ମାଟ୍ରିମୋନି ୱେବସାଇଟ୍ ଜରିଆରେ ଠକେଇ: ‘ଭଏସ୍ ଚେଞ୍ଜର୍’ ଆପ୍ଲିକେସନ୍‌ରେ କଥାବାର୍ତ୍ତା କରୁଛନ୍ତି ଠକ

ସତର୍କ କରାଇଲା କମିସନରେଟ୍ ପୁଲିସ, ଖୋଲିଲା ସାଇବର୍ ଅପରାଧ ହେଲ୍‌ପ ଡେସ୍କ

କଟକ: କରୋନା କାଳରେ ଏବେ ସାଇବର୍‌ ଠକ ସକ୍ରିୟ ହୋଇଉଠିଛନ୍ତି। ଲୋକଙ୍କୁ ଠକିବା ପାଇଁ ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି। ଏବେ ସେମାନଙ୍କ ଠକେଇର ଏକ ନୂଆ ତରିକା ସାମ୍ନାକୁ ଆସିଛି। ମାଟ୍ରିମୋନି ୱେବ୍‌ସାଇଟ୍‌କୁ ମାଧ୍ୟମ କରି କନ୍ୟାଘର ଲୋକଙ୍କୁ ଠକିବା ପାଇଁ ଯୋଜନା କରିଛନ୍ତି। ବର୍ତ୍ତମାନ କରୋନା ଯୋଗୁଁ ବର, କନ୍ୟା ଖୋଜାଖୋଜିରେ ସମସ୍ୟା ହେଉଥିବାରୁ ଲୋକେ ବେଶି ମାଟ୍ରିମୋନି ୱେବ୍‌ସାଇଟ୍‌ ଉପରେ ନିର୍ଭର କରୁଛନ୍ତି। ସେଥିରେ ବର କିମ୍ବା କନ୍ୟାର ପୂରା ପ୍ରୋଫାଇଲ୍‌ ଉପଲବ୍ଧ ହେଉଥିବାରୁ ପସନ୍ଦ ଆସିଲେ କଥା ଆଗକୁ ବଢ଼ୁଛି। କନ୍ୟା କିମ୍ବା ବରଘର ପକ୍ଷ ସେଥିରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରୁଛନ୍ତି। ତେବେ ଏହାର ଫାଇଦା ନେଇ ସାଇବର୍‌ ଠକ ଏବେ ଲୋକଙ୍କୁ ଠକିବା ପାଇଁ ଜାଲ ବିଛାଇଛନ୍ତି। ମାଟ୍ରିମୋନି ୱେବ୍‌ସାଇଟ୍‌ରେ ସାଇବର୍ ଅପରାଧୀ ନକଲି ଫଟୋ ଓ ବ୍ୟକ୍ତିଗତ ତଥ୍ୟ ରଖି ବିବାହ ପ୍ରସ୍ତାବ ଦେଉଛନ୍ତି। ‘ଭଏସ୍ ଚେଞ୍ଜର୍’ ଆପ୍ଲିକେସନ୍‌ରେ ବର କିମ୍ବା କନ୍ୟାର ବାପା ମା’ସ୍ବରରେ କଥା ହେଉଛନ୍ତି। ଏମିତି ବାରମ୍ବାର କଥା ହୋଇ ବିଶ୍ବାସ ଜନ୍ମାଇବା ପରେ ଜରୁରୀ ପରିସ୍ଥିତିର ଆଳ ଦେଖାଇ ମୋଟା ଅଙ୍କର ଟଙ୍କା ଏକାଧିକ ପର୍ଯ୍ୟାୟରେ ମାଗି ନେଉଛନ୍ତି। ବାସ୍‌ ଟଙ୍କା ମିଳିଗଲା ପରେ ମୋବାଇଲ୍ ସୁଇଚ୍ ଅଫ୍ କରି ଦେଉଛନ୍ତି। ସାଇବର୍‌ ଠକଙ୍କ ଏପରି କାରନାମା ଏବେ କମିସନରେଟ୍‌ ପୁଲିସ୍‌ର ହୋସ୍‌ ଉଡ଼ାଇ ଦେଲାଣି। ତେଣୁ ଏଥିପ୍ରତି ସତର୍କ ରହିବାକୁ ପୁଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଏଭଳି କୌଣସି ବ୍ୟକ୍ତି ଯଦି କ୍ରେଡିଟ୍ କାର୍ଡ ନମ୍ବର, ଡେବିଟ୍ କାର୍ଡ ନମ୍ବର କିମ୍ବା ବ୍ୟାଙ୍କର କୌଣସି ଗୋପନୀୟ ତଥ୍ୟ କିମ୍ବା ଟଙ୍କା ମାଗୁଛନ୍ତି, ତେବେ ତାଙ୍କ ସହିତ ସେୟାର ନକରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସତର୍କ କରି ଦିଆଯାଇଛି। ଏହାସହ ମାଟ୍ରିମୋନି ୱେବ୍‌ସାଇଟ୍‌ରେ ସମ୍ପର୍କ ସୃଷ୍ଟି ହୋଇଥିବା ବ୍ୟକ୍ତିଙ୍କୁ ଏକୁଟିଆ ସ୍ଥାନରେ ନ ଭେଟି ସର୍ବସାଧାରଣ ସ୍ଥାନରେ ଭେଟିବାକୁ ପରାମର୍ଶ ଦେଇଛି କମିସନରେଟ୍ ପୁଲିସ।
‌ସେହିପରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚାରିଟେବୁଲ୍ ଟ୍ରଷ୍ଟକୁ ଟଙ୍କା ଦାନ କରୁଥିବା ଲୋକଙ୍କୁ ମଧ୍ୟ ଲୁଟିବା ଆରମ୍ଭ କରିଛନ୍ତି ସାଇବର୍ ଅପରାଧୀ। ନକଲି ପ୍ରମାଣପତ୍ର ଦେଖାଇ ସେମାନଙ୍କ ଟ୍ରଷ୍ଟକୁ ଟଙ୍କା ଦାନ କରିବାକୁ ଇ-ମେଲ, ସୋସିଆଲ୍ ମିଡିଆ ମାଧ୍ୟମରେ କୁହାଯାଉଛି। ଅଜଣା ନମ୍ବରରୁ ଫୋନ୍ କଲ୍ ବି ଆସୁଛି। ଏହି ଦାନ ଟଙ୍କା କରୋନାରେ ପ୍ରଭାବିତ ଲୋକଙ୍କ ପାଇଁ ବ୍ୟୟ କରାଯିବା ସମ୍ପର୍କରେ କୁହାଯାଉଥିବା ବେଳେ ଏଥିରୁ ଟଙ୍କା ଦାନ କରିବା ପୂର୍ବରୁ ଟ୍ରଷ୍ଟ୍‌ର ସତ୍ୟତା ଯାଞ୍ଚ କରିବାକୁ ପରାମର୍ଶ ଦେଇଛି କମିସନରେଟ୍ ପୁଲିସ। ସାଇବର ଅପରାଧର ଶିକାର ହେଉଥିବା ବ୍ୟକ୍ତି ତୁରନ୍ତ ପୁଲିସ ସହୟତା ପାଇଁ ଏକ ସ୍ବତନ୍ତ୍ର ସାଇବର୍ ହେଲପ୍ ଡେସ୍କ ଖୋଲାଯାଇଛି। ଏହି ଡେସ୍କର କାର୍ଯ୍ୟରତ ଅଫିସର ପିଟି ଗଣେଶଙ୍କ ମୋବାଇଲ୍ ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କ ଫୋନ୍ ୭୩୨୮୦୭୭୧୪୪ରେ ଅଭିଯୋଗ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର