ନବୀନ ନିବାସରେ ମେୟର, କର୍ପୋରେଟର: ଅଧାରୁ ଅଧିକ ଗଲେନି

ବିଦ୍ରୋହ ନା ଅନାଗ୍ରହ!

ଭୁବନେଶ୍ବର: ବି‌ଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ମେୟରଙ୍କ ଅଫିସ୍‌ରୁ ବିଜେଡି କର୍ପୋରେଟରମାନଙ୍କୁ ଫୋନ ଆସିଲା। ମେୟର ସୁଲୋଚନା ଦାସ ବି କେତେକଙ୍କୁ ଫୋନ୍‌ କରି ଏ ସଂକ୍ରାନ୍ତରେ ସୂଚନା‌ ଦେଲେ। ହେଲେ ଅଧାରୁ ଅଧିକ କର୍ପୋରେଟର ଗଲେନି। ସବୁଠାରୁ ଖରାପ ସ୍ଥିତି ହୋଇଥିଲା ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ। ଏକାମ୍ରରୁ କେବଳ ବିରଞ୍ଚି ନାରାୟଣ ମହାସୂପକାର (ଲିଟୁ)ଙ୍କୁ ଛାଡ଼ିଦେଲେ କେହି ଯାଇନଥିବା ବେଳେ ମଧ୍ୟ ନିର୍ବାଚନମଣ୍ଡଳୀରୁ ଅମରେଶ ଜେନାଙ୍କ ସମେତ ମାତ୍ର ୩ଜଣ ଯାଇଥିଲେ। ଉତ୍ତର ନିର୍ବାଚନମଣ୍ଡଳୀରୁ ଜଣେହେଲେ ଯାଇ ନଥିଲେ। ବଡ଼କଥା ‌ହେଉଛି, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ଭୁବନେଶ୍ବରର କୌଣସି ବିଧାୟକ କିମ୍ବା ବିଧାୟକ ପ୍ରାର୍ଥୀ ଯାଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଲିଟୁ-ବାଇଁଆଙ୍କ ଟିକେଟ୍‌ ଲବିକୁ ନେଇ ବିଜେଡିରେ ଅସନ୍ତୋଷ ଦେଖା ଯାଇଥିଲା। ଏବେ ଚର୍ଚ୍ଚା ହେଉଛି ଅଧାରୁ ଅଧିକ କର୍ପୋରେଟର ନବୀନ ନିବାସ ନ ଯିବା ବିଦ୍ରୋହ ନା ଅନାଗ୍ରହ? ମେୟର ସୁଲୋଚନା ଦାସଙ୍କ ‌ନେତୃତ୍ବରେ କର୍ପୋରେଟରମାନେ ଯାଇଥିଲେ। ଶତପ୍ରତିଶତ କର୍ପୋରେଟରଙ୍କୁ ଏକାଠି କରିନପାରିବା ତାଙ୍କର ବିଫଳତା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ଏକାମ୍ର ନିର୍ବାଚନମଣ୍ଡଳୀର କିଛି କର୍ପୋରେଟରଙ୍କ କହିବା କଥା ହେଉଛି, ମେୟର ସୁଲୋଚନା ଦାସ ସମସ୍ତ କର୍ପୋରେଟରଙ୍କୁ ନେଇ ବିଜେଡି ସଭାପତିଙ୍କୁ ଭେଟିବା ପାଇଁ ଚାହିଥିଲେ। ଏ ନେଇ ଗତକାଲି ଫୋନ୍‌ ଯୋଗେ ଡକରା ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟା ବେଳେ ନବୀନ ନିବାସ ପହଞ୍ଚିବାକୁ କୁହା ହୋଇଥିଲା। କୁହାଯାଇଥିଲା ଯେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସମେତ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଡକାଯାଇଛି। କିନ୍ତୁ ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି ଏକାମ୍ର ନିର୍ବାଚନମଣ୍ଡଳୀ‌ରେ ଲିଟୁ ସମାନ୍ତରାଳ ପ୍ରଚାର କରିବାରୁ ବିବାଦ ହୋଇଥିଲା। ବୁଝାମଣା ପରେ ବି ସେ ଏକାମ୍ର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନଥିଲେ। ଏଣୁ କର୍ପୋରେଟରମାନେ ଏକାଠି ହୋଇ ଏହି ନିମନ୍ତ୍ରଣକୁ ବୟକଟ୍‌ କରିଥିବା ଚର୍ଚ୍ଚା ଚାଲିଛି। ଉତ୍ତର ନିର୍ବାଚନମଣ୍ଡଳୀର ଜଣେ କର୍ପୋରେଟରଙ୍କ କହିବା କଥା, ‘‘ମେୟର ଡାକିନଥିଲେ ବରଂ ଆମେ ‌ମେୟରଙ୍କୁ କହିଥିଲୁ ସଭାପତିଙ୍କୁ ଭେଟିବା ପାଇଁ। ଏଣୁ ସେ ଭେଟିବା ପାଇଁ ସମୟ ନେଇଥିଲେ। ଏହି ନିର୍ବାଚନମଣ୍ଡଳୀରୁ ମାତ୍ର ଜଣଙ୍କୁ ଛାଡ଼ିଦେଲେ ସମସ୍ତେ ଯାଇଥିଲେ।

ବିଧାୟକ ଓ ସମ୍ପୃକ୍ତ କର୍ପୋରେଟରଙ୍କ ଅନ୍ୟତ୍ର କାମ ଯୋଗୁ ସେମାନେ ଯୋଗ ଦେଇ ପାରିନଥିଲେ। ଏଥିରେ ବିଦ୍ରୋହ କିମ୍ବା ଅନାଗ୍ରହର ପ୍ରଶ୍ନ ଉଠୁନି।’’ ମଧ୍ୟ ନିର୍ବାଚନମଣ୍ଡଳୀର ଜଣେ କର୍ପୋରେଟରଙ୍କ କହିଲେ, ‘‘ଏହା କୌଣସି ନିର୍ଦ୍ଦିଷ୍ଟ ବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବୈଠକ ବା ସମୀକ୍ଷା ନଥିଲା। କେବଳ ସାଧାରଣ ଭାବେ ଭେଟିବାକୁ ଯାଇଥିଲୁ। ଏଣୁ ସାଧାରଣ ଭାବି କେତେକ ଯାଇ ନାହାନ୍ତି। ଏହା ବିଜେଡିର କୌଣସି ଫାଟ କିମ୍ବା ଅନ୍ତର୍ଦ୍ବନ୍ଦ୍ବ ନୁହେଁ।’’ ତେବେ ଏ ନେଇ ମେୟରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନାହିଁ। ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଯଦି ବିଦ୍ରୋହ ହୋଇଥାଏ ତେବେ ଆସନ୍ତା ୨୧ ତାରିଖରେ ବିଏମ୍‌ସିରେ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର