ମାଟ୍ରିକ୍‌ ପରୀକ୍ଷା ଫଳ: ରାଜଧାନୀରେ ୯୯%

‘ଏ-୧’ ଗ୍ରେଡ୍‌ରେ ୧୨୦ରୁ ଅଧିକ, ଭୁବନେଶ୍ବର ଜୋନ୍‌ରେ ଖୋର୍ଧା ଆଗ‌ରେ

ଭୁବନେଶ୍ବର : ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିବାରୁ ଏଥର ସବୁ ରେକର୍ଡ ଭାଙ୍ଗିଛି। ରାଜ୍ୟରେ ପାସ୍‌ହାର ୨୦%ରୁ ଅଧିକ ବଢ଼ିଥିବା ବେଳେ ଭୁବନେଶ୍ବର ତଥା ଖୋର୍ଧା ଜିଲ୍ଲାରେ ପାସ୍‌ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଛନ୍ତି। ୯୦ପ୍ରତିଶତରୁ ଅଧିକ ମାର୍କ ଅର୍ଥାତ୍‌ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ମଧ୍ୟ ବଢ଼ିଛି। ୨୦୧୯ରେ ଜିଲ୍ଲାରେ ୧୪୪ ଜଣ ‘ଏ-୧’ ପାଇଥିବା ବେଳେ ୨୦୨୦ରେ ୧୮୨ ରହିଥିଲା। ତେବେ ଏଥର ୩୦୦ ଛୁଇଁଛି। ଉପଯୁକ୍ତ ମାର୍କ ମିଳି ନଥିବାରୁ କେତେଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ହେବାକୁ ଥିବା ଅଫ୍‌ଲାଇନ୍‌ ପରୀକ୍ଷା ଦେବା ଲାଗି ସଜବାଜ ହୋଇଛନ୍ତି।

ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ରେ ଖୋର୍ଧା ଜିଲ୍ଲା ରେଗୁଲାରରେ ଉନ୍ନତ ପ୍ରଦର୍ଶନ କରିଛି। ଖୋର୍ଧାର ପାସ୍‌ ହାର ୯୮.୬୧% ଥିବା ବେଳେ ପୁରୀର ୯୮.୫୩% ଓ ନୟାଗଡ଼ର ପାସ୍‌ ହାର ୯୮.୧୭% ହୋଇଛି। ରେଗୁଲାରରେ ଜିଲ୍ଲାର ୩୩୬ ସ୍କୁଲର ୨୮ ହଜାର ୨୮୮ଜଣ ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩୧ଜଣ ଅନୁପସ୍ଥିତ ଥିଲେ। ମୋଟ ୨୭ହଜାର ୮୯୬ ଜଣ ପାସ୍‌ କରିଥିବା ବେଳେ ୨୬୧ଜଣ ଫେଲ୍‌ ହୋଇଛନ୍ତି। ୩୦୦ଜଣ ‘ଏ-୧’ ପାଇଥିବା ବେଳେ ୧୮୦୫ ଜଣ ‘ଏ-୨’, ୩୬୩୪ ଜଣ ‘ବି-୧’, ୫୪୫୧ଜଣ ‘ବି-୨’, ୬୬୪୪ ଜଣ ସି’, ୬୫୧୧ଜଣ ଡି’, ୩୫୫୧ଜଣ ଇ- ଗ୍ରେଡ୍‌ ହାସଲ କରିଛନ୍ତି। ଏକ୍ସ-ରେଗୁଲାରରେ ଖୋର୍ଧା ଜିଲ୍ଲାର ପାସ୍‌ ହାର ୯୦.୯୧%, ନୟାଗଡ଼ର ୯୨.୫୦% ଓ ପୁରୀରେ ୮୭.୬୦% ରହିଛି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ଭଲ ରେଜଲ୍ଟ କରିଛନ୍ତି। ପାସ୍‌ହାର ସବୁ ରେକର୍ଡ ଭାଙ୍ଗି ୯୯%ରେ ପହଞ୍ଚିଛି। ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ଥିବା ୬୦ଟି ସରକାରୀ ହାଇସ୍କୁଲର ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୮%ରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଗତବର୍ଷ ପାସ୍‌ହାର ୮୮% ରହିଥିଲା। ବିଏମ୍‌ସି ଅଞ୍ଚଳରେ ଥିବା ସରକାରୀ ସ୍କୁଲଗୁଡ଼ିକରୁ ୧୮ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସେହିପରି ଭୁବ‌ନେଶ୍ବର ବ୍ଲକର ୨୨ଟି ସରକାରୀ ହାଇସ୍କୁଲର ୧୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବା ଲାଗି ଫର୍ମପୂରଣ କରିଥିବା ବେଳେ ୯୬%ରୁ ଅଧିକ ପିଲା ପାସ୍‌ କରିଛନ୍ତି। ଗତବର୍ଷ ପାସ୍‌ହାର ୮୬.୯୯% ରହିଥିଲା, ଯାହାକି ଏଥର ରେକର୍ଡ। ୯ ଜଣ ପରୀକ୍ଷାର୍ଥୀ ‘ଏ-୧’ ପାଇଥିବା ରାତି ପର୍ଯ୍ୟନ୍ତ ସୂଚନା‌ ମିଳିଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନଥିବା ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।

ତେବେ ବିଏମ୍‌ସି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳର ଘରୋଇ ବିଦ୍ୟାଳୟଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଘରୋଇ ସ୍କୁଲଗୁଡ଼ିକର ପାସ୍‌ହାର ୯୯.୫%ରୁ ଅଧିକ ରହିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ୩ଟି ଘରୋଇ ବିଦ୍ୟାଳୟର ୮ରୁ ଅଧିକ ପିଲା ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି।

ସରକାରୀ ବିଦ୍ୟାଳୟର ପାସ୍‌ହାର ଉତ୍ସାହଜନକ
ରାଜଧାନୀର ସରକାରୀ ବିଦ୍ୟାଳୟଗୁଡ଼ିକ ଏଥର ଉତ୍ସାହଜନକ ରେଜଲ୍ଟ କରିଛନ୍ତି। କ୍ୟାପିଟାଲ ହାଇସ୍କୁଲର ଦୁଇ ଜଣ, ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟରୁ ୨ ଜଣ, ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ, ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ, ଭିଏସ୍‌ଏସ୍‌ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋପିନାଥ ଦେବ ହାଇସ୍କୁଲ, ଲକ୍ଷ୍ମୀସାଗରର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତାର ସହ ‘ଏ-୧’ ହାସଲ କରିଛନ୍ତି। ପୂର୍ବବର୍ଷଗୁଡ଼ିକ ଅପେକ୍ଷା ଏଥର ଅଧିକ ସଂଖ୍ୟକ ସରକାରୀ ବିଦ୍ୟାଳୟର ପାସ୍‌ହାର ଶତପ୍ରତିଶତ ହୋଇଛି। ଯାହାକି ଏକ ରେକର୍ଡ।

୪୬ ସ୍କୁଲର ଶତପ୍ରତିଶତ ରେଜଲ୍ଟ
ସହରର ୪୦ରୁ ଅଧିକ ବିଦ୍ୟାଳୟ ଏଥର ଶତପ୍ରତିଶତ ରେଜଲ୍ଟ କରିଛନ୍ତି। ସଫଳତା ହାସଲ କରିବା କ୍ଷେତ୍ରରେ ଘରୋଇ ବିଦ୍ୟାଳୟଗୁଡ଼ିକ ଆଗରେ ରହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଛନ୍ତି। ଏଥିସହ ୨୭ଟି ସରକାରୀ ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବିଏମ୍‌ସି ଓ ଭୁବନେଶ୍ବର ଅଞ୍ଚଳରେ ‘ଏ-୧’ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୨୦ରୁ ଅଧିକ ହେବ। ତେବେ ପ୍ରକୃତ ତଥ୍ୟ ରାତି ପର୍ଯ୍ୟନ୍ତ ହସ୍ତଗତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର