ରାଜଧାନୀରେ ମାଟ୍ରିକ୍‌ ସମିଟିଭ୍‌: କରୋନା ଭୟରେ ପରୀକ୍ଷା

ଭୁବନେଶ୍ବର: ମାଟ୍ରିକ୍‌ ସମିଟିଭ୍‌-୧ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ତେଣୁ ପରୀକ୍ଷାର୍ଥୀଙ୍କ ମନରେ ଥିଲା ଟିକିଏ ଭୟ। ଗୋଟିଏ ଦିନରେ ମାତୃଭାଷା ଓ ଗଣିତ ବିଷୟର ପରୀକ୍ଷା ଥିବାରୁ ପ୍ରଶ୍ନ କିଭଳି ଆସିବ? ଓଏମ୍‌ଆର ସିଟ୍‌ରେ ଆସିବାକୁ ଥିବା ପ୍ରଶ୍ନର ଉତ୍ତର କେମିତି ଦେବେ? କରୋନା ବ୍ୟାପିବ ନାହିଁ ତ? ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ଉଙ୍କି ମାରିଥିଲା ଏଭଳି ପ୍ରଶ୍ନ। ଅଧିକ ଭୟ ଓ ଟିକିଏ ଉତ୍ସାହ ମଧ୍ୟରେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ। ଦୁଇଟି ସିଟିଂରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ ଖୁସି ବ୍ୟକ୍ତ କରିଛନ୍ତି। ଭୁବନେଶ୍ବର ସମେତ ‌ଖୋର୍ଧା ଜିଲ୍ଲାରେ ୨୯ ହଜାର ୪୭୬ ଜଣ ପରୀକ୍ଷା ଦେବାକୁ ଥିବା‌ବେଳେ ସେଥିମଧ୍ୟରୁ ୨୮ ହଜାର ୫୯୧ ଜଣ ଅଂଶଗ୍ରହଣ କରିଛନ୍ତି। ୮୮୫ ଜଣ ଅନୁପସ୍ଥିତ ଥିଲେ। କେହି ପରୀକ୍ଷାର୍ଥୀ କପି କରି ଧରାପଡ଼ି ନ ଥିବା ଜଣାପଡ଼ିଛି।

ଖୋର୍ଧାରେ ଅନୁପସ୍ଥିତ ରହିଲେ ୮୮୫ ପରୀକ୍ଷାର୍ଥୀ

ଭୁବନେଶ୍ବରରେ ଆସିଲେନି ୪୧୩

ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବାରୁ ଭୋର ସାଢ଼େ ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା। ସକାଳ ୯ଟାରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିବା ସମୟରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ କରିଥିଲେ। ବିଏମ୍‌ସି ଅଞ୍ଚଳରେ ଥିବା ୩୮ଟି ପରୀକ୍ଷା କେନ୍ଦ୍ର ଲାଗି ୧୦ ହଜାର ୫୭୩ ଛାତ୍ରଛାତ୍ରୀଙ୍କୁ ଆଲଟ୍‌ ହୋଇଥିବା ବେଳେ ସେଥିମଧ୍ୟରୁ ୩୩୭ ଜଣ ଅନୁପସ୍ଥିତ ରହିଥିଲେ। ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ୧୧ଟି ପରୀକ୍ଷା କେନ୍ଦ୍ରରେ ଆଲଟ୍‌ ହୋଇଥିବା ୧୬୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୬୧ ଜଣ ଭାଗ ନେଇଥିଲେ। ପ୍ରଥମ ଦିନରେ ଭୁବନେଶ୍ବରରେ ୪୧୩ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିବା ‌ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।

ବିଏମ୍‌ସି ଅଧୀନ ୩୮ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬ଟିରେ ରେଗୁଲାର ପରୀକ୍ଷାର୍ଥୀଙ୍କ ଉପସ୍ଥାନ ଶତ ପ୍ରତିଶତ ଥିଲା। ୧୮ଟି କେନ୍ଦ୍ରରେ ପରୀକ୍ଷା ଦେବା ଲାଗି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ଆଲଟ୍‌ ହୋଇଥିବା ବେଳେ ଦୁଇଟିରେ ଆଲଟ୍‌ ହୋଇଥିବା ଜଣେ ଲେଖାଏ ପରୀକ୍ଷାର୍ଥୀ ଆସି ନ ଥିଲେ। ସିଆରପି ବରମୁଣ୍ଡା ସରକାରୀ ନୋଡାଲ ହାଇସ୍କୁଲରେ ସର୍ବାଧିକ ୪୭୩ ଜଣ ପରୀକ୍ଷାର୍ଥୀ ଥିବା ବେଳେ ସେଥିମଧ୍ୟରୁ ୪୪୪ ଜଣ ଅଂଶଗ୍ରହଣ କରିଥିଲେ। ଆଇଆରସି ଭିଲେଜ୍‌ ସରକାରୀ ହାଇସ୍କୁଲରେ ସର୍ବାଧିକ ୪୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିଥିବା ଜଣାପଡ଼ିଛି। ଭୁବନେଶ୍ବର ବ୍ଲକରେ ହୋଇଥିବା ୧୧ଟି ପରୀକ୍ଷା କେନ୍ଦ୍ରରେ ୧୬୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲା। ସେଥିମଧ୍ୟରୁ ୧୫୬୧ ଜଣ ପରୀକ୍ଷାରେ ଭାଗ ନେଇଛନ୍ତି।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଥିଲା। ତା’ପରେ ବି କେତେକ ସ୍ଥାନରେ ପରୀକ୍ଷାର୍ଥୀ ମାସ୍କ ପିନ୍ଧି ନ ଥିବା, କ୍ୟାମ୍ପସରେ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଦେଖିବାକୁ ମିଳିଥିଲା। ପରୀକ୍ଷାର୍ଥୀ ଯେପରି ହଟହଟା ନ ହେବେ ସେଥିପାଇଁ କିଛି କେନ୍ଦ୍ରରେ ସାନିଟାଇଜର ଓ ମାସ୍କର ବ୍ୟବସ୍ଥା ହୋଇଥିଲା। ଏଥିସହ ନୋଟିସ୍‌ ଲଗାଯାଇ ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ଅନୁଯାୟୀ ପରୀକ୍ଷାର୍ଥୀ, ଅଭିଭାବକ ଓ ସାଧାରଣ ଜନତା ଯଦି ପରୀକ୍ଷାରେ ଅସାଧୁ ଆଚରଣରେ ଲିପ୍ତ ରହିବେ, ‌ପ୍ରୋତ୍ସାହନ ଦେବାରେ ସାହଯ୍ୟ କରିବେ ସେମାନଙ୍କୁ ଆଇନ ଅନୁଯାୟୀ ୩ ମାସ ଜେଲ୍‌ ବା ତିନି ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୁହାଯାଇଥିଲା। ଡିଇଓ, ବିଇଓ ସମେତ ବୋର୍ଡର ଏକାଧିକ ଟିମ୍‌ ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର