ଚନ୍ଦ୍ରଶେଖରପୁର: ଶନିବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଟିକେ ଫୋମ୍ସ୍ ପ୍ରାଇଭେଟ୍ ଲିମିଟେଡ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟକୁ ଏଥିରେ କୌଣସି ଜୀବନହାନି ହୋଇନାହିଁ। କିନ୍ତୁ କୋଟିକୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ସହିତ ଷ୍ଟ୍ରାଇକିଂ ଫୋର୍ସ ଓ ଦଶ ଦଶଟି ଦମକଳ ସହିତ ରୋବୋଟିକ୍ ମନିଟର୍ ଲାଗିବାରୁ ପାଖାପାଖି ୩ଘଣ୍ଟା ପରେ ନିଆଁ ଲିଭିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଳତାଡ଼ ଚାଲିଛି। ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଘଟିଥିବା କୁହାଯାଉଛି। ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଅଗ୍ନିକାଣ୍ଡ ହୋଇଥିଲା। କମ୍ପାନି ପରିସରସ୍ଥ ୨ ସେଡ୍ ମଧ୍ୟରୁ ଗୋଟିକରେ ନିଆଁ ଲାଗିଥିଲା। ଏହି ସେଡ୍ରେ ଫୋମ୍ ତିଆରିରେ ଲାଗୁଥିବା କେମିକାଲ୍ ଭର୍ତ୍ତି ଜାର୍ ସହିତ ଗଦି ବା ସ୍ପଞ୍ଜ୍, କତା, କପଡ଼ା ଆଦି ଅନ୍ୟାନ୍ୟ କଞ୍ଚାମାଲ ମହଜୁଦ ଥିଲା। ତେଣୁ ନିଆଁ ହୁତ୍ହୁତ୍ ହୋଇ ଜଳିଥିଲା। ସୁରକ୍ଷାକର୍ମୀମାନେ ତୁରନ୍ତ ମ୍ୟାନେଜର ଓ ମଞ୍ଚେଶ୍ବର ଥାନା ପୁଲିସକୁ ଜଣାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଓ କଳ୍ପନାରୁ ଦମକଳ ବାହିନୀ ଘଟଣାସ୍ଥଳକୁ ଛୁଟିଆସିଥିଲେ। କିନ୍ତୁ ଚାହୁଁଚାହୁଁ ନିଆଁ ଦ୍ବିତୀୟ ସେଡ୍କୁ ମାଡ଼ିଯାଇଥିଲା।
୧୦ ଦମକଳ ନାକେଦମ
ଲାଗିଲା ରୋବୋଟିକ୍ ମନିଟର୍
ଖୋଜାଚାଲିଛି ଅଗ୍ନିକାଣ୍ଡର କାରଣ
ସେଠାରେ ବଜାରକୁ ଯିବା ପାଇଁ ତିଆରି ହୋଇସାରିଥିବା ସାମଗ୍ରୀ ସବୁ ମହଜୁଦ ଥିଲା। ଦୁଇ ଦୁଇଟି ସେଡ୍ ଏକାସାଙ୍ଗେ ଜଳୁଥିବା ବେଳେ ଦମକଳ ବାହିନୀ ପାଇଁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନଥିଲା। ପଛକୁ ପଛ ୧୦ଟି ଦମକଳ ଲାଗିଥିଲେ ମଧ୍ୟ ନିଆଁ ଲିଭି ନଥିଲା। ବିଶେଷ ସମସ୍ୟା ଥିଲା କେମିକାଲ୍ ଜଳିବା। ଏହାଦ୍ବାରା ପ୍ରଚୁର କଳାଧୂଆଁ ବାହାରୁଥିବାରୁ ନିଆଁ ପାଖକୁ ଯିବା ସମ୍ଭବ ହୋଇନଥିଲା। ସେହିଭଳି ସେଡ୍ରୁ ଟିଣ ଆଜ୍ବେଷ୍ଟସ୍ ତରଳି ଛିଟିକା ଆଶଙ୍କା ମଧ୍ୟ ଥିଲା। ତେଣୁ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ ବେଶ୍ ସତର୍କତାର ସହ ନିଆଁ ସହ ଲଢ଼ିବାକୁ ପଡ଼ିଥିଲା। ଏତିକିବେଳେ ଗୋଦାମ ବାହାରେ ଥିବା ୱେଷ୍ଟଜ୍ ବା ଅଳିଆ ଗଦାକୁ ନିଆଁ ମାଡ଼ି ଯାଇଥିଲା। କମ୍ପାନି ପାଚେରି କଡ଼କୁ ଥିବା ଅଳିଆ ଗଦା ଜଳିବା ପରେ ପଡ଼ୋଶୀ ଏକ ବିକ୍ସୁଟ୍ କମ୍ପାନିକୁ ନିଆଁ ମାଡ଼ିଯିବା ଆଶଙ୍କା ଉପୁଜିଥିଲା। ତେଣୁ ରୋବୋଟିକ୍ ମନିଟର୍ ବ୍ୟବହାର କରିବାକୁ ପଡ଼ିଥିଲା। ରୋବୋଟିକ୍ ମନିଟର୍ ଲାଗିବା ପରେ ଅପହଞ୍ଚ ଜାଗାରେ ପାଣି ପକାଇବା ସମ୍ଭବ ହେଲା ଏବଂ ଧୀରେଧୀରେ ନିଆଁ ଆୟତ୍ତକୁ ଆସିଥିଲା। ନିଆଁ ପୂରା ଆୟତ୍ତକୁ ଆସିବା ବେଳକୁ ଭୋର୍ ହୋଇଯାଇଥିଲା। ଅଗ୍ନିଶମ ଅଧିକାରୀଙ୍କ ସୂଚନାନୁସାରେ ୨ଟିଯାକ ସେଡ୍ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲେ ହେଁ ରାତିରେ କେହି ନଥିବାରୁ ସେସବୁ କାମରେ ଆସିପାରି ନଥିଲା।