ମାଟ୍ରିକ୍‌ ପରୀକ୍ଷା ଫଳ, ପ୍ରତ୍ୟୁଷ ଭୁବନେଶ୍ବର ଟପର୍‌

‘ଏ-୧’ ଗ୍ରେଡ୍‌ରେ ୩୮୦ ଛାତ୍ରଛାତ୍ରୀ, ୫୦ ସ୍କୁଲର ପରୀକ୍ଷା ଫଳ ଶତପ୍ରତିଶତ

ଭୁବନେଶ୍ୱର: ରାଜଧାନୀର ମାଟ୍ରିକ୍ ପରୀକ୍ଷାଫଳ ଏଥର ସବୁ ରେକର୍ଡ ଭାଙ୍ଗିଛି। ଗତବର୍ଷ ପରି ଏଥର ମଧ୍ୟ ପାସ୍‌ହାର ଶୀର୍ଷରେ ପହଞ୍ଚିଥିବା ବେଳେ ‘ଏ-୧’ ଗ୍ରେଡ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହରାଞ୍ଚଳଠାରୁ ବହୁ ଆଗରେ ରହିଛି। ଘରୋଇ ବିଦ୍ୟାଳୟଗୁଡ଼ିକ ଶତପ୍ରତିଶତ ରେଜଲ୍ଟ କରି ପୂର୍ବ ବର୍ଷର ସଫଳତାକୁ ପୁଣିଥରେ ଦୋହରାଇଛନ୍ତି। କିଛି ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବା ସହ ଅଧିକାଂଶ ବିଦ୍ୟାଳୟର ପାସ୍‌ହାର ୯୦% ଉପରେ ହୋଇଛି। ବୁଧବାର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକରୁ ପ୍ରାରମ୍ଭିକ ଭାବେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପ୍ରତ୍ୟୁଷ କୁମାର ଦାଶ ୫୯୬ ନମ୍ବର ରଖି ଭୁବନେଶ୍ବର ଟପର୍‌ ହୋଇଛନ୍ତି। ୬ ଜଣ ଛାତ୍ରଛାତ୍ରୀ ୯୮% ଅର୍ଥାତ୍‌ ୫୯୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।

ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଏମ୍‌ସି ଅଞ୍ଚଳରେ ପାସ୍‌ହାର ୯୧ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଭୁବନେଶ୍ବର ଛାତ୍ରଛାତ୍ରୀଙ୍କ ପାସ୍‌ହାର ଲଗାତାର ଦ୍ବିତୀୟ ବର୍ଷ ପାଇଁ ଏଭଳି ହୋଇଛି। ସୂଚନା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ଏଥର ପାଖାପାଖି ୧୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ଅନୁପସ୍ଥିତ ରହିଥିଲେ। ତା’ପରେ ବି ୩୮୦ରୁ ଅଧିକ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ୯୦୦ରୁ ଅଧିକ ‘ଏ-୨’, ୧୬୦୦ ଜଣ ‘ବି-୧’, ୧୮୨୦ ଜଣ ‘ବି-୨’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୧୦ଜଣ ଏଫ୍-ଗ୍ରେଡ୍ ଅର୍ଥାତ୍ ଫେଲ୍ ହୋଇଛନ୍ତି। ଚଳିତବର୍ଷ ରାଜ୍ୟରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ ପାଇଥିଲେ ଭୁବନେଶ୍ବରର କେତେକ ନାମକରା ସରକାରୀ ସ୍କୁଲର ଜଣେ ବି ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇନାହାନ୍ତି। ଭଲ ରେଜଲ୍ଟ କରୁଥିବା କିଛି ଘରୋଇ ବିଦ୍ୟାଳୟର ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଥିବାରୁ ସ୍କୁଲ କର୍ତୃପକ୍ଷଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପରୀକ୍ଷା ହୋଇ ନ ଥିଲେ ମଧ୍ୟ ଘରୋଇ ବିଦ୍ୟାଳୟଗୁଡ଼ିକ ପୁଣିଥରେ ନିଜର ସଫଳତା ଦୋହରାଇଛନ୍ତି। ସହରରେ ଥିବା ମୋଟ ୮୩ଟି ସ୍କୁଲ ମଧ୍ୟରୁ ପ୍ରାୟ ୪୦ଟିରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ‘ଏ-୧’ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର(ଏସ୍ଏସ୍‌ଭିଏମ୍‌)ର ସର୍ବାଧିକ ୮୧ଜଣ ରହିଛନ୍ତି। ଏହାବ୍ୟତୀତ ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରର ୬୯, ୟୁନିଟ୍-୮ ଏସ୍ଏସ୍‌ଭିଏମ୍‌ରେ ୨୮, ନୂଆପଲ୍ଲୀ ଶ୍ରୀମଦ୍ ଭଗବତ ଗୀତା ବିଦ୍ୟାମନ୍ଦିରର ୧୭ ଜଣ ‘ଏ-୧’ ଗ୍ରେଡ୍ ପାଇଛନ୍ତି। ଭୁବନେଶ୍ବର ବ୍ଲକ କଥା ବିଚାରକୁ ନିଆଗଲେ, ୨୨ଟି ବିଦ୍ୟାଳୟ ମଧ୍ୟରୁ ୧୪ଟି ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଛନ୍ତି। ୭ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍ ହାସଲ କରିଛନ୍ତି। ଇଞ୍ଜଣା ହାଇସ୍କୁଲର ୫, ପାତ୍ରପଡ଼ା ଭଗବାନପୁର ହାଇସ୍କୁଲ, ରଘୁନାଥପୁରର ଦଧିବାମନ ହାଇସ୍କୁଲର ଜଣେ ଲେଖାଏଁ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର