ଭୁବନେଶ୍ବର: ଶନିବାର ଥିଲା ପବିତ୍ର ବାହୁଡ଼ା ଯତ୍ରା। ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜିଉମାନେ ରତ୍ନବେଦୀକୁ ଫେରିଥିଲେ। ତେବେ ଫେରିବା ବାଟରେ ତାଙ୍କ ମାଉସୀ ମା’ ମେଲଣି ଦେବାର ବିଧି ରହିଛି। ଏହି ଅବସରରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବାହୁଡ଼ା ଯାତ୍ରାରେ ପ୍ରଭୁଙ୍କୁ ମେଲାଣି ଦିଆଯାଇଛି।
ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର
ଜାଗମରା ଧର୍ମବିହାର ରଥଯାତ୍ରାର ବାହୁଡ଼ା ନୀତି ଅନୁସାରେ ଆଜି ଗଣ୍ଡମୁଣ୍ଡାସ୍ଥିତ ମାଉସୀମା’ ମନ୍ଦିର ତଥା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ସକାଳୁ ଗହଳଚହଳ ଲାଗିଥିଲା। ସକାଳ ନୀତି ପରେ ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା। ପୂର୍ବତନ କର୍ପୋରେଟର୍ ତଥା ଧର୍ମବିହାର ଜଗନ୍ନାଥ ମନ୍ଦିର କମିଟି ମୁଖ୍ୟ ରଘୁନାଥ ମହାନ୍ତି ଅପରାହ୍ଣ ୨ଟାରେ ଛେରାପହଁରା କରିବା ପରେ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟାରେ ରଥ ଜଗନ୍ନାଥ ମନ୍ଦିରରେ ପହଞ୍ଚିଛି। ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରସାଦସେବନର ବ୍ୟବସ୍ଥା ହୋଇଥିବା ବେଳେ ରବିବାର ଠାକୁରଙ୍କ ସୁନାବେଶ ହେବ।
ଇସ୍କନ ବାହୁଡ଼ା
ଆଜି ଇସ୍କନ୍ ମନ୍ଦିରକୁ ବାହୁଡ଼ିଛନ୍ତି ତିନି ଠାକୁର। ଘଣ୍ଟ, ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ହଜାର ହଜାର ଭକ୍ତଙ୍କ ଗହଣରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭଉଣୀ ମା’ ସୁଭଦ୍ରା ୟୁନିଟ୍-୮ ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସିଛନ୍ତି। ବିଧି ଅନୁସାରେ ଆଜି ଭୋର୍ ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳ ଆଳତି, ସାଢ଼େ ୭ଟାରେ ଦର୍ଶନ ଆଳତି ଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ଠାକୁରଙ୍କ ପହଣ୍ଡିନୀତି ହୋଇଥିଲା। ଅପରାହ୍ଣ ୨ଟାରେ ଗୋପୀନାଥ ସ୍ବାମୀ ଓ ଆମେରିକାରୁ ଆସିଥିବା ଭକ୍ତରୂପ ପ୍ରଭୁ ଛେରାପହଁରା କରିଥିଲେ। ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କର୍ପୋରେଟର୍ ମାନସୀ ସୁନ୍ଦରରାୟ ରଥ ଟଣା ସମୟରେ ଉପସ୍ଥିତ ଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ତିନି ରଥ ଇସ୍କନ ମନ୍ଦିରରେ ପହଞ୍ଚିଥିଲା।
କୋଳଥିଆ ଚିଦାନନ୍ଦ ବିହାର
/sambad/media/post_attachments/wp-content/uploads/2022/07/27-7.jpg)
ଖଣ୍ଡଗିରି ଚିଦାନନ୍ଦ ବିହାରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି। ଖଣ୍ଡଗିରି ପାହାଡ଼ ପାଦଦେଶରେ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରରୁ ଆଜି ତିନି ରଥ ବାହାରି ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିରରେ ପହଞ୍ଚିଛି। ସକାଳୁ ଠାକୁରଙ୍କ ଦ୍ବାର ଫିଟା ନୀତିଠାରୁ ଖେଚୁଡି ଭୋଗ ଲାଗି ପର୍ଯ୍ୟନ୍ତ ସବୁ ବିଧି ମୁତାବକ କରାଯାଇଥିଲା। ପୂର୍ବାହ୍ନ ସାଢ଼େ ୧୧ଟାରେ ଠାକୁରଙ୍କ ପହଣ୍ଡିନୀତି ହେଲା ଓ ତିନି ଠାକୁରଙ୍କୁ ତିନି ରଥକୁ ଅଣାଯାଇଥିଲା। ଅପରାହ୍ଣ ୧ଟାରେ ସଭାପତି ସତ୍ୟବ୍ରତ ଦାସ ଛେରାପହଁରା କରିଥିଲେ ଓ ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଏଠିକା ରଥଯାତ୍ରାର ପରମ୍ପରା ଅନୁସାରେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁମାନେ ଟାଣିଥିଲେ।
ୟୁନିଟ -୮ ଜଗନ୍ନାଥ ମନ୍ଦିର
ରାଜଧାନୀର ଅନ୍ୟତମ ପୁରୁଣା ରଥଯାତ୍ରା ଭାବେ ୟୁନିଟ୍ -୮ ଜଗନ୍ନାଥ ମନ୍ଦିର ରଥଯାତ୍ରା ଜଣାଶୁଣା। ଏଠାରେ ଆଜି ବାହୁଡ଼ା ଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ସକାଳୁ ଓୟୁଏଟି ପରିସରସ୍ଥ ମା’ ଝାଡ଼େଶ୍ବରୀ ମନ୍ଦିରରେ ଲାଗିଥିଲା ପ୍ରବଳ ଭିଡ଼। ସବୁ ନୀତି ପରେ ପୂର୍ବାହ୍ନ ୧୧ଟାରେ ଠାକୁରଙ୍କ ପହଣ୍ଡି ବିଜେ ନୀତି ହେବା ପରେ ମଧ୍ୟାହ୍ନ ୧୨ଟାରେ ବାୟାବାବା ମଠ ମହନ୍ତ ହରିଶ୍ଚନ୍ଦ୍ର ସ୍ବାମୀ ଛେରାପହଁରା କରିଥିଲେ। ଅପରାହ୍ଣ ସାଢ଼େ ୧ଟାରେ ରଥ ଟଣା ହୋଇଥିଲା। ସନ୍ଧ୍ୟାରେ ୟୁନିଟ୍-୮ ଜଗନ୍ନାଥ ମନ୍ଦିରରେ ରଥ ଲାଗିବା ପରେ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଆର୍ସିଏମ୍
/sambad/media/post_attachments/wp-content/uploads/2022/07/29-7.jpg)
ବାହୁଡ଼ା ଯାତ୍ରା ଅବସରରେ ଆଜି ଉତ୍ତର ଭୁବନେଶ୍ବର ଚଳଚଞ୍ଚଳ ହୋଇଉଠିଛି। ଆଜି ସକାଳୁ ପ୍ରେସ୍ ଛକସ୍ଥିତ ମାଉସୀ’ ମା ମନ୍ଦିରରେ ଗହଳି ଲାଗିଥିଲା। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସବୁ ନୀତିକାନ୍ତି ସରିବା ପରେ ଅପରାହ୍ଣ ୪ଟା ସମୟରେ ଠାକୁରଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା। ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର ରଥ ଉପରକୁ ବିଜେ କରିଥିଲେ। ପ୍ରବୀର ପାଲ ଛେରାପହଁରା କରିଥିଲେ। ରଥ ସମ୍ମୁଖରେ ସଂକୀର୍ତ୍ତନମଣ୍ଡଳୀ ପକ୍ଷରୁ ହରିନାମ ଗାନ କରାଯାଇଥିଲା। ରାସ୍ତାରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଭକ୍ତମାନେ ଭୋଗ ଅର୍ପଣ କରିଥିଲେ। ସନ୍ଧ୍ୟା ସାଢ଼େ ୬ଟାରେ ଆର୍ସିଏମ୍ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିବା ନେଇ ମୁଖ୍ୟ ପୂଜକ ଶାରଦା ପ୍ରସାଦ ମିଶ୍ର କହିଛନ୍ତି।
ବାଣୀବିହାର
/sambad/media/post_attachments/wp-content/uploads/2022/07/30-7.jpg)
ବାଣୀବିହାର ପରିସରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା ଅବସରରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ପାଳିତ ହୋଇଥିଲା। ଠାକୁରଙ୍କ ପହଣ୍ଡି ବିଜେ ବେଳେ ଘଣ୍ଟ ଘଣ୍ଟା, କାହାଳୀ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ଶ୍ରଦ୍ଧାଳୁମାନେ ହରିବୋଲ ଓ ହୁଳହୁଳି ପକାଇଥିଲେ। ବିଧି ଅନୁଯାୟୀ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛେରାପହଁରା କରିଥିଲେ। ଏହି ଅବସରରେ କୁଳସଚିବ ଅଭୟ କୁମାର ନାୟକ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ସମେତ ବାଣୀବିହାର ଜଗନ୍ନାଥ ମନ୍ଦିର ସଭାପତି, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକମାନେ ଯୋଗ ଦେଇଥିଲେ। ରଥ ଟାଣିବାକୁ ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ବହୁ ସଂଖ୍ୟାରେ ଛାତ୍ରୀମାନେ ରଥ ଦଉଡ଼ି ଟାଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/26-8.jpg)