ଭୁବନେଶ୍ବରରେ ମାଟ୍ରିକ୍‌ ଡ୍ରପ୍‌-ଆଉଟ୍‌ର ସାଂଘାତିକ ଚିତ୍ର, ପରୀକ୍ଷା ଦେଲେନି, ବାହା ହୋଇଗଲେ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ବିବାହ କରିଛନ୍ତି ୧୦ ଜଣ ଛାତ୍ରୀ। ସମସ୍ତେ ରେଗୁଲାର ଛାତ୍ରୀ। ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ। ମାତ୍ର ପରୀକ୍ଷା ବେଳକୁ ସେମାନଙ୍କୁ ଆଉ ଦେଖିବାକୁ ମିଳିଲାନି। ବୁଝୁବୁଝୁ ଜଣାପଡ଼ିଲା ଯେ ସେମାନେ ବିବାହ କରିସାରିଛନ୍ତି। ପାଠପଢ଼ାର କୌଣସି ଆବଶ୍ୟକତା ନ ଥିବା ଦର୍ଶାଇ ଅଭିଭାବକମାନେ ସେମାନଙ୍କ ବାହାଘର କରିଛନ୍ତି। ବିବାହ ପରେ ପରେ କିଏ କେଉଁଆଡ଼େ ସ୍ବାମୀଙ୍କ ସହ ଚାଲିଯାଇଛନ୍ତି। ତେଣୁ ‌ପରୀକ୍ଷା ଦେବାକୁ ଆସି ନ ଥିବା ଅଭିଭାବକମାନେ କହିଛନ୍ତି। ଏହା ରାଜ୍ୟର ଅନ୍ୟ କୌଣସି ଜିଲ୍ଲାର ଚିତ୍ର ନୁହେଁ। ବରଂ ଖୋଦ୍‌ ରାଜଧାନୀର ୟୁନିଟ୍‌-୩, ୟୁନିଟ୍‌-୪, ଗୌତମ ନଗର, ପଟିଆ, ଡୁମୁଡୁମା, ଖଣ୍ଡଗିରି ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିନାହାନ୍ତି। ଯେଉଁ ପିଲା ମାଟ୍ରିକ୍‌ ପରୀକ୍ଷା ଦେଉଛି ତାହାର ବିବାହ ବୟସ ହୋଇନଥିବ। ଏତେ କମ୍‌ ବୟସରୁ ଅଭିଭାବକ କିଭଳି ପିଲାଙ୍କ ବିବାହ କରିଦେଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି ରାଜ୍ୟ ସରକାରଙ୍କ ନାକତଳେ ବାଲ୍ୟ ବିବାହ ଚାଲିଛି ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ କ’ଣ ହୋଇଥିବା ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ବିଏମ୍‌ସି ଓ ଭୁବନେଶ୍ବର ବ୍ଲକରେ ୪୫୮ ଆସିଲେନି
ପରୀକ୍ଷା ଦେବାକୁ ଇଚ୍ଛା କଲେନି ୨୦% ପରୀକ୍ଷାର୍ଥୀ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭୁବନେଶ୍ବର ମହାନଗର ନିଗମ ଓ ବ୍ଲକ ଅଞ୍ଚଳର ୧୦୧ ହାଇସ୍କୁଲର ୪୫୮ ଜଣ ପରୀକ୍ଷାର୍ଥୀ ଏଥର ମାଟ୍ରିକ ପରୀକ୍ଷା ଦେଇନାହାନ୍ତି। ସେଥିମଧ୍ୟରୁ ବିଏମ୍‌ସିର ୭୮ଟି ସ୍କୁଲ ମଧ୍ୟରୁ ୩୬୯ ଜଣ ଅନୁପସ୍ଥିତ ରହିଛନ୍ତି। କେବଳ କିସ୍‌ର ୧୫୧ ଜଣ ପିଲା ଚଳିତବର୍ଷ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ଏହାବ୍ୟତୀତ କ୍ୟାପିଟାଲ ହାଇସ୍କୁଲର ୧୮, ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟର ୧୬, ବିଏମ୍‌ ହାଇସ୍କୁଲ ଓ ପାଇକରାପୁରସ୍ଥିତ ପଞ୍ଚାୟତ ନୋଡାଲ ହାଇସ୍କୁଲର ୯, ସିଆରପି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ ଓ ମହାରଥା ବିଦ୍ୟାପୀଠର ୮ ଜଣ ଲେଖାଏ, ବଡଗଡ଼ ସରକାରୀ ହାଇସ୍କୁଲର ୭, ୟୁନିଟ୍‌-୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚନ୍ଦ୍ରଶେଖରପୁର ଫେଜ୍‌-୧ ସରକାରୀ ହାଇସ୍କୁଲର ୬ ଜଣ ଲେଖାଏ, ଖଣ୍ଡଗିରି ନୋଡାଲ ହାଇସ୍କୁଲ, ୟୁନିଟ୍‌-୯ ଓ ୟୁନିଟ୍‌-୬ ବାଳିକା ଉଚ୍ଚ ବିଦ୍ୟାଳୟ ର ୫ ଜଣ ଲେଖାଏ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥତା ଥିବା ଦର୍ଶାଇଛନ୍ତି। ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ନିଜ ଠିକଣା ପରିବର୍ତନ କରିସାରିଲେଣି। ପରୀକ୍ଷା ଦେବାକୁ ଇଚ୍ଛା ପ୍ରକଟ ନ କରିବା, ପୂର୍ବରୁ ସମିଟିଭ୍‌-୧ ପରୀକ୍ଷା ଦେଇ ନ ଥିବା, କୋଭିଡ୍‌ରେ ଆକ୍ରାନ୍ତ ଥିବା, ଅନେକ ଦିନ ଧରି ଅନୁପସ୍ଥିତ ପରି ସମସ୍ୟା ସାମ୍ନାକୁ ଆସିଛି। ପାଖାପାଖି ୫୦ ଜଣ ପିଲା ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। କିସ୍‌ର ୨୫୩୯ ପିଲା ଫର୍ମ ପୂରଣ କରିଥିବା ବେଳେ ୧୫୧ ଜଣ ଅନୁପସ୍ଥିତ ରହିଛନ୍ତି। କାହିଁକି ସେମାନେ ଅନୁପସ୍ଥିତ ରହିଲେ ତାହାର କାରଣ ଜଣାପଡ଼ି ନାହିଁ।

Sambad

ଯଦି ଭୁବନେଶ୍ବର ବ୍ଲକ କଥା ଦେଖିବା ତେବେ ଏଠାରେ ୨୩ଟି ସ୍କୁଲର ୮୯ ଜଣ ଛାତ୍ରୀ ଅନୁପସ୍ଥିତ ରହିଥିଲେ। ୧୫୩୮ ଜଣ ଫର୍ମ ପୂରଣ କରିଥିବା ବେଳେ ୧୪୬୫ ଜଣ ପରୀକ୍ଷା ଦେଇଥିଲେ। ଏଠାରେ ସ୍ବାସ୍ଥ୍ୟଗତ ସମସ୍ୟା, ପରୀକ୍ଷା ଲାଗି ଆଗ୍ରହ ନ ହେବା କହିଛନ୍ତି। ମେଣ୍ଢାଶାଳ ହାଇସ୍କୁଲର ୧୩, ପାଇକରାପୁର ପଞ୍ଚାୟତ ହାଇସ୍କୁଲର ୯, ଚନ୍ଦକାର ମହାରଣା ବୀରବର ନୋଡାଲ ବିଦ୍ୟାପୀଠର ୭, କଣ୍ଟାବାଡ଼ ହାଇସ୍କୁଲର ୬ ଜଣ ପିଲା ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। କିଛି ଜଣ ଭୁବନେଶ୍ବର ବାହାରକୁ ଚାଲିଯାଇଥିବା ଗଣଶିକ୍ଷା ବିଭାଗର ଯାଞ୍ଚ ସମୟରେ ତଥ୍ୟ ସାମ୍ନାକୁ ଆସିଛି।

ଶିକ୍ଷା ହବ୍‌ରୁ ଯଦି ଏଭଳି ତଥ୍ୟ ସାମ୍ନାକୁ ଆସୁଛି ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ କିଭଳି ସ୍ଥିତି ରହିଥିବ ତାହାକୁ ନେଇ ଗଣଶିକ୍ଷା ବିଭାଗର ମୁଣ୍ଡ ଖରାପ। ବିଶେଷକରି ପରୀକ୍ଷା ଦେବାକୁ ପିଲାମାନେ ଆଗ୍ରହ ପ୍ରକାଶ ନ କରିବା ପଛରେ କ’ଣ କାରଣ କରିଛି ତାହା ଖୋଜା ଚାଲିଛି। ଇତିମଧ୍ୟରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ, ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ସ୍କୁଲକୁ ଗସ୍ତ କରି ପାଠପଢ଼ାର ଯାଞ୍ଚ ଆରମ୍ଭ କରିଛନ୍ତି। ପିଲାଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରଧାନଶିକ୍ଷକଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର