ଖୋର୍ଧା ଜିଲ୍ଲାରେ ମାଟ୍ରିକ୍‌ ମୂଲ୍ୟାୟନ ଜାଲିଆତି ପ୍ରସଙ୍ଗ: ଉତ୍ତର ଖାତାରୁ ଧରାପଡ଼ିଲା ତ୍ରୁଟି

ପରିଷଦ ନିକଟରେ ଦାଖଲ ହେଲା ମାର୍କ, ଘରୋଇ ସ୍କୁଲର ଅଧିକାଂଶ ପିଲା ପ୍ରଥମ ଶ୍ରେଣୀ

ଭୁବନେଶ୍ବର : ଖୋର୍ଧା ଜିଲ୍ଲାରେ ମାଟ୍ରିକ୍‌ ମୂଲ୍ୟାୟନ ଜାଲିଆତି ନଜରକୁ ଆସିଛି। ଗତ ମାସରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ତନାଘନା କରିବା ସହ ୫୩ଟି ସ୍କୁଲକୁ ଛାତ୍ରଛାତ୍ରୀଙ୍କ ୯ମ ଶ୍ରେଣୀ ପରୀକ୍ଷା ସହ ଦଶମ ଶ୍ରେଣୀ ପ୍ରାକ୍ଟିସ୍‌ ପରୀକ୍ଷାର ଉତ୍ତର ଖାତା ଦାଖଲ ନିର୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଅଧିକାଂଶ ବିଦ୍ୟାଳୟ ଦଶମ ଶ୍ରେଣୀ ପ୍ରାକ୍ଟିସ୍‌ ପରୀକ୍ଷାର ଉତ୍ତର ଖାତାଗୁଡ଼ିକୁ ମେଣ୍ଟର ସ୍କୁଲରେ ଦାଖଲ କରିଛନ୍ତି। ତେବେ ୬୦ ପ୍ରତିଶତ ବିଦ୍ୟାଳୟ ୯ମ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା ଦେବାରେ ବିଫଳ ହୋଇଛନ୍ତି। କେଉଁ ବିଦ୍ୟାଳୟ ପିଲାଙ୍କ ଉତ୍ତର ଖାତା ନଥିବା ଦର୍ଶାଇଛନ୍ତି ତ ଆଉ କିଏ ଖାତା ପାଉ ନ ଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଟାବୁଲେସନ ରେଜିଷ୍ଟାରରେ ଯେଉଁ ମାର୍କ ରହିଛି ତାହାରି ଆଧାରେ ମୂଲ୍ୟାୟନ କରିବାକୁ ‌ଅନୁରୋଧ କରିଛନ୍ତି। ଏଥିପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଣ୍ଡରଟେକିଂ ଲେଖିଛନ୍ତି। ବିଦ୍ୟାଳୟଗୁଡ଼ିକ ମାର୍କ ଦାଖଲ କରିବା ପରେ ଆଜି ସୁଦ୍ଧା ତାହାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଦାଖଲ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଯେଉଁ ବିଦ୍ୟାଳୟଗୁଡ଼ିକଠାରୁ ଉତ୍ତର ଖାତା ମଗାଯାଇଥିଲା ସେଥିରେ କେତେକ ତ୍ରୁଟି ନଜରକୁ ଆସିଛି। ଯେପରିକି ଯେଉଁ ପିଲା ଉତ୍ତର ଖାତାରେ ୬୫ ମାର୍କ ରଖିଛି, ଟାବୁଲେସନ ରେଜିଷ୍ଟାରରେ ତାହା ୮୫ ହୋଇଯାଇଛି। ଓଭର ରାଇଟିଂ ହୋଇଥିବାରୁ ଆଶଙ୍କା ପ୍ରକାଶ କରି ଯାଞ୍ଚ କରାଯିବା ସମୟରେ ଏଭଳି ଘଟଣା ଧରାପଡ଼ିଛି। ଭୁବନେଶ୍ବରର ଏକ ଘରୋଇ ବିଦ୍ୟାଳୟର ପରୀକ୍ଷାର୍ଥୀ ଉତ୍ତର ଖାତାରେ ୭୬ ମାର୍କ ରହିଛି। ତେବେ ଟାବୁଲେସନ ରେଜିଷ୍ଟାରରେ ୩୦ ବୋଲି ଉଲ୍ଲେଖ ହୋଇଥିଲା। ଯାହାକୁ ଅନୁଧ୍ୟାନ କରାଯାଇ ସଂଶୋଧନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ବହୁ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବା ନଜରକୁ ଆସିଛି। ୨୦୨୦ରେ ଯେଉଁ ବିଦ୍ୟାଳୟର ୮ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଥିଲେ ଏଥର ସମ୍ପୃକ୍ତ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଯେଉଁ ବିଦ୍ୟାଳୟରେ ବିଗତ ଦିନରେ ଜଣେ ବି ହେଲେ ପିଲା ୯୦% ମାର୍କ ରଖି ନ ଥିଲେ ଏଥର ୪ରୁ ୫ ଜଣ ରଖିଛନ୍ତି। ଅଧିକାଂଶ ଘରୋଇ ବିଦ୍ୟାଳୟର ୩୦ରୁ ୪୦% ପିଲା ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏଭଳି ମୂଲ୍ୟାୟନ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ମତରେ ଯେଉଁ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି ତାହା ହିଁ ହେବ। କାରଣ ଦଶମ ଶ୍ରେଣୀ ପ୍ରାକ୍ଟିସ୍‌ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍‌ ଓ ସୋସିଆଲ ମଡିଆରେ ପ୍ରଶ୍ନପତ୍ର ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଘରେ ଅଭ୍ୟାସ କରି ପ୍ରାକ୍ଟିସ୍‌ ପରୀକ୍ଷା ଦେଉଥିଲେ। ତେଣୁ ଭଲ ମାର୍କ ରଖିଛନ୍ତି। କେତେକ ବିଦ୍ୟାଳୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିବା ପ୍ରାକ୍ଟିସ୍‌ ପରୀକ୍ଷା ନ କରାଇ ନିଜ ଶୈଳୀରେ ସ୍ବତନ୍ତ୍ର ପରୀକ୍ଷା କରାଇଥିଲେ। ବୋର୍ଡ ପକ୍ଷରୁ ପ୍ରାକ୍ଟିସ୍‌ ପରୀକ୍ଷା ମାର୍କକୁ ଆଧାରରେ ମୂଲ୍ୟାୟନ ହେବ ବୋଲି କୁହାଯିବା ପରେ ସେମାନେ ତୁରନ୍ତ ପିଲାଙ୍କ ପରୀକ୍ଷା କରାଇ ମେଣ୍ଟର ସ୍କୁଲରେ ମାର୍କ ଦାଖଲ କରିଛନ୍ତି। ଏହାକୁ ରୋକି ହେବ ନାହିଁ।

ସମ୍ବନ୍ଧିତ ଖବର