ଭୁବନେଶ୍ବର: ବିଏମ୍ସିରେ ୬୭ଟି ୱାର୍ଡ ଥିବା ବେଳେ ୪୧ଟି ୱାର୍ଡରେ ଅଫିସ୍ ଅଛି ଓ ମାତ୍ର ୩୨ ଜଣ ୱାର୍ଡ ଅଫିସର ରହିଛନ୍ତି। ଏକାଧିକ ୱାର୍ଡର ଦାୟିତ୍ବ ଥିବାରୁ ସେମାନେ ଚାପରେ ଅଛନ୍ତି। ସେଥିରେ ପୁଣି ଧାର୍ଯ୍ୟ ଲକ୍ଷ୍ୟରୁ କମ୍ ରାଜସ୍ବ ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ଭୟ ରହିଛି। ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟା ସମାଧାନ କରିବା ସେମାନଙ୍କ ପାଇଁ କାଠିକର ହୋଇପଡ଼ୁଛି।
ତେଣୁ ଏବେ ପ୍ରତ୍ୟେକ ୱାର୍ଡରେ ଅଫିସ୍ ଖୋଲାଯିବା ସହ ସବୁ ୱାର୍ଡରେ ୱାର୍ଡ ଅଫିସର ନିଯୁକ୍ତି କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ପ୍ରତି ସପ୍ତାହରେ କର୍ପୋରେଟରମାନେ ଏହି ୱାର୍ଡ ଅଫିସ୍ରେ ବସି ଜନଅଭିଯୋଗ ଶୁଣାଣି କରିବେ। ତାଙ୍କ ସହ ସାନିଟାରି ଇନ୍ସ୍ପେକ୍ଟର ଓ ୱାର୍ଡ ଅଫିସର ରହିବେ। ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ ନେଇ ବୋଲି ସେ କହିଛନ୍ତି। ସେହିଭଳି ପ୍ରତ୍ୟେକ ୱାର୍ଡ ଅଫିସ୍ରେ ଅଭିଯୋଗ ବାକ୍ସ ରହିବ ଓ ଲୋକେ ପ୍ରତିଦିନ ଅଭିଯୋଗ ପତ୍ର ଦାଖଲ କରିବେ। ୭ ଦିନ ଭିତରେ ଯେତେ ସବୁ ଅଭିଯୋଗ ଆସିଥିବ ସେ ସବୁ କର୍ପୋରେଟରମାନେ ଶୁଣାଣି କରିବେ। ସେସବୁର ରେକର୍ଡ ହେବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ତାହାକୁ ଯାଞ୍ଚ କରି କର୍ପୋରେଟରମାନେ ପ୍ରସ୍ତୁତ ହେବେ। ପ୍ରତ୍ୟେକ ଶୁଣାଣିର ରିପୋର୍ଟ ପ୍ରସ୍ତୁତ ହେବ। ଏହି ପ୍ରକ୍ରିୟାକୁ ମେୟର ମନିଟର କରିବେ। ଉଲ୍ଲେଖଯୋଗ୍ୟ, ବିଏମ୍ସିରେ ଅଭିଯୋଗ ଶୁଣିବାକୁ କେହି ନଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା ଓ ମେୟର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ଏମ୍ସିସିରେ ଦୁର୍ଗନ୍ଧ ନେଇ ଚିନ୍ତା
ମଙ୍ଗଳବାର ଆସିବେ ଟେକ୍ନିସିଆନ୍
୮ ତାରିଖରେ ବସିବ ସମନ୍ବୟ ବୈଠକ
ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍ସିସି)ରେ ଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ମେୟର କେତେକ ଏମ୍ସିସି ବୁଲି ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି। ମେସିନ୍ଗୁଡ଼ିକ ସରକାରୀ (ଜିଇଏମ୍ ପୋର୍ଟାଲ)ସଂସ୍ଥା ଜରିଆରେ କିଣାଯାଇଛି। ମରାମତି ପାଇଁ ଆଇଟିଆଇ ସହ ସହବନ୍ଧିତ ହୋଇଛି। ଏଣୁ ଉଚିତ୍ ସମୟରେ ମରାମତି କରିବା କିମ୍ବା ବୈଷୟିକ ଜ୍ଞନକୌଶଳ ସହାୟତା ମିଳିପାରୁ ନାହିଁ। ତେବେ ତିନିଦିନ ମଧ୍ୟରେ ଟେକ୍ନିସିଆନ୍ ଆସିବେ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି। ଏମ୍ସିସିରେ କାମ କରୁଥିବା ୬ ହଜାର ଶ୍ରମିକମାନଙ୍କର ସୁରକ୍ଷା ପାଇଁ ଗୋଷ୍ଠୀ ବୀମା କରାଯିବ। ନିୟମିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ଯଥେଷ୍ଟ ମାସ୍କ ଓ ଗ୍ଲୋଭ୍ସ୍ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଜଳ ନିଷ୍କାସନ ସମସ୍ୟା ଉପରେ ମେୟର ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି ୨୦୧୭ ମସିହାରେ ବିଏମ୍ସିରେ ଡ୍ରେନେଜ୍ ଡିଭିଜନ୍ କାର୍ଯ୍ୟ ଆରମ୍ଭ କଲା। ଏହି ୫ ବର୍ଷ(୨୦୧୭-୨୦୨୨) ମଧ୍ୟରେ ଡ୍ରେନେଜ୍ ସିଷ୍ଟମ୍ରେ ଅନେକ ଆଖିଦୃଶିଆ କାମ ହୋଇଛି। ଦୟାନଦୀରେ ଯେଉଁ ମଇଳା ପାଣି ସିଧାସଳଖ ମିଶୁଥିଲା ତାହା ବାସୁଆଘାଇରେ ପରିଚାଳନା ହେଉଛି। ୧୦ ନମ୍ବର ନଳାର ବମିଖାଲ ଠାରେ ଏକ କଲଭର୍ଟ ନିର୍ମାଣ ହେଉଛି। ଚିହ୍ନଟ ହୋଇଥିବା ୭୫ଟି ସମ୍ବଦନଶୀଳ ଜାଗାରୁ ୧୫ଟିରେ କାମ ଚାଲିଛି। ବଡ଼ କଥା ହେଉଛି ବିଭାଗୀୟ ସମନ୍ବୟ ଅଭାବରୁ ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଓ କିଛି ସ୍ଥାନରେ ଦୁଇରୁ ତିନିଥର ଏକ ପ୍ରକାର କାମ ହେଉଛି। ଫଳରେ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଏହାକୁ ମେୟର ଗୁରୁତ୍ବର ସହ ନେଇଛନ୍ତି। ଆସନ୍ତା ୮ ତାରିଖ ଦିନ ବିଏମ୍ସି ଅଞ୍ଚଳରେ ବିଭିନ୍ନ ସେବା ସହ ଜଡ଼ିତ ଥିବା ବିଭାଗ ଯଥା, ଏନ୍ଏଚ୍ଏଆଇ, ପିଡବ୍ଲୁଡି, ସ୍ମାର୍ଟସିଟି, ଇଡ୍କୋ ପ୍ରଭୃତିକୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।