର ପରୀକ୍ଷା ଭଲ ହୋଇଛି। କରୋନା ପାଇଁ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଭିତରକୁ ପ୍ରବେଶଠାରୁ ଆରମ୍ଭ କରି ବାହାରକୁ ଆସିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର କୋଭିଡ ନିୟମ ପାଳନ ହେଉଛି। ତେଣୁ କରୋନା ଭୟ କମ୍‌ ରହୁଛି।
-ଚିନ୍ମୟ ରଞ୍ଜନ ମହାପାତ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀ

ପରୀକ୍ଷା ‌ଦ୍ବନ୍ଦ୍ବ ଦୂର ହେଲା

ଓମିକ୍ରନ୍ ଆସିବା ପରେ ମାଟ୍ରିକ୍‌ ପରୀକ୍ଷା ହେବ କି ନ ହେବ ସେନେଇ ଦ୍ବନ୍ଦ୍ବରେ ଥିଲି। ମାତ୍ର ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା ସନ୍ତୋଷଜନକ ରହିଛି। ପରୀକ୍ଷାରେ କୌଣସି ଅସୁବିଧା ହୋଇନି। ଯଦି କାରୋନା ବଢିବ ତେବେ ସମିଟିଭ୍‌-୧ ପରୀକ୍ଷାର ମାର୍କକୁ ଫାଇନାଲ ମାର୍କ ହିସାବରେ ନିଆଯାଇପାରେ। ତେଣୁ ଭଲ ଭାବେ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଛି।
-ନିରଞ୍ଜନ ସାମଲ, ବିଏମ୍ ହାଇସ୍କୁଲ

ମନରୁ ଭୟ ଦୂର ହେଲା

କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କେନ୍ଦ୍ରରେ ଏକାଠି ହୋଇ ପରୀକ୍ଷା ଦେବାକୁ ମନରେ ଭୟ ଥିଲା। କିନ୍ତୁ ପରୀକ୍ଷା କେନ୍ଦ୍ରରେ ସଂପୂର୍ଣ୍ଣ କୋଭିଡ୍‌ କଟକଣା ପାଳନ କରାଯାଉ ଥିବାରୁ ସେ ଭୟ ଦୂର ସହ ପରୀକ୍ଷା ମଧ୍ୟ ଭଲ ହୋଇଛି। ସିଲାବସ୍ ଶେଷ ହୋଇଯାଇଥିବାରୁ ସେହି ଅନୁଯାୟୀ ପ୍ରଶ୍ନଗୁଡ଼ିକ ଆସିଥିଲା। ଆଗକୁ ଥିବା ବିଷୟଗୁଡ଼ିକର ପରୀକ୍ଷା ମଧ୍ୟ ଭଲ ହେବ ବୋଲି ଆଶା।
-ଗୁରୁ ପ୍ରସାଦ ବାଡ଼ତିଆ, ଭିଏସ୍‌ଏସ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ

ଅଭ୍ୟାସ ପାଇଁ ସମୟ ମିଳିଲାନି

କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଲା। ଏଥର ପାଠପଢା ବହୁତ ଜଲଦି ହୋଇଛି। ତେଣୁ ଆମେ ଅଭ୍ୟାସ କରିବାକୁ ସମୟ ପାଇଲୁ ନାହିଁ। ପରୀକ୍ଷା ଭଲ ହେବା ନେଇ ମଧ୍ୟ ମନରେ ଅନେକ ଦ୍ବନ୍ଦ୍ବ ଥିଲା। କିନ୍ତୁ ସେଭଳି କିଛି ଅସୁବିଧା ସାମ୍ନା କରିବାକୁ ପଡ଼ିଲା ନାହିଁ। ଆଗାମୀ ପରୀକ୍ଷାଗୁଡ଼ିକ ମଧ୍ୟ ସୁରୁଖୁରରେ ହେବ।
-ପ୍ରିୟଦର୍ଶନ ନାୟକ, ଗଡ଼େଶ୍ବର ହାଇସ୍କୁଲ୍, ଗାଡ଼କଣ

ଭୟ ସତ୍ତ୍ବେ ଭଲ ହୋଇଛି

ପରୀକ୍ଷା ଦେବା ସମୟରେ ମନରେ ଭୟ ଥିଲା। ମାତ୍ର ଦୁଇଟି ବିଷୟର ପରୀକ୍ଷା ବହୁତ ଭଲ ହୋଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ସ୍କୁଲ୍ ପକ୍ଷରୁ ସାନିଟାଇଜର୍ ବ୍ୟବସ୍ଥା ହୋଇଥିଲା। କୋଭିଡ୍ ନିୟମ ମାନି ଆମେ ପରୀକ୍ଷା ଦେଇଛୁ। ଆଗକୁ ଆଉ ପରୀକ୍ଷା ହେବ କି ନାହିଁ ଜଣାନାହିଁ। ଏହି ପରୀକ୍ଷାରେ ଭଲ କରିବା ପାଇଁ ପଢାପଢ଼ି ଜାରି ରଖିଛି।
-ମେଓ୍ବିସ୍ ଖାନମ୍, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ୟୁନିଟ୍‌-୪

ଅଭିଭାବକଙ୍କ ମୁହଁରୁ…

କଟକଣାରେ ପରୀକ୍ଷା ହେଉଛି

ଗତବର୍ଷ ପିଲାଙ୍କ ପରୀକ୍ଷା ହୋଇପାରି ନଥିଲା। ଫଳରେ ସେମାନଙ୍କ ଶିକ୍ଷାର ସଠିକ ମୂଲ୍ୟାଙ୍କନ ହୋଇ ନଥିଲା। ଏଥର ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା କଟକଣା ମଧ୍ୟରେ ପରୀକ୍ଷା କରାଯାଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଅଭିଭାବକ ହିସାବରେ ମୋ ମନରେ କରୋନା ସଂକ୍ରମଣକୁ ନେଇ ଭୟ ଥିଲା। ତେବେ ଏଠାରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ଥର୍ମାଲ୍ ସ୍କ୍ରିନିଂ ଆଦି ସଠିକ ଭାବେ ହେଉଥିବାରୁ ଭୟ ନାହିଁ। ଆଗାମୀ ପରୀକ୍ଷାଗୁଡ଼ିକ ମଧ୍ୟ ସୁରୁଖୁରରେ ହୋଇଯାଉ।
-ଲକ୍ଷ୍ମୀପ୍ରିୟା ମହାନ୍ତି, ଅଭିଭାବକ

କରୋନା ଭୟ ନାହିଁ

କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେଉଥିବାରୁ କରୋନା ଭୟ ନାହିଁ। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭଲ ଭାବେ ପ୍ରସ୍ତୁତି ହୋଇଛି। ଆଗକୁ ପରୀକ୍ଷା ହେବ କି ନାହିଁ ତେଣୁ ପୁଅକୁ କହିଛି ଏହି ପରୀକ୍ଷାକୁ ଭଲ କରିବା ପାଇଁ। ସାହିତ୍ୟ ବିଷୟରେ ଭଲ ହୋଇଛି। ମାତ୍ର ଗଣିତରେ ପଢ଼ା ଯାଇ ନଥିବା ପାଠ ପରୀକ୍ଷାରେ ଆସିଥିବାରୁ ମାର୍କ ନେଇ ଚିନ୍ତିତ ରହିଛି। କରୋନା ଭିତରେ ପିଲାମାନେ ପାଠପଢ଼ାରେ ବହୁତ ହଇରାଣ ହୋଇଛନ୍ତି।
-ତପସ୍ବିନୀ ଦଳାଇ, ଅଭିଭାବକ

କେନ୍ଦ୍ର ବାହାରେ କଟକଣା ମାନୁ ନାହାନ୍ତି

ପରୀକ୍ଷା ‌କେନ୍ଦ୍ର ଭିତରେ ପରୀକ୍ଷାର୍ଥୀ କରୋନା କଟକଣା ମାନୁଛନ୍ତି। ମାତ୍ର ଅଭିଭାବକ ବାହାରେ ମାନୁନାହାନ୍ତି। ଦୁଇଟି ସିଟିଂ ପରୀକ୍ଷା ମଧ୍ୟରେ ଯେଉଁ ଏକ ଘଣ୍ଟା ଫାଙ୍କା ସମୟ ରହୁଛି। ଯେଉଁଥିପାଇଁ ଗେଟ୍ ନିକଟରେ ବହୁ ଅଭିଭାବକ ରୁଣ୍ଡ ହୋଇଯାଉଛନ୍ତି। ସେଠାରେ କୌଣସି କରୋନା କଟକଣା ମାନୁ ନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ହେବ।
-ସୌଭାଗ୍ୟ ରଂଜନ ମହାପାତ୍ର, ଅଭିଭାବକ

ସୁରୁଖୁରୁରେ ପରୀକ୍ଷା ହୋଇଯାଉ

ପୁଅ ପରୀକ୍ଷା ଦେବାକୁ ଯିବା ବେଳଠାରୁ ମତେ ଭୟ ଲାଗୁଥିଲା। ହେଲେ ପରୀକ୍ଷାରେ ସବୁ ପ୍ରକାର ବ୍ୟବସ୍ଥା ଦେଖିବା ପରେ ଟିକିଏ ଆଶ୍ୱସ୍ତି ଲାଗୁଛି। ପିଲାଙ୍କ ପାଠପଢ଼ା ଅନେକାଂଶରେ କ୍ଷତି ହୋଇଛି। ଏବେ ବହୁ କଷ୍ଟରେ ପରୀକ୍ଷା ହେଉଛି। ତେଣୁ ପରୀକ୍ଷା ହେବା ପର୍ଯ୍ୟନ୍ତ କୌଣସି କଟକଣା ନ ଲାଗିଲେ ଭଲ। ଆଜି ପରି ସବୁ ବିଷୟର ପରୀକ୍ଷା ସୁରୁଖୁରୁରେ ହୋଇଗଲେ ଭଲ।
-ଲିଲିମା ସାହୁ, ଅଭିଭାବକ

କଟକଣା ଦେଖି ଆଶ୍ବସ୍ତି ଲାଗିଲା

ପିଲାଙ୍କ ପରୀକ୍ଷା କେନ୍ଦ୍ର କିପରି ହୋଇଥିବ ସେନେଇ ଚିନ୍ତିତ ଥିଲି। ମାତ୍ର କେନ୍ଦ୍ର ପରିସରରେ ସାମାଜିକ ଦୂରତା ଅବଲମ୍ବନ କରାଯାଉଛି। ପରୀକ୍ଷା ସୁରୁଖୁରୁରେ ହେଉଛି। ଏହା ଦେଖିବା ପରେ ଟିକିଏ ଆଶ୍ୱସ୍ତି ଲାଗୁଛି। କରୋନା ପୁଣି ବଢୁଥିବାରୁ ଯଦି ଆଗକୁ ପରୀକ୍ଷା ବନ୍ଦ ହୁଏ ତେବେ ଏହି ପରୀକ୍ଷାର ମାର୍କ ଆଧାରରେ ପିଲାମାନେ ଦଶମ ପରୀକ୍ଷା ପାସ କରିବେ। ଅନେକ ଦିନ ପରେ ଏପରି ପରୀକ୍ଷା ହେଉଥିବାରୁ ପିଲାମାନେ ମଧ୍ୟ ଉତ୍ସାହିତ ଅଛନ୍ତି।
-ରଶ୍ମିରେଖା ନାୟକ, ଅଭିଭାବକ

ସମ୍ବନ୍ଧିତ ଖବର