ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଯୁବା ଧଳା ବାଘୁଣୀ ମୌସୁମୀ ଦ୍ବିତୀୟ ଥର ମାଆ ହେବାକୁ ଯାଉଛି। ଗତବର୍ଷ ତା’ର ପ୍ରଥମ ଗର୍ଭରୁ ୩ ସନ୍ତାନ ଜନ୍ମ ନେଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ୍ ଅପରିପକ୍ବ ଅବସ୍ଥାରେ ବାଘ ଶାବକଗୁଡ଼ିକ ଜନ୍ମ ନେବାରୁ ବଞ୍ଚିପାରି ନଥିଲେ। ତେଣୁ ଏଥର ମୌସୁମୀର ଦ୍ବିତୀୟ ଗର୍ଭ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସ୍ବତନ୍ତ୍ର ନଜର ରହିଛି। ପ୍ରାଣୀ ଚିକିତ୍ସକ ଓ ଜନ୍ତୁରକ୍ଷକମାନେ ତା’ ଉପରେ ସତର୍କ ନଜର ରଖିଛନ୍ତି। ମୌସୁମୀ ଧଳା ବାଘୁଣୀ ହୋଇଥିବାରୁ ଏଥର ତା’ ଗର୍ଭରୁ ପୁଣି ଧଳା ବାଘ ଛୁଆ ମିଳିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।  

Advertisment

ମୌସୁମୀ ଏବେ ପ୍ରାୟ ୩ ମାସର ଅନ୍ତଃସତ୍ତ୍ବା ବୋଲି ଜଣାପଡ଼ିଛି। ସାଧାରଣ ନାଲି ରଙ୍ଗର ବାଘ ରାଜେଶ ସହ ମିଳନରୁ ମୌସୁମୀ ପୁଣି ଥରେ ଗର୍ଭଧାରଣ କରିଛି। ଏବେ ତା’ ପେଟ ବଢ଼ିବା ଲକ୍ଷ୍ୟ କରାଯାଉଛି ଏବଂ ବହୁ ସମୟରେ ସେ ଖୁଆଡ଼ରେ ଶୋଇ ରହୁଛି। ଏସବୁ ଗର୍ଭଧାରଣଜନିତ ଆଳସ୍ୟ ଲକ୍ଷଣ ଦେଖାଯିବା ପରେ ସେ ୩ ମାସର ଗର୍ଭବତୀ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ବାଘୁଣୀମାନେ ଗର୍ଭଧାରଣର ୧୦୪ ଦିନ ଭିତରେ ସନ୍ତାନ ପ୍ରସବ କରନ୍ତି। ତେଣୁ ଏବେ ଗର୍ଭଧାରଣର ସମୟ ପାଖାପାଖି ୯୦ ଦିନ ହୋଇଗଲାଣି ବୋଲି ଆକଳନ କରାଯାଉଛି। ସବୁ କିଛି ଠିକ୍‌ ରହିଲେ, ଜୁନ୍‌ ପ୍ରଥମ ସପ୍ତାହରେ ହିଁ ମୌସୁମୀ କୋଳରେ ନବଜାତ ବାଘ ଛୁଆ ଦେଖିବାକୁ ମିଳିବ ବୋଲି ଆଶା କରାଯାଇଛି। ତେଣୁ ଧାର୍ଯ୍ୟ ସମୟର ଶେଷ ୧୦/୧୫ ଦିନ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରାଣୀ ଚିକିତ୍ସକମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ଧଳା ବାଘୁଣୀ ସ୍ନେହା ଓ ସାଧାରଣ ନାଲି ରଙ୍ଗର ମହାବଳ ମନୀଷର ମିଳନରୁ ୨୦୨୬ ଅଗଷ୍ଟ ୫ରେ ମୌସୁମୀ ଜନ୍ମ ନେଇଥିଲା। ୨ ଭାଇ ଭିକି ଓ ଚିନୁ ସହ ଏକମାତ୍ର ଭଉଣୀ ମୌସୁମୀ ଜନ୍ମ ହୋଇଥିଲା। ତେଣୁ ଗେହ୍ଲା ଝିଅ ତଥା ଭଉଣୀ ହିସାବରେ ଜନ୍ତୁରକ୍ଷକମାନେ ମୌସୁମୀକୁ ଅଧିକ ଯତ୍ନର ସହ ବଢ଼ାଇଥିଲେ।