ମେୟରଙ୍କ ନିର୍ଦ୍ଦେଶ: ଜୁନ୍‌ ସୁଦ୍ଧା ସବୁ ଡ୍ରେନ୍‌ ସଫା କର

ଟୋଲ୍‌ ଫ୍ରି ନମ୍ବର ଜାରି , ଅଧିକାରୀ ଦେବେ ପ୍ରକଳ୍ପ ସ୍ଥିତାବସ୍ଥାର ବିବରଣୀ

ଭୁବନେଶ୍ବର: ନବନିର୍ବାଚିତ ବିଏମ୍‌ସି ମେୟର ବିଧିବଦ୍ଧ ଭାବରେ କାମ ଆରମ୍ଭ କରିବା ପରେ ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଦୁଇଦିନ ଧରି ବିଭିନ୍ନ ଉପବିଭାଗ (ସେକ୍ସନ୍‌)ର ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ ପ୍ରକଳ୍ପର ସ୍ଥିତି ବାବଦରେ ପଚାରି ବୁଝିଛନ୍ତି। ଅସରାଏ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଥିବାରୁ ଜଳ ନିଷ୍କାସନ ଉପରେ ଗୁରୁତ୍ବାରୋପ କରିଛନ୍ତି।

ଜୁନ୍‌ ସୁଦ୍ଧା ସମସ୍ତ ଡ୍ରେନ୍‌ ସଫା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଡ୍ରେନ୍‌ ବାବଦରେ ଯେକୌଣସି ଅଭିଯୋଗ ଥିଲେ ଜଣାଇବାକୁ ଟୋଲ୍‌-ଫ୍ରି’ ନମ୍ବର (୧୮୦୦୩୪୫୦୦୬୧) ଜାରି କରିଛନ୍ତି। ଏହାସହ ପ୍ରାକୃତିକ ନାଳଗୁଡ଼ିକରେ ପାଣି ଯେଭଳି ଅବାଧମୁକ୍ତ ପ୍ରବାହ ହୋଇପାରିବ, ସେନେଇ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷଠାରୁ ବର୍ଷକୁ ଦୁଇଥର ଲେଖାଏଁ ଡ୍ରେନ୍‌ଗୁଡ଼ିକର ପଙ୍କ ସଫା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନଙ୍କ ସହ ଆଲୋଚନା ପରେ ସେ ପ୍ରତି ଜୋନ୍‌ ଅଫିସ୍‌ ପରିଦର୍ଶନ କରିଛନ୍ତି।  ଲୋକମାନେ ଯେଭଳି ବିଏମ୍‌ସି ଅଫିସ୍‌ ନ ଦଉଡ଼ିବେ, ସେଥିପାଇଁ ଏହି ସବୁ ଅଫିସ୍‌ଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ଅଧିକାରୀମାନେ ନିଜ ନିଜ କାର୍ଯ୍ୟର ପ୍ରଗତି, ସମସ୍ୟା, ସମାଧାନ ବାବଦରେ ସମୀକ୍ଷା ପୂର୍ବରୁ ଏକ ଉପସ୍ଥାପନା ପତ୍ର ପ୍ରସ୍ତୁତ କରିବେ। କାର୍ଯ୍ୟଟି କେତେ ଦୂର ଯାଇଛି? ଲକ୍ଷ୍ୟ କ’ଣ ଅଛି? କାର୍ଯ୍ୟ ପୂରଣ କରିବାର ଅବଧି କେତେ? ଏହି ଉପସ୍ଥାପନା ପତ୍ରରେ ଦର୍ଶାଇବେ। ବିଭାଗଗୁଡ଼ିକ ମଧ୍ୟରେ ଯେଭଳି ସମନ୍ବୟ ରହି କାମ ହେବ ତାହା ଉପରେ ମେୟର ଗୁରୁତ୍ବ ଦେଇଛନ୍ତି। ଜଳବନ୍ଦୀ ପୂର୍ବରୁ ଓ ଜଳବନ୍ଦୀ ସମୟରେ ସମନ୍ବୟ ମାଧ୍ୟମରେ କାମ ହେଲେ ସମାଧାନ ସରଳ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ଜଳ ନିଷ୍କାସନ ଛଡ଼ା ସ୍ୱେରେଜ୍‌, ପରିମଳ, ଭତ୍ତା, ବସ୍ତିବିକାଶ, ଆବାସ, ନିର୍ମାଣ, ସ୍ୱାସ୍ଥ୍ୟସେବା, ପ୍ରତିଷେଧକ ବ୍ୟବସ୍ଥା, ପ୍ଲାନିଂକୁ ନେଇ ବୈଠକରେ ଆଲୋଚନା ହୋଇଛି। ଅତିରିକ୍ତ କମିସନର ବିନୟ କୁମାର ଦାସ ଓ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ଆଲୋଚନା ହୋଇଛି।

ବିଏମ୍‌ସି ଅଞ୍ଚଳରେ ପ୍ରାୟ ୧୨୦୦ କିଲୋମିଟର ଡ୍ରେନ୍‌ ଥିବା ବେଳେ ସେଥିମଧ୍ୟରୁ ୬ଶହ କିଲୋମିଟର ଡ୍ରେନ୍ ବିଏମ୍‌ସି ପରିଚାଳନା କରୁଛି। ୨୦୧୭-୨୨ ପାଞ୍ଚ ବର୍ଷ ମଧ୍ୟରେ ୬୨୧ଟି ପ୍ରକଳ୍ପ ମାଧ୍ୟମରେ ୧୩୭ କିମି ଡ୍ରେନ୍‌ର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ ସୂଚନା ଦେଇଥିଲେ। ସେହିଭଳି ବିଏମ୍‌ସି ଅଞ୍ଚଳରେ ଥିବା ୬୬ କିଲୋମିଟର ପ୍ରାକୃତିକ ଡ୍ରେନ୍‌ ଓ ୪୬ କିଲୋମିଟର ଆଭ୍ୟନ୍ତରୀଣ ଡ୍ରେନ୍‌ର ପରିଚାଳନା ବିଏମ୍‌ସି ଡ୍ରେନେଜ୍ ଡିଭିଜନ୍ କରୁଛି।

ପୋଖରୀ ପୁନରୁଦ୍ଧାର ପାଇଁ ସର୍ଭେ ଆରମ୍ଭ

ଭୁବନେଶ୍ବରରେ ବହୁ ଜଳାଶୟ ରକ୍ଷଣାବେକ୍ଷଣ ଅଭାବରୁ ସତ୍ତା ହରାଇବାକୁ ବସିଲାଣି। କେତେକ ନିର୍ଦ୍ଦିଷ୍ଟ ପୋଖରୀକୁ ଛାଡ଼ିଦେଲେ ଅଧିକାଂଶ ପୋଖରୀର ଅବସ୍ଥା ଏଭଳି। ଏହି ସବୁ ଜଳାଶୟକୁ ନୂଆ ରୂପ ଦେବା ପାଇଁ ଯୋଜନା ହୋଇଛି। ବିଡିଏ ଓ ବିଏମ୍‌ସି ମିଳିତ ଭାବେ ପୋଖରୀଗୁଡ଼ିକର ପୁନରୁଦ୍ଧାର କରିବେ। ଏଥିପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି।

ନିକଟ ଅତୀତରେ ଏକାଧିକ ଜଳାଶୟର ପୁନରୁଦ୍ଧାର କରାଯାଇଛି। ଏଣୁ ଆଉ କେତେ ପୋଖରୀ କିଭଳି ଅବସ୍ଥାରେ ଅଛି ତାହା ଜାଣିବା ପାଇଁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି। ବିଏମ୍‌ସି ୨୧ଟି ଜଳାଶୟ ପରିଚାଳନା କରୁଛି। ତିନିବର୍ଷ ମଧ୍ୟରେ ବରମୁଣ୍ଡା, ଯଦୁପୁର, ପାତ୍ରପଡ଼ା ଓ ନ୍ୟୁ ଏୟାରପୋର୍ଟ ରୋଡ୍‌ରେ ଥିବା ପୋଖରୀର ପୁନରୁଦ୍ଧାର କରାଯାଇଛି। ବାକି ରହିଯାଇଥିବା ପୋଖରୀଗୁଡ଼ିକର ଉନ୍ନତୀକରଣ ପାଇଁ ସର୍ବେକ୍ଷଣ କରାଯାଉଛି।

ସମ୍ବନ୍ଧିତ ଖବର