ଚନ୍ଦ୍ରଶେଖରପୁର: ଆକ୍ସନ ମୋଡ୍ରେ ବିଏମ୍ସି କମିସନର ଚଞ୍ଚଲ ରାଣା। କେବେ ଅଳିଆ ଗଦାରେ ପହଞ୍ଚି ସମୀକ୍ଷା କରୁଛନ୍ତି ତ ଆଉ କେବେ ଡ୍ରେନ୍ ସଫେଇର ଅନୁଧ୍ୟାନ କରୁଛନ୍ତି। ସକାଳୁ ସକାଳୁ ଡମଣା ଛକ ନିକଟରେ ଥିବା ମଲ୍ଗୁଡ଼ିକର ସ୍ବଚ୍ଛତା ବୁଲି ଦେଖୁଛନ୍ତି। ସପ୍ତାହକ ମଧ୍ୟରେ କମିସନର ଶ୍ରୀ ରାଣାଙ୍କ ସମେତ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଘନ ଘନ ୱାର୍ଡ ଗସ୍ତ ଏବେ ଉତ୍ତର ଭୁବନେଶ୍ବରରେ ଜୋରଦାର ଚର୍ଚ୍ଚା ହେଉଛି। ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା। ମାତ୍ର ପ୍ରଥମ ଥର ବିଏମ୍ସିର କୌଣସି କମିସନରଙ୍କ ଏଭଳି ଗସ୍ତ ଲୋକଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ବହୁବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ ବୋଲି ଆଶା କରୁଛନ୍ତି।
ତିନିଦିନ ତଳେ ଅର୍ଥାତ୍ ୨୦ ତାରିଖ ସକାଳୁ ସକାଳୁ ବିଏମ୍ସି କମିସନର ଶ୍ରୀ ରାଣା ବିଏମ୍ସି ୬ ନମ୍ବର ୱାର୍ଡରେ ପହଞ୍ଚିଯାଇଥିଲେ। ୱାର୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିମଳ, ଜବରଦଖଲ, ରାସ୍ତା ସମସ୍ୟା, ଡ୍ରେନେଜ୍ ଓ ଷ୍ଟ୍ରିଟ୍ ଲାଇଟ୍ ସମ୍ପର୍କିତ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଥିଲେ। ରାସ୍ତା ଠିକ୍ ଭାବେ ସଫେଇ ହେଉଛି କି ନାହିଁ, ଘୋଡ଼ଣି ପଡ଼ି ନଥିବା ଡ୍ରେନ୍ ଚିହ୍ନଟ, କମ୍ୟୁନିଟି ପାର୍କରେ ଥିବା ସମସ୍ୟାଗୁଡ଼ିକର ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପାର୍କକୁ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲା ଆସୁଥିବାରୁ ତାହାକୁ ନିୟମିତ ଭାବେ ସଫେଇ କରିବା ସହ ଛୋଟ ପିଲାଙ୍କ ଖେଳିବାକୁ ଲାଗିଥିବା ଦୋଳିଗୁଡ଼ିକ ମରାମତି କରିବାକୁ ପରାମର୍ଶ ଦେଇଛନ୍ତି। ପରିଦର୍ଶନ ସମୟରେ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ବିଏମ୍ସି କମିସନରଙ୍କ ଗସ୍ତର ପରଦିନ ଅର୍ଥାତ୍ ଗତକାଲି ଭୁବନେଶ୍ବର ମେୟର ଶ୍ରୀମତୀ ଦାସ ବିଏମ୍ସିର ୨ ଓ ୩ ନମ୍ବର ଵାର୍ଡ ବୁଲି ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। ରାସ୍ତା, ଡ୍ରେନ୍, ରାସ୍ତାପାର୍ଶ୍ୱ ଆଲୋକ ବ୍ୟବସ୍ଥା, ଜବରଦଖଲ ଆଦି ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରାସ୍ତା ସମସ୍ୟାକୁ ନେଇ ଉଭୟ ୱାର୍ଡର ବିଭିନ୍ନ ସ୍ଥାନରେ ଲୋକେ ଅଭିଯୋଗର ଲମ୍ବା ତାଲିକା ଧରାଇ ଦେଇଥିଲେ। ସେମାନେ କହିଥିଲେ ବର୍ଷ ବର୍ଷ ଧରି ରାସ୍ତା ଯନ୍ତ୍ରଣାରେ ଆମେ ଦିନ କଟୁଥିଲେ ମଧ୍ୟ ପ୍ରଶାସନର ପାଦ ପଡ଼ୁନି। ଏବେ ବର୍ଷା ଦିନ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି। ପ୍ରତିଦିନ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା ବି ଠପ୍। କେଉଁଠି ଜଳୁଛି ତ ଆଉ କେଉଁଠି ଅନ୍ଧାର। ଏଭଳି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସେମାନେ ମେୟରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପରିଦର୍ଶନ ସମୟରେ ମେୟରଙ୍କ ସହ ସ୍ଥାନୀୟ କର୍ପୋରେଟର, ବିଏମ୍ସି ଅଧିକାରୀ ଓ ଇଂଜିନିୟରମାନେ ସାମିଲ ଥିଲେ। ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଥିଲେ। ମେୟରଙ୍କ ଗସ୍ତ ପୂର୍ବରୁ ବିଏମ୍ସି କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ୩ ନମ୍ବର ୱାର୍ଡରେ କ୍ଷେତ୍ର ପରିଦର୍ଶନ କରି ସ୍ବଚ୍ଛତା, ଷ୍ଟ୍ରିଟ୍ ଲାଇଟ୍, ଡ୍ରେନେଜ୍ ସମସ୍ୟା ବୁଲି ଦେଖିଥିଲେ।