ଭୁବନେଶ୍ବର: ବିଏମ୍ସି କାର୍ଯ୍ୟାଳୟରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ତମ୍ବି ତୋଫାନ ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ, ସୁରକ୍ଷା ଦାୟିତ୍ବରେ ଥିବା ଏଜେନ୍ସି ଜଗନ୍ନାଥ ପ୍ଲେସ୍ମେଣ୍ଟ ଆଣ୍ଡ ସିକ୍ୟୁରିଟି ସର୍ଭିସ ଓ ସଂପୃକ୍ତ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଥିଲା। ବିଏମ୍ସି କାର୍ଯ୍ୟାଳୟରେ କାହିଁକି ସିସିଟିଭି କାମ କରୁନାହିଁ? କାହିଁକି ସୁରକ୍ଷା କର୍ମୀ ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ନାହିଁ? ଏନେଇ ପ୍ରବଳ ବର୍ଷିଥିଲେ ମେୟର। ବୈଠକ ପରେ ଏଥର ନିଜ ସୁରକ୍ଷା ବିଏମ୍ସି ନିଜେ ନେବ ବୋଲି ମେୟର କହିଛନ୍ତି।
ମେୟର କହିଛନ୍ତି, ବିଏମ୍ସି ବିଲ୍ଡିଂର ସୁରକ୍ଷା ପାଇଁ ବୈଠକ ଡକାଯାଇଥିଲା। ଆମେ ଜାଣିବାକୁ ଚାହିଁଥିଲୁ ଯେ, ଘଟଣା ଦିନ କ’ଣ ପାଇଁ ସୁରକ୍ଷାକର୍ମୀ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ଧରିଲେ ନାହିଁ। କ’ଣ ପାଇଁ ସିସିଟିଭି କାମ କରୁନାହିଁ। ସେ ବିଷୟରେ ଆଲୋଚନା ହେବ। ପୂର୍ବରୁ ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ ବିଏମ୍ସିର ସୁରକ୍ଷା ଥିଲା। କିନ୍ତୁ ଏବେ ବିଏମ୍ସି ଅଫିସ୍ ସମସ୍ତ ରକ୍ଷଣାବେକ୍ଷଣ, ସିସିଟିଭି ଓ ସୁରକ୍ଷା ନିଜେ ପରିଚାଳନା କରିବ। ଅଧିକ ଲୋକ ନରଖି ଗନମ୍ୟାନ୍ ରଖାଯିବ। ଯେମିତି କିଛି ଅଘଟଣ କରିବା ପୂର୍ବରୁ ଦୁବୃତ୍ତମାନେ ଭୟଭୀତ ହେବେ। ସେଦିନ କାର୍ଯ୍ୟରେ ଥିବା ସୁରକ୍ଷାକର୍ମୀ ନିଜେ ଡରୁଛନ୍ତି, ସେମାନେ କ’ଣ ସୁରକ୍ଷା ଦେବେ।
ଘଟଣା ଦିନ ଯେଉଁମାନେ ସୁରକ୍ଷା ଦାୟିତ୍ବରେ ଥିଲେ, ତାଙ୍କୁ କଢ଼ାଯାଇ ନୂଆ ସୁରକ୍ଷା କର୍ମୀ ରଖାଯାଇଛି। ବଡ଼ କଥା ହେଲା ୩ ମାସ ହେବ ସିସିଟିଭି ଖରାପ ହୋଇ ଗଲାଣି। କିନ୍ତୁ ବିଏସ୍ସିଏଲ୍ ଆମ ନଜରକୁ ଆଣିନାହିଁ। ବିଏମ୍ସି ବ୍ୟବହାର କରୁଥିବା ୟୁଜି, ଏଲ୍ଜି, ୩ ଓ ୪ ମହଲାକୁ ବିଏମ୍ସି ହିଁ ପରିଚାଳନା କରିବ।
ଏନେଇ ବିଏସ୍ସିଏଲ୍ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି କୋଠାର ୪ଟି ମହଲା ବିଏମ୍ସି ବ୍ୟବହାର କରୁଛି। ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ବ୍ୟବସ୍ଥା, ସିସିଟିଭି ପରିଚାଳନା ବିଏମ୍ସି କର୍ତ୍ତୃପକ୍ଷ କରିବାକୁ କୁହାଯାଇଛି। ଏହି କୋଠାରେ ଡେଲଏଟ୍ କମ୍ପାନି ଯେପରି ନିଜର ସମସ୍ତ ରକ୍ଷଣାବେକ୍ଷଣ ପରିଚାଳନା କରୁଛି, ଠିକ୍ ସେହିପରି ବିଏମ୍ସିକୁ କରିବାକୁ କୁହାଯାଇଛି।