ଭୁବନେଶ୍ବର: ୨୦୨୫ ମାଟ୍ରିକ ପରୀକ୍ଷାରେ ରାଜଧାନୀର ସରକାରୀ ବିଦ୍ୟାଳୟରେ କେହି ଫେଲ୍ ହେବେ ନାହିଁ। ସମସ୍ତ ପରୀକ୍ଷାର୍ଥୀ କିଭଳି ପାସ୍ କରିବେ ସେଥିପାଇଁ ଆରମ୍ଭ ହୋଇଛି ‘ସୁନିଶ୍ଚିତ’। ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର ବ୍ଲକ୍ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏହି ଅଭିଯାନକୁ ସଫଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୪୦ ଦିନ ବାକି ଥିବାରୁ ସହରରେ ଫେଲ୍ ସଂଖ୍ୟାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ। ବିଦ୍ୟାଳୟର ସମସ୍ତ ପିଲା ପାସ୍ କରିବେ ଏବଂ ୫% ପରୀକ୍ଷାର୍ଥୀ ଯେପରି ‘ଏ-୧’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେବେ ତାହାକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇସାରିଥିବା ବେଳେ ଏବେ ପିଲାଙ୍କ ଉପରେ ଫୋକସ୍ କରାଯାଇଛି।
ବିଏମ୍ସି ଓ ଭୁବନେଶ୍ବର ବ୍ଲକ୍ ଅଞ୍ଚଳରେ ଥିବା ୮୦ଟି ହାଇସ୍କୁଲ ମଧ୍ୟରୁ ଗତ ଷାଣ୍ମାସିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଦୁଇ ଜଣ ଲେଖାଏ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ତାଲିମ ଦିଆଯାଇଛି।
ବିଦ୍ୟାଳୟର ୫% ପିଲା ‘ଏ-୧’ ଗ୍ରେଡ୍ ରଖିବାକୁ ଟାର୍ଗେଟ ଦିଆଯାଇଥିଲେ ମଧ୍ୟ ସହରର ୮୦ଟି ହାଇସ୍କୁଲର ୧୬୦ ପିଲାଙ୍କୁ ଚିହ୍ନଟ କରାଯାଇଛି। ସେମାନେ ବୋର୍ଡ ପରୀକ୍ଷାରେ ଯେପରି ଭଲ ଲେଖିବେ ଏବଂ ଭଲ ମାର୍କ ରଖିବେ ସେନେଇ ବୁଝାଯାଇଛି। ତାଲିମ ସମୟରେ ଗଣିତ, ବିଜ୍ଞାନ, ଇଂରାଜୀ ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏଥିସହ ସୋସିଆଲ୍ ସାଇନ୍ସରେ ଥିବା ଦୁଇଟି ବିଷୟ ଇତିହାସ ଓ ଭୂଗୋଳ ସମ୍ପର୍କରେ ବିଶେଷଜ୍ଞମାନେ ପିଲାଙ୍କୁ ବୁଝାଇଛନ୍ତି। ରିସୋର୍ସ ପର୍ସନମାନେ ପ୍ରଥମ ଲାଙ୍ଗୁଏଜ୍ ଓଡ଼ିଆ ଓ ତୃତୀୟ ଲାଙ୍ଗୁଏଜ୍ ହିନ୍ଦୀ/ସଂସ୍କୃତ/ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷାର୍ଥୀଙ୍କୁ ୩୦ ମିନିଟ୍ ଲେଖାଏ ତାଲିମ ଦେଇଥିଲେ। ବାକି ୪ଟି ବିଷୟ ପାଇଁ ଏକ ଘଣ୍ଟାଏ ଲେଖାଏ ତାଲିମ ଦିଆଯାଇଥିଲା। ପିଲାମାନଙ୍କ ଟେଷ୍ଟ ନିଆଯାଇଥିଲା। ଇତିମଧ୍ୟରେ ହ୍ବାଟସଆପ୍ ଗ୍ରୁପ୍ ଗଠନ କରାଯାଇ ସେମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି।
ରାଜଧାନୀରେ ମିସନ ‘ସୁନିଶ୍ଚିତ’
୫% ପିଲା ‘ଏ-୧’ ଗ୍ରେଡ୍ ରଖିବାକୁ ପରାମର୍ଶ
୮୦ ବିଦ୍ୟାଳୟର ୧୬୦ ପିଲାଙ୍କୁ ତାଲିମ
ତିନି ବର୍ଷ ହେଲା ଭୁବନେଶ୍ବରରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାସ୍ହାର ୯୯%ରୁ ଅଧିକ ରହୁଛି। ୨୦୨୩ରେ ବିଏମ୍ସିରେ ୬୭ଜଣ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍, ୧୨୭ ଜଣ ‘ଏ-୨’, ୪୧୪ ଜଣ ‘ବି-୧’, ୮୩୪ ଜଣ ‘ବି-୨’, ୧,୬୩୪ ଜଣ ‘ସି’, ୧,୭୮୩ ଜଣ ‘ଡି’ ଓ ୧୨୨୦ ଜଣ ‘ଇ’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ୩୨ଟି ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ ଏବଂ ୪୮ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ଭୁବନେଶ୍ବର ବ୍ଲକ୍ରେ ଦୁଇ ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍, ୧୭ଜଣ ‘ଏ-୨’ ଗ୍ରେଡ୍ରେ ପାସ୍ କରିଥିଲେ। ୧୫ଟି ବିଦ୍ୟାଳୟର ପାସ୍ହାର ଶତପ୍ରତିଶତ ହୋଇଥିଲା। ୨୦୨୩ରେ ବିଏମ୍ସି ଅଞ୍ଚଳରେ ପାସ୍ହାର ୯୯.୨୬% ରହିଥିଲା। ୬୧ଟି ବିଦ୍ୟାଳୟର ପାସ୍ହାର ଶତ ପ୍ରତିଶତ ଏବଂ ୧୬୫ଜଣ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଭୁବନେଶ୍ବର ବ୍ଲକ୍ରେ ପାସ୍ହାର ୯୮.୩୦% ହୋଇଥିଲା ଏବଂ ୧୪ଟି ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିଲେ। କରୋନା ଯୋଗୁଁ ୨୦୨୨ରେ ପରୀକ୍ଷା ହୋଇ ନଥିବାରୁ ୩୮୦ରୁ ଅଧିକ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍ ଏବଂ ୯୦୦ରୁ ଅଧିକ ‘ଏ-୨’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ କହିବାନୁଯାୟୀ ୨୦୨୩ ତୁଳନାରେ ୨୦୨୪ରେ ଏ-୧ ଗ୍ରେଡ୍ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଥିଲା। ମାତ୍ର ୧୬୮ ଜଣ ‘ଏ-୨’ ଗ୍ରେଡ୍ ପାଇଥିଲେ। ଏଥର ‘ଏ-୧’ ଗ୍ରେଡ୍ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ୫% ଟାର୍ଗେଟ୍ ରହିଥିଲେ ମଧ୍ୟ ପ୍ରତି ବିଦ୍ୟାଳୟରୁ ଅତି କମ୍ରେ ୫ଜଣ ଲେଖାଏ ଯେପରି ୯୦%ରୁ ଅଧିକ ନମ୍ବର ରଖିବେ ତାହା ଉପରେ ଗୁରୁତ୍ବ ଦେଉଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/06/exams.jpg)