ଭୁବନେଶ୍ବର: ରାଜଧାନୀର ଡିଭିଜନ ୧ର ମେଜର ପାଣି ପାଇପ ଫାଟିଥିବା ଯୋଗୁଁ ଉପୁଜିଥିବା ପାଣି ସମସ୍ୟା ଲାଗି ଭୁବନେଶ୍ୱର ମେୟର ସୁଲୋଚନା ଦାସ କ୍ଷମା ମାଗିଛନ୍ତି। ସେ କହିଛନ୍ତି, କାମ ସରିବା ପାଇଁ ଦୁଇଦିନ ଲାଗିଲା। ଜଣେ ଲୋକଙ୍କ ଦୁଇ ତାଲା ଘର ଥିବାରୁ ସତର୍କତା ସହ କାମ କରିବାକୁ ପଡ଼ିଲା। ଘର ଧସେଇ ପଡ଼ିବାର ସମ୍ଭାବନା ଥିଲା। ଆଜି କାମ ସରିଯାଇଛି। ସମସ୍ତଙ୍କ ପାଇଁ ଖୁସିର ଖବର। ଆଜି ସନ୍ଧ୍ୟା ସୁଦ୍ଧା ପାଣି ଆସିବ। ଦୁଇ ଦିନ ଧରି ପାଣି ଟାଙ୍କି ପଠାଉଥିଲୁ। ତଥାପି ତାହା ପର୍ଯ୍ୟାପ୍ତ ନୁହେଁ। ଲୋକଙ୍କ ଅସୁବିଧା ପାଇଁ କ୍ଷମା ଚାହୁଁଛି।

Advertisment


ଖୋଦ୍ ରାଜଧାନୀ ଭୁବନେଶ୍ବରର ଅଧା ବାସିନ୍ଦା ୱାଟ୍କୋ ଯୋଗୁ ପାଣି ପାଇ ନାହାନ୍ତି। କେବଳ ବେଆଇନ ଭାବେ ମାଟି ଖୋଳି ଭୂତଳ ଜଳ ବ୍ୟବହାର କରୁଥିବା ବଡ଼ବଡ଼ିଆ ଏଥିରେ ପ୍ରଭାବିତ ହୋଇ ନାହାନ୍ତି। ତେବେ ବଡ଼ କଥା ହେଉଛି, ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତାର ଦାୟିତ୍ବ ନେଇଥିବା ୱାଟ୍କୋ କିଭଳି କୌଣସି ବିକଳ୍ପ କଥା ଚିନ୍ତା କରିନାହିଁ! ଆଜି ଏଠି ଫାଟିଛି, କାଲି ଅନ୍ୟ ଦୁଇ ଜାଗାରେ ବି ସମାନ ଅବସ୍ଥା ହୋଇପାରେ! ତେବେ ପୂରା ସହରକୁ କଣ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯିବ? ଏତେ ବେପରୁଆ କିଭଳି ହୋଇପାରେ ସରକାରୀ ସଂସ୍ଥା?
ଗୋଟିଏ ପଟେ ମରାମତି ଚାଲିବା ସହ ଅନ୍ୟପଟେ ପ୍ରଭାବିତ ଅଞ୍ଚଳକୁ ୱାଟ୍କୋ ଟ୍ୟାଙ୍କର ଜରିଆରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲା। ଏଥିରେ ୮୦ ହଜାରରୁ ଊର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଥିବା ବେଳେ ୱାଟ୍କୋ ମାତ୍ର ୧୩ଟି ଟ୍ୟାଙ୍କର ବ୍ୟବସ୍ଥା କରିଥିଲା। ଗୋଟିଏ ଜାଗାରେ ଘଣ୍ଟାଏ ମଧ୍ୟରେ ପାଣି ସରି ଯାଉଥିଲା। ସେଠାକୁ ଦ୍ବିତୀୟବାର ଟ୍ୟାଙ୍କର ଆସୁନଥିଲା। କେତେକ ଜାଗାର ଗୋଟିଏ ଗୋଟିଏ ପରିବାର ଜବରଦସ୍ତ ଏକାଧିକ ପାତ୍ର ରଖି ପାଣି ନେଉଥିବା ବେଳେ କେତେକ ପାଣି ପାଇନଥିଲେ। କେତେକ ଜାଗାରେ ଗଣ୍ଡଗୋଳର ଖବର ପାଇ ବା ଉପରୁ ନିର୍ଦ୍ଦେଶ ପାଇ କର୍ପୋରେଟରମାନେ ଘଟଣାସ୍ଥଳରେ ପହଞ୍ଚି ପାଣିର ବଣ୍ଟନ ବ୍ୟବସ୍ଥା ତଦାରଖ କରିଥିଲେ। ଆଜି ଦିନଟି ତ ଯେମିତି ସେମିତି ବିତି ଯାଇଛି, ଆସନ୍ତାକାଲି କଥା ଚିନ୍ତାକରି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରବନ୍ଧ ବସ୍ତିର ଶ୍ରୀକାନ୍ତ ସାହୁ କହିଲେ, ‘‘ଆମେ ତ କେବଳ ଯୋଗାଣ ଜଳ ଉପରେ ନିର୍ଭର କରୁ। ଆଜି କଷ୍ଟେମଷ୍ଟେ ଚଳି ଯାଇଛୁ, କାଲି ପାଣି ନ ଆସିଲେ ଗଣ୍ଡଗୋଳ ହେଇଯିବ।’’ ଅନେକଙ୍କ ମୁହଁରୁ ସମାନ କଥା ଶୁଣିବାକୁ ମିଳିଛି। ପାଣିଟୋପେ ପାଇଁ ପରିବାର ଲୋକଙ୍କ ଧାଁଦଉଡ଼ ଓ ବ୍ୟସ୍ତତାକୁ ଦେଖି ନିର୍ବାକ୍ ପାଲଟି ଯାଇଥିବା ଜଣେ ବରିଷ୍ଠ ନାଗରିକ କହିଲେ, ‘‘ଖୋଦ୍ ରାଜଧାନୀରେ ଏମିତି ହେବବୋଲି କିଏ ସ୍ବପ୍ନରେ ସୁଦ୍ଧା ଭାବିଥିଲା…!’’