ରାଜଧାନୀରେ ମାଟ୍ରିକ୍‌ ରେଜଲ୍ଟ ରେକର୍ଡ: ୬୦ ସ୍କୁଲରେ ସମ‌ସ୍ତେ ପାସ୍‌ ‘ଏ-୧’ ଗ୍ରେଡ୍‌ରେ ୧୭୬ ଜଣ ଉତ୍ତୀର୍ଣ୍ଣ

ବଡ଼ଗଡ଼ ଏସ୍‌ଏସ୍‌ଭିଏମ୍‌ରେ ସର୍ବାଧିକ ୪୪ଜଣଙ୍କୁ ଏ-୧

ଭୁବନେଶ୍ୱର: ରାଜଧାନୀର ମାଟ୍ରିକ୍‌ ପରୀକ୍ଷାଫଳ ଏଥର ସବୁ ରେକର୍ଡ ଭାଙ୍ଗିଛି। ପାସ୍‌ହାର ଶୀର୍ଷରେ ପହଞ୍ଚିଥିବା ବେଳେ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହରାଞ୍ଚଳଠାରୁ ଆଗରେ ରହିଛି। ଘରୋଇ ବିଦ୍ୟାଳୟଗୁଡ଼ିକ ଶତପ୍ରତିଶତ ରେଜଲ୍ଟ କରି ପୂର୍ବବର୍ଷର ସଫଳତାକୁ ପୁଣିଥରେ ଦୋହରାଇଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବା ସହ ଅଧାରୁ ଅଧିକ ବିଦ୍ୟାଳୟର ପାସ୍‌ହାର ଶତ ପ୍ରତିଶତ ହୋଇଛି। ଶୁକ୍ରବାର ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରୁ ଆଜି ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ରାଜଧାନୀରେ ୯୯% ପାସ୍‌ହାର ହୋଇଥିବା ନେଇ ଶନିବାର ପ୍ରାରମ୍ଭିକ ତଥ୍ୟ ପ୍ରକାଶ ପାଇଥିଲା। ତେବେ ଆଜି ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ବିଏମ୍‌ସି ଅଞ୍ଚଳରେ ପାସ୍‌ହାର ୯୯.୨୬% ବୋଲି ଜଣାପଡ଼ିଛି, ଯାହାକି ଏକ ରେକର୍ଡ। ପ୍ରଥମଥର ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାସ୍‌ହାର ଏଭଳି ହୋଇଛି। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ଏଥର ୧୦ ହଜାର ୨୩୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ହଜାର୧୫୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୨୬% ହୋଇଛି। ୧୭୬ ଜଣ ‘ଏ-୧’ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ୮୨୦ ଜଣ ‘ଏ-୨’, ୧୫୨୬ ଜଣ ‘ବି-୧’, ୨୦୪୫ ଜଣ ‘ବି-୨’, ୨୩୧୨ ଜଣ ‘ସି’, ୨୨୦୮ ଜଣ ‘ଡି’ ଓ ୧୦୭୪ଜଣ ଇ-ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୫ ଜଣ ଛାତ୍ରଛାତ୍ରୀ ଏଫ୍‌-ଗ୍ରେଡ୍‌ ଅର୍ଥାତ୍ ଫେଲ୍‌ ହୋଇଛନ୍ତି। ବରମୁଣ୍ଡା ଏସ୍‌ଏସ୍‌ଭିଏମ୍‌ର ଛାତ୍ରୀ ସ୍ବୟଂପ୍ରଭା ଚହଟରାୟ ଭୁବନେଶ୍ବରରେ ସର୍ବାଧିକ ୫୮୨ ନମ୍ବର ରଖିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପରୀକ୍ଷା ହୋଇ ନ ଥିଲେ ମଧ୍ୟ ଘରୋଇ ବିଦ୍ୟାଳୟଗୁଡ଼ିକ ପୁଣିଥରେ ନିଜର ସଫଳତା ଦୋହରାଇଛନ୍ତି। ସହରରେ ଥିବା ମୋଟ ୮୩ଟି ସ୍କୁଲ ମଧ୍ୟରୁ ୬୦ଟିରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ‘ଏ-୧’ ଗ୍ରେଡ୍‌ ପାଇଥିବା ୧୭୬ଜଣଙ୍କ ମଧ୍ୟରୁ ବଡ଼ଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ଏସ୍‌ଏସ୍‌ଭିଏମ୍‌)ର ସର୍ବାଧିକ ୪୪ ଜଣ ରହିଛନ୍ତି। ଏହାବ୍ୟତୀତ ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରର ୨୫, ୟୁନିଟ୍‌-୮ ଏସ୍‌ଏସ୍‌ଭିଏମ୍‌ର ୧୪, ନୂଆପଲ୍ଲୀ ଶ୍ରୀମଦ୍‌ ଭଗବତ ଗୀତା ବିଦ୍ୟାମନ୍ଦିରର ୧୨, ନୀଳାଦ୍ରିବିହାର ଏସ୍‌ଏସ୍‌ଭିଏମ୍‌ର ୧୧, ଧର୍ମବିହାର ଏସ୍‌ଏସ୍‌ଭିଏମ୍‌ର ୮ ଜଣ ଲେଖାଏଁ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଚନ୍ଦ୍ରଶେଖରପୁରର ୬, ଏସ୍‌ଏସ୍‌ଭିଏମ୍‌ ଜୟଦେବବିହାରର ୫, ଶ୍ରୀଅରବିନ୍ଦ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ଇଣ୍ଟ୍ରିଗ୍ରାଲ ଏଜୁକେସନ, ସାଁପୁରସ୍ଥିତ କଳିଙ୍ଗ ବିଦ୍ୟାପୀଠ, ଭିଏସ୍‌ଏସ୍‌ନଗର ସରକାରୀ ହାଇସ୍କୁଲ, ପୁରୁଣା ଭୁବନେଶ୍ବରସ୍ଥିତ ସ୍କୁଲ ଅଫ୍‌ ଇଣ୍ଟେଗ୍ରାଲ ଏଜୁକେସନର ୪ ଜଣ ଲେଖାଏଁ ‘ଏ-୧’ ଗ୍ରେଡ୍‌ ପାଇଛନ୍ତି।

ଅପରପକ୍ଷେ ବଡ଼ଗଡ଼ ଏସ୍‌ଏସ୍‌ଭିଏମ୍‌ର ସର୍ବାଧିକ ୩୫୮ଜଣ ଫର୍ମ ପୂରଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ସି’ ଗ୍ରେଡ୍‌ ଉପରେ ରହିଥିବା ଜଣାପଡ଼ିଛି। ଯଦି ଭୁବନେଶ୍ବର ବ୍ଲକ କଥା ବିଚାରକୁ ନିଆଯାଏ, ତେବେ ୨୨ଟି ବିଦ୍ୟାଳୟ ମଧ୍ୟରୁ ୧୮ଟି ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଛନ୍ତି। ୭ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ପାତ୍ରପଡ଼ା ଭଗବାନପୁର ହାଇସ୍କୁଲ, ଧଉଳିସ୍ଥିତ ତୋଷାଳୀ ଏକାଡେମି, କଣ୍ଟାବାଡ଼ ହାଇସ୍କୁଲର ୨ଜଣ ଲେଖାଏଁ ଓ ରଘୁନାଥପୁରର ଦଧିବାମନ ହାଇସ୍କୁଲର ଜଣେ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍‌ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର