ପୁରୁଣା ଭୁବନେଶ୍ୱର: ଆଜି ମେୟର ସୁଲୋଚନା ଦାସ ବିଏମ୍ସି ହସ୍ପିଟାଲ ପରିଦର୍ଶନରେ ଆସିଥିଲେ। ମେୟର ଦାୟିତ୍ବ ନେବା ପରେ ବିଏମ୍ସିର ମୁଖ୍ୟ ଚିକିତ୍ସାଳୟକୁ ଶ୍ରୀମତୀ ଦାସ ପ୍ରଥମଥର ପାଇଁ ଆସିଥିଲେ। ଏହି ଅବସରରେ ସେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ହସ୍ପିଟାଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତେବେ ମାଳମାଳ ସମସ୍ୟାରେ ଜର୍ଜରିତ ଏହି ହସ୍ପିଟାଲର ଅବସ୍ଥାରେ ସୁଧାର ଆଣିବାକୁ ସେ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ବହୁ ବିଭାଗରେ ଡାକ୍ତର ନାହାନ୍ତି, ଦୀର୍ଘ ଦିନ ହେଲା ଅପରେସନ୍ ଥିଏଟର ବନ୍ଦ ପଡ଼ିଛି ଓ ବହୁ ଅତ୍ୟାଧୁନିକ ମେସିନ୍ ଅଚଳ ହୋଇ ପଡ଼ିଛି। ଏତେ ସବୁ ସମସ୍ୟାକୁ ସେ କିଭଳି ସମାଧାନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ବୋଲି ଆଜି ପୁରୁଣା ଭୁବନେଶ୍ବରରେ ଜୋରଦାର୍ ଚର୍ଚ୍ଚା ଲାଗିଛି।
ସୂଚନାଯୋଗ୍ୟ, ଦିନ ଥିଲା କ୍ୟାପିଟାଲ୍ ହସ୍ପିଟାଲ୍ ପରେ ଏହି ହସ୍ପିଟାଲ ଉପରେ ଭୁବନେଶ୍ବରବାସିନ୍ଦାମାନେ ବେଶି ନିର୍ଭର କରୁଥିଲେ। ସେତେବେଳେ ଗଦାଧର ମେଡିକାଲ ନାଁରେ ଏହି ହସ୍ପିଟାଲ ବେଶ୍ ଖ୍ୟାତ ଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ଏହି ହସ୍ପିଟାଲର ସ୍ଥିତି ବଡ଼ ଦୟନୀୟ ଅବସ୍ଥାକୁ ଚାଲି ଆସିଛି। ଏଠାରେ ଥିବା ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ମେସିନ୍, ଲାପ୍ରୋସ୍କୋପିକ୍ ମେସିନ୍ ଦୀର୍ଘ ୭ବର୍ଷ ହେଲା ଅଚଳ ହୋଇପଡ଼ିଛି। ଅଲ୍ଟ୍ରାସାଉଣ୍ଡ୍ ମେସିନ୍ ଥାଇ ନଥିଲା ଭଳି ଅବସ୍ଥାରେ। ଏହି ମେସିନ୍ ଚଳାଇବା ପାଇଁ ତାଲିମପ୍ରାପ୍ତ ଅପରେଟର୍ ନାହାନ୍ତି। ଅପରେସନ୍ ଥିଏଟର(ଓଟି) ବନ୍ଦ ହୋଇପଡ଼ିଛି। ଆନାସ୍ଥେସିଆ ଡାକ୍ତର ନଥିବାରୁ ଓଟି ବନ୍ଦ। ତେଣୁ ସାମାନ୍ୟ ସର୍ଜରି ଆବଶ୍ୟକ କରୁଥିବା ରୋଗୀକୁ ଏଠାରୁ ଅନ୍ୟତ୍ର ରେଫର୍ କରାଯାଉଛି। ବହୁ ଦିନ ହେଲାଣି ଚର୍ମ ବିଭାଗ ବି ବନ୍ଦ। ୩ ବର୍ଷ ହେବ ଏହି ହସ୍ପିଟାଲରେ ହୃଦ୍ରୋଗ ବିଭାଗ ପାଇଁ ଘର ତିଆରି ସରିଛି। କିନ୍ତୁ ବିଭାଗ ଖୋଲିବା ନାଁ ନାହିଁ। ବଡ଼ କଥା ହେଉଛି, ଧୀରେଧୀରେ ଏଠାରୁ ଶଯ୍ୟା ସଂଖ୍ୟା କମିବାରେ ଲାଗିଛି। ରାଜଧାନୀର ଜନସଂଖ୍ୟା ବଢ଼ୁଥିବା ବେଳେ ଏହି ହସ୍ପିଟାଲରୁ ଶଯ୍ୟା ସଂଖ୍ୟା କମୁଛି। ଏକଦା ଏଠାରେ ୧୦୮ଶଯ୍ୟା ଥିଲା। ଏବେ ମାତ୍ର ୫୬ଟି ଶଯ୍ୟା ରହିଛି। ତେଣୁ ଏଥିରୁ ସହଜରେ ଅନୁମେୟ ଏହି ହସ୍ପିଟାଲ କିଭଳି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ବଡ଼ କଥା ହେଉଛି, ଉପଯୁକ୍ତ ଚିକିତ୍ସା ସେବା ମିଳିବାରେ ସମସ୍ୟା ହେଉଥିବାରୁ ଏଠାକୁ ଆଉ ରୋଗୀମାନେ ଭରସା କରି ଆସୁନାହାନ୍ତି। ପରିତାପର କଥା ଏବେ ଏହା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଲଟି ଯାଇଛି।
ଏହି ହସ୍ପିଟାଲକୁ ଉପ ଜିଲ୍ଲା ଡାକ୍ତରଖାନା (ଏସ୍ଡିଏଚ୍) ମାନ୍ୟତା ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଭିତ୍ତିଭୂମିକୁ ଅତ୍ୟାଧୁନିକସ୍ତରକୁ ଆଣିବା ପାଇଁ ବିଚାର କରାଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ତେଣୁ ଆଜି ମେୟରଙ୍କ ପରିଦର୍ଶନ ଏହି ଆଶାକୁ ପୁଣି ଉଜ୍ଜୀବିତ କରିଛି। ଆଜି ମେୟରଙ୍କ ସହ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ଚନ୍ଦ୍ରଶେଖର ମଲିଆ, ଶିବ ପ୍ରସାଦ ବେହେରା ଓ ଅନ୍ୟାନ୍ୟ ବିଏମ୍ସି ଅଧିକାରୀମାନେ ଆସିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା ହସ୍ପିଟାଲର ସମସ୍ୟା ବାବଦରେ ଜଣାଇଥିଲେ।