ମାତୃତ୍ୱ ୨୦୧୮: ର‍୍ୟାମ୍ପରେ ଚାଲିଲେ ମା’-ଝିଅ

ଭୁବନେଶ୍ୱର: ସନ୍ତାନର ପାଦ ଝୁଣ୍ଟି ପଡ଼ିଲେ ମା’ ତାକୁ ସମ୍ଭାଳେ। କିନ୍ତୁ ଆଜି ସ୍ଥିତି ଥିଲା ଓଲଟା। ଫେସନ୍‌ର ଦୁନିଆରେ ଦୃଢ଼ ଭାବେ ପାଦ ଥାପି ସାରିଥିବା ଆଜିର ସନ୍ତାନ ମଞ୍ଚ ଉପରେ ର‍୍ୟାମ୍ପ ଚାଲିରେ ମା’କୁ ସମ୍ଭାଳୁଥିଲା। ବିଚାରକ ଓ ଦର୍ଶକଙ୍କ ସମ୍ମୁଖରେ ମା’ର ପାଟି ଖନେଇ ଯାଉଥିଲେ ସନ୍ତାନ ମା’କୁ ହାତ ଥାପି ଆତ୍ମବିଶ୍ୱାସର ଇନ୍ଧନ ଯୋଗାଉଥିଲେ। ମଞ୍ଚ ଉପରେ ଏହି ଭଳି ମା’- ଝିଅଙ୍କ ଯୁଗଳବନ୍ଦୀ ଦର୍ଶକଙ୍କୁ ଅପଲକ ନୟନରେ ଅନେଇ ରହିବାକୁ ବାଧ୍ୟ କରିଥିଲା। ଅବସର ଥିଲା ଫେସନ୍‌ ଡିଜାଇନର୍‌ ଶ୍ୱେତା ପାରେଖଙ୍କ ଦ୍ୱାରା ଆୟୋଜିତ ଫେସନ୍‌ ସୋ’ ‘ମାତୃତ୍ୱ-୨୦୧୮’ ଗ୍ରାଣ୍ଡ୍‌ ଫିନାଲେର। ଏହି ଅବସରରେ ୧୨ ମା’-ଝିଅ ଯୋଡ଼ି ର‍୍ୟାମ୍ପରେ ଚାଲିଥିଲେ। କାର୍ଯ୍ୟକ୍ରମରେ ବଲିଉଡ୍‌ ତାରକା ବିପାଶା ବାସୁ, ସୁଷମା ସେଠ୍‌ ତାଙ୍କ କନ୍ୟା ଦିବ୍ୟା ସେଠ୍‌, ଗୌରୀ ସାଓ୍ଵନ୍ତ ଓ ସମାଜସେବୀ ଲକ୍ଷ୍ମୀନାଥ ତ୍ରିପାଠୀ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଓଲିଉଡ୍‌ ଅଭିନେତା ଆକାଶ ଦାସନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅଭିନେତ୍ରୀ ସୁଷମା ସେଠ୍‌ଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ଓ ଆଷ୍ଟ୍ରୋଲୋଜର୍‌ ଆଚାର୍ଯ୍ୟ ବିନୋଦଙ୍କୁ ‘ଏକ୍ସିଲେନ୍ସି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ୱେତା ପାରେଖଙ୍କ ସହ ମେ’ ଫେୟାରର ନିର୍ଦ୍ଦେଶକ ଜୟନ ରାଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର